ରାଜ୍ୟ

ଛାତ୍ର ମୃତ୍ୟୁର କାରଣ ମାନସିକ ଚାପ !

 ଘଟଣାକୁ ଗୋଳିଆ କରୁଛନ୍ତି ରାଜନୈତିକ ଗୋଷ୍ଠୀ

> ଭିନ୍ନ ମୋଡ଼ ଦେବାକୁ ପୁଲିସ୍ ଉପରେ ଚାପ

ଭୁବନେଶ୍ୱର,୧୯/୦୯: ଓଡ଼ିଶାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଝାଡ଼ଖଣ୍ଡର ଜଣେ ଛାତ୍ରଙ୍କ ଆତ୍ମହତ୍ୟା ପରେ ଏହାକୁ ନେଇ ରାଜନୈତିକ ଖେଳ ଆରମ୍ଭ ହୋଇଯାଇଛି । ଆଗକୁ ଝାଡ଼ଖଣ୍ଡ ବିଧାନସଭା ଭୋଟ ଥିବାରୁ ଜଣେ ନିରୀହ ଛାତ୍ରର ମୃତ୍ୟୁର ଅସଲ କାରଣକୁ ଚାପି ଦେଇ ର୍ୟାଗିଂ ଆଳ ଦେଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ ଆରମ୍ଭ ହୋଇଛି ।

ନିକଟରେ ଝାଡ଼ଖଣ୍ଡର ଏକ ପରିବାର ସେମାନଙ୍କ ପୁଅର ଆଡମିସନ ଭୁବନେଶ୍ୱରର ଆଇଟିଇଆର ଇଞ୍ଜିନିୟରିଂ କଲେଜରେ କରିଥିଲେ । ବାପା ପୁଅକୁ ଆଣି ଗତ ୧୦ ତାରିଖରେ କଲେଜ ହଷ୍ଟେଲରେ ଛାଡ଼ିଥିଲେ । ୧୧ ତାରିଖରେ ବାପା ଝାଡ଼ଖଣ୍ଡ ଫେରି ଯାଇଥିଲେ । ତେବେ ପରଦିନ ଛାତ୍ର ଜଣଙ୍କ ପରିବାରର କାହାର ଫୋନ୍ କଲ୍ ରିସିଭ୍ କରି ନଥିଲେ ଏବଂ ୧୩ ତାରିଖ ସନ୍ଧ୍ୟାରେ ଉପର ମହଲାରୁ ପଡ଼ି ପ୍ରାଣ ହରାଇଥିଲେ । ଅବଶ୍ୟ ମୃତ୍ୟୁ ପୂର୍ବ ଦିନ ସେ ବାପାଙ୍କ ସହ କଥା ହୋଇଥିଲେ । ଏହି ମୃତ୍ୟୁକୁ ନେଇ ପରିବାରକୁ ହାତବାରିସୀ କରି ଝାଡ଼ଖଣ୍ଡର ଗୋଟିଏ ଗୋଷ୍ଠୀ ରାଜନୀତି ଆରମ୍ଭ କରିଥିବା ବେଳେ ମୃତ୍ୟୁ ପଛର ସତ୍ୟତା ଭିନ୍ନ ବୋଲି ମୃତ ଛାତ୍ରଙ୍କ ସହପାଠୀମାନଙ୍କ କଥାରୁ ସ୍ପଷ୍ଟ ।

ହଷ୍ଟେଲରେ ସଂପୃକ୍ତ ଛାତ୍ର ଝାଡ଼ଖଣ୍ଡର ଅନ୍ୟ ଜଣେ ଛାତ୍ର ସହ ଗୋଟିଏ କୋଠରୀରେ ରହିଥିଲେ । ସହପାଠୀମାନଙ୍କ ଠାରୁ ପ୍ରକାଶ, ଛାତ୍ର ଜଣଙ୍କ ମାନସିକ ଚାପରେ ରହୁଥିଲେ । ଆଡମିସନ ପରେ ସମସ୍ତ ଛାତ୍ର କଲେଜ ପରିସରରେ ବେଶ୍ ଖୁସିରେ ବୁଲାବୁଲି କରୁଥିବା ବେଳେ ଛାତ୍ର ଜଣଙ୍କ ଗୁମ୍ସୁମ୍ ରହି ନିଜ କୋଠରୀରେ ବସି ରହୁଥିଲେ । ଏ ସମ୍ପର୍କରେ ପଚାରିବାରୁ ସହପାଠୀଙ୍କୁ ସେ କହିଥିଲେ, ତାଙ୍କର ମେଡିକାଲ ପାଠ୍ୟକ୍ରମ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଇଞ୍ଜିନିୟରିଂ ପଢ଼ିବାକୁ ବାଧ୍ୟ କରାଯାଇଥିଲା । ଏହାକୁ ନେଇ ଭଉଣୀଙ୍କ ସହ ଛାତ୍ର ଜଣଙ୍କର ମଧ୍ୟ ମନୋମାଳିନ୍ୟ ହୋଇଥିଲା । ଘଟଣା ଦିନ ସହପାଠୀମାନେ ବୁଲୁଥିବା ବେଳେ ଛାତ୍ର ଜଣଙ୍କ ରୁମ୍ରେ ତାଲା ପକାଇ କୁଆଡ଼େ ବାହାରିଥିଲେ । ସେତେବେଳେ ସେ ଏତେ ବିଚଳିତ ଥିଲେ ଯେ ତାଲା ପକାଇବାକୁ ଅକ୍ଷମ ହୋଇଥିଲେ । ଜଣେ ସହପାଠୀ ତାଲା ପକାଇଥିଲେ । ଏହାପରେ ଛାତ୍ର ଜଣଙ୍କ ଏକୁଟିଆ ବୁଲିବାକୁ ବାହାରିଥିଲେ । ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଛାତ୍ରଙ୍କ ମୃତ୍ୟୁ ପରେ ଏ ନେଇ ପୁଲିସ ତଦନ୍ତ କରୁଛି ଏବଂ ଝାଡ଼ଖଣ୍ଡ ସରକାର ଓଡ଼ିଶା ସରକାରଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି । ହଷ୍ଟେଲକୁ ଯାଇ ପୁଲିସ ଟିମ୍ ତଦନ୍ତ କରିଛନ୍ତି ଏବଂ ମୃତଦେହର ଉଚିତ ପ୍ରକ୍ରିୟାରେ ବ୍ୟବଚ୍ଛେଦ କରାଯାଇଥିବା ସ୍ଥାନୀୟ ଖଣ୍ଡଗିରି ଥାନାର ଅଧିକାରୀ ଓ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀ କହିଛନ୍ତି । କିନ୍ତୁ ଘଟଣାର ଅସଲ କାରଣକୁ ଲୁଚାଇବାକୁ ଯାଇ ଝାଡ଼ଖଣ୍ଡର ଏକ ଗୋଷ୍ଠୀ ଗୋଳିଆ ପାଣି କରି ଫାଇଦା ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଏବଂ ସୋସିଆଲ ମିଡିଆକୁ ମାଧ୍ୟମ କରିଥିବା ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ରାଜନୈତିକ ସଙ୍ଗଠନ ଓ ରାଜ୍ୟର ବରିଷ୍ଠ ନେତାଙ୍କୁ ହାତବାରିସୀ କରିବାକୁ ଉଦ୍ୟମ ଚାଲିଛି ।

ଭୁବନେଶ୍ୱର ପୁଲିସ ଉପରେ ଚାପ ପ୍ରୟୋଗ କରି ମାମଲାକୁ ଭିନ୍ନ ମୋଡ଼ ଦେବାକୁ ଆପ୍ରାଣ ଉଦ୍ୟମ କରାଯାଉଛି । ଯାହାକି ସଂପୃକ୍ତ କଲେଜର ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି । ମୃତ୍ୟୁର ପଛର ପାରିବାରିକ କାରଣକୁ ଘୋଡ଼ାଇ ଦେଇ ର୍ୟାଗିଂ ଆଖ୍ୟା ଦେଇ କଲେଜକୁ ବଦନାମ କରିବାକୁ ଅପଚେଷ୍ଟା ଆରମ୍ଭ ହୋଇଛି । ସୁନାମର ଶୀର୍ଷରେ ଥିବା ଆଇଟିଇଆର କଲେଜରେ ର୍ୟାଗିଂ କେବେ ଦେଖିବାକୁ ମିଳିନାହିଁ । ଅପରପକ୍ଷରେ ଛାତ୍ର ଜଣଙ୍କ ରହୁଥିବା ହଷ୍ଟେଲଟି କେବଳ ପ୍ରଥମ ବର୍ଷ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ର୍ୟାଗିଂ ଅଭିଯୋଗ ଅମୂଳକ । ଏଭଳି ମିଥ୍ୟାରୋପ ସେମାନଙ୍କ ଉପରେ ମାନସିକ ଚାପ ପକାଉଛି ବୋଲି ହଜାର ହଜାର ଛାତ୍ରଛାତ୍ରୀ କହିଥିବା ବେଳେ ଅଭିଭାବକମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button