ଆରମ୍ଭ ହୋଇଯାଇଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀର ମା’ତାରା ଦେବୀଙ୍କ ଠାକୁରାଣୀ ଯାତ୍ରା

ରବିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀର ମା’ ତାରା ଦେବୀଙ୍କ ଠାକୁରାଣୀ ଯାତ୍ରା । ପରମ୍ପରା ପ୍ରକାରେ ପ୍ରତି ଦୁଇ ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଯେଉଁ ବର୍ଷ ବ୍ରହ୍ମପୁରରେ ମା’ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା ହୁଏ ସେହି ବର୍ଷ ହିଁ ସେହି ଯାତ୍ରା ସରିବା ପରେ ଏହି ଯାତ୍ରା ଆରମ୍ଭ ହୁଏ ।
ସୂଚନା ଥାଉକି, ବ୍ରହ୍ମପୁର ସହରର ଏହି ଠାକୁରାଣୀ ଯାତ୍ରା ୩ଶହ ବର୍ଷ ପୁରୁଣା । ସହର ବାସିନ୍ଦାଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ି ସାଆନ୍ତାଣୀ ପରମ୍ପରା ପ୍ରକାରେ ପ୍ରତି ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ତାଙ୍କ ବାପ ଘରକୁ ବିଜେ କରିଥାନ୍ତି । ପ୍ରତି ଥର ଭଳି ଏଥର ମଧ୍ୟ ଘଂଟ, ତାଳ, ବାଜା, ବାଜଣାର ବିରାଟ ପଟୁଆରରେ ଶ୍ରଦ୍ଧାଳୁଙ୍କ ଗହଣରେ ବିଳମ୍ବିତ ରାତିରେ ମାଆ ବିଜେ କରିଥିଲେ । ପ୍ରତି ଦୁଇ ବର୍ଷକୁ ଥରେ ମାଆ ଯାଇଥାନ୍ତି ବାପଘରକୁ । ତେବେ ଏହି ଯାତ୍ରା ସରିବା ପରେ ଏବେ ମହା ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି ମା’ ତାରା ଦେବୀଙ୍କ ଠାକୁରାଣୀ ଯାତ୍ରା ।
ବିରାଟ ପଟୁଆରରେ ମା’ ଆସିଛନ୍ତି ବାପ ଘରକୁ । ଏକୋଇଶି ଦିନ ଧରି ଚାଲିବ ଏହି ଯାତ୍ରା । ଯାତ୍ରା ଆରମ୍ଭ ଅବସରରେ ପରିବହନ ମନ୍ତ୍ରୀ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଧାୟକ କେ. ଅନୀଲ, ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚାଉପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।
ଆସନ୍ତାକାଲି ବୁଧବାର ରାତିରୁ ମା’ ନଗର ପରିକ୍ରମାରେ ବାହାରିବେ । ତେବେ ବିଳବିମ୍ବିତ ରାତିରେତି ମା’ଙ୍କ ସ୍ଥାୟୀ ମନ୍ଦିରରୁ ଆଜ୍ଞାମାଳ ଚାଙ୍ଗଡାରେ ବିରାଟ ପଟୁଆରରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇ ଯାତ୍ରା ଆରମ୍ଭ କରାଯାଇଥିଲା । ମା’ ତାରା ଦେବୀଙ୍କ ଠାକୁରାଣୀ ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି ।



