ଦେଶ- ବିଦେଶ

ବିଶ୍ଵ ରେଡିଓ ଦିବସ: ଶ୍ରୋତାଙ୍କ ସ୍ରୋତରେ ସତ୍ତା ପ୍ରସ୍ତୁତ କରୁଛି ରେଡିଓ

ଲୋକମାନଙ୍କୁ ଏକତ୍ର କରିବାରେ, ଯୋଗାଯୋଗକୁ ସମୃଦ୍ଧ କରିବାରେ ଏବଂ ବିଭିନ୍ନ ସଂସ୍କୃତି, ସମ୍ପ୍ରଦାୟ ଓ ଦୃଷ୍ଟିକୋଣ ମଧ୍ୟରେ ଉତ୍ତମ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ରେଡିଓ। ‘ୱାର୍ଲଡ ରେଡିଓ ମ୍ୟାପ୍‌‌’ ତଥ୍ୟ ଅନୁସାରେ ସାରା ବିଶ୍ୱରେ ପ୍ରାୟ ୪୦ ହଜାର ରେଡିଓ ଷ୍ଟେସନ ରହିଛି। ସେହିଭଳି ଅନ୍ତର୍ଜାତୀୟ ପ୍ରସାରଣ ସଂଘର ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ଅର୍ଦ୍ଧାଧିକ ଲୋକ (ପାଖାପାଖି ଚାରିଶହ କୋଟି) ନିଶ୍ଚିତ ଭାବେ ରେଡିଓ ଶୁଣନ୍ତି। ବିଶ୍ୱର ବିଭିନ୍ନ ଦେଶଙ୍କ ତୁଳନାରେ ଭାରତରେ ରେଡିଓର ଉପସ୍ଥିତି ଢେର ଅଧିକ।

କେବଳ ଆମ ଦେଶରେ ୯ ଶହରୁ ଅଧିକ ରେଡିଓ ଷ୍ଟେସନ ରହିଛି। ଏହାସହ ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ରେଡିଓ ପହଞ୍ଚି ପାରିଛି। ସମାଜର ବିକାଶ ଦିଗରେ ରେଡିଓର ଅତୁଳନୀୟ ଭୂମିକାର ମହାନ ପରମ୍ପରାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ପାଳନ କରାଯାଏ ‘ବିଶ୍ୱ ରେଡିଓ ଦିବସ’। ମିଳିତ ଜାତିସଂଘ ପକ୍ଷରୁ ‘ବିଶ୍ୱ ରେଡିଓ ଦିବସ’କୁ ୨୦୧୨ ମସିହାରୁ ବିଧିବଦ୍ଧ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା।

ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତାର ସାବଲୀଳ ସଙ୍ଗମ ହେଉଛି ରେଡିଓ। ଶ୍ରୋତାଙ୍କ ହୃଦୟରେ ଶତାବ୍ଦୀରୁ ଅଧିକ ସମୟ ଧରି ଘର କରି ରହିଥିବା ଏହି ଲୋକପ୍ରିୟ ଶ୍ରାବ୍ୟ ଉପକରଣର କଳେବର ସମୟକ୍ରମେ ବଦଳିଛି। ତା’ ସାଙ୍ଗକୁ ବଢ଼ିଛି ଏହାର କ୍ରେଜ୍‌। ରୁପେଲି ପରଦା ଭଳି ବେତାର ଦୁନିଆ ରଙ୍ଗିନ ନୁହେଁ, ହେଲେ ଶ୍ରୋତାଙ୍କୁ ବାନ୍ଧି ରଖିବା ଭଳି ସମସ୍ତ ସାମର୍ଥ୍ୟ ଖୁନ୍ଦି ହୋଇରହିଛି ଏହା ନିକଟରେ। ଖାସ୍‌ ସେଇଥିପାଇଁ ରେଡିଓ ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଜଣେ ଶ୍ରୋତା ପହଞ୍ଚତ୍ୟାଏ ଏକ ଭିନ୍ନ ଦୁନିଆରେ, ଯେଉଁଠି ଥାଏ ତାଜା ଖବରଠାରୁ ଆରମ୍ଭ କରି ମନୋରଞ୍ଜନ, ସର୍ବୋପରି ସଚେତନତା ଭଳି ବହୁବିଧ କାର୍ଯ୍ୟକ୍ରମ।

ଏକବିଂଶ ଶତାବ୍ଦୀରେ ରେଡିଓର ବ୍ୟବସାୟୀକରଣ ହୋଇଛି। କମ୍ୟୁନିଟି ରେଡିଓ ସହ ଏଫ୍‌ଏମ୍‌ର ଚାହିଦା ବଢ଼ିଛି। ଆଞ୍ଚଳିକସ୍ତରରେ ଶ୍ରୋତାଙ୍କ ହୃଦୟ ଜିଣିବାକୁ ବେସରକାରୀ କମ୍ପାନୀଗୁଡିକ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା। ଫଳରେ ଏହାର ଫାଇଦା ମିଳିଛି ସାମାଜିକ ବ୍ୟବସ୍ଥାକୁ। ବିଶେଷ କରି କରୋନା ମହାମାରୀ ଭଳି ସମୟରେ ଜନସଚେତନତା ପାଇଁ ସାଧନ ଆବଶ୍ୟକ ପଡୁଥିବାବେଳେ ରେଡିଓ ଅନ୍ୟତମ ପ୍ରମୁଖ ଯୋଗାଯୋଗ ମାଧ୍ୟମ ଭାବେ ଲୋକମାନଙ୍କର ଆହୁରି ନିକଟତର ହୋଇପାରିଥିଲା।

ହେଲେ ଏବେ ଦେଶ ଦୁନିଆର ସମ୍ବାଦ ଦେଉଥିବା ରେଡିଓ ଆଜି ସ୍ମୃତି ହୋଇ ଆସିଲାଣି। ଏହି ଲୋକପ୍ରିୟ ଯନ୍ତ୍ରଟି ଆଉ ପ୍ରାୟ କାହା ଘରେ ଦେଖାଯାଉନି। ହେଲେ ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ। ବର୍ତ୍ତମାନ ଏହି ଲୋକପ୍ରିୟ ଯନ୍ତ୍ରଟି ଆଧୁନୀକିକରଣ ଢାଞ୍ଚାରେ ଶ୍ରୋତାଙ୍କ ପାଖରେ ପହଂଚାଇବା ପାଇଁ ରେଡ଼ିଓ ସହ ଆପର ମାଧ୍ୟମ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button