Flood: ବିପଦ ସଙ୍କେତ ଡେଇଁଲା ଜଳକା ଓ ବୈତରଣୀ, ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ସତର୍କ ସଙ୍କେତ ଉପରେ ଜଳକା, ବୈତରଣୀ । ଫୁଲୁଛି ମହାନଦୀ ଏବଂ ବ୍ରାହ୍ମଣୀ । ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିଲେ ବି ଅଧିକାଂଶ ସ୍ଥାନରେ ନଦୀଗୁଡ଼ିକ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି । ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ମଥାନୀ ରୋଡ୍ ବ୍ରିଜ୍ ଠାରେ ସକାଳ ୯ଟା ସୁଦ୍ଧା ୬.୪୬ ମିଟରରେ ପ୍ରବାହିତ ହେଉଛି । ଏହାର ୬.୦ ମିଟର ଚେତାବନୀ ସ୍ତରକୁ ଅତିକ୍ରମ କରି ୬.୫ ମିଟର ନିକଟତର ଜଳସ୍ତର ବୃଦ୍ଧି ହୋଇଛି । ସେହିପରି ବୈତରଣୀ ନଦୀ ଆଖୁଆପଦାଠାରେ ୧୮ ମିଟରରେ ବୃଦ୍ଧି ପାଉଥିବା ବେଳେ ଏହାର ଚେତାବନୀ ସ୍ତର ୧୭.୮୩ ମିଟର ରହିଛି । ବିପଦ ସଙ୍କେତ ୧୮.୩୩ ମିଟର ରହିଛି ।
ସେହିପରି ବ୍ରାହ୍ମଣୀ ନଦୀ ଜେନାପୁରଠାରେ ବିପଦ ସଙ୍କେତ ୨୩.୦ ମିଟର ରହିଥିବା ବେଳେ ୨୦.୧୫ ମିଟରରେ ପ୍ରବାହିତ ହେଉଛି ବନ୍ୟା ଜଳ । ମହାନଦୀ ନରାଜଠାରେ ୨୪.୦୦ ମିଟର, ବିପଦ ସଙ୍କେତ ୨୬.୪୧ ମିଟର ଏବଂ ଖୈରମାଲଠାରେ ୧୦୩.୧୧ ମିଟର, ବିପଦ ସଙ୍କେତ ୧୦୯.୦ ମିଟର ରହିଛି । ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୯୫ ଫୁଟ୍ ରହିଥିବା ବେଳେ ବର୍ତ୍ତମାନ ୮ଟି ଗେଟ୍ ଖୋଲା ରହିଛି । ପ୍ରତି ସେକେଣ୍ଡରେ ୧,୬୩,୫୩୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳୀଠାରେ ମହାନଦୀର ଜଳ ନିଷ୍କାସନ ପରିମାଣ ୨,୦୯,୫୩୬ କ୍ୟୁସେକ୍ ରେକର୍ଡ କରାଯାଇଛି ।




