ଅଧିକ ଟାଇଟ୍ ପ୍ୟାଣ୍ଟ ପିନ୍ଧୁଛନ୍ତି କି? ସାବଧାନ! ହ୍ରାସ ହୋଇପାରେ ପ୍ରଜନନ କ୍ଷମତା

ଅଧିକାଂଶ ଲୋକ ସ୍କିନ୍ ଫିଟିଂ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହି ପ୍ୟାଣ୍ଟ ଶରୀରକୁ ଜାବୁଡ଼ି ଧରିବା ଭଳି ଟାଇଟ୍ ହୋଇଥାଏ। ଦେଖିବାକୁ ଷ୍ଟାଇଲିସ୍ ଲାଗୁଥିଲେ ମଧ୍ୟ ଟାଇଟ୍ ପ୍ୟାଣ୍ଟ ପିନ୍ଧିବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ସମୟ ଟାଇଟ୍ ପ୍ୟାଣ୍ଟ ପିନ୍ଧୁଥିବା ବ୍ୟକ୍ତିଙ୍କ ପ୍ରଜନନ କ୍ଷମତା ଢିଲା ପ୍ୟାଣ୍ଟ ପିନ୍ଧୁଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ହୋଇଥାଏ।

ଟାଇଟ୍ ପ୍ୟାଣ୍ଟ ପିନ୍ଧିବା ଦ୍ୱାରା ନିତମ୍ବର ମାଂସପେଶୀର ଅଭିବୃଦ୍ଧି ହୋଇପାରେ ନାହିଁ। ଏଥିସହ ଜଏଣ୍ଟ ମଧ୍ୟ ଠିକ୍ ଭାବେ ମୁଭମେଣ୍ଟ କରିପାରେ ନାହିଁ। ଫଳରେ ଆଣ୍ଠୁଗଣ୍ଠିରେ ସମସ୍ୟା ଦେଖାଦିଏ। ଟାଇଟ୍ ପ୍ୟାଣ୍ଟର କୁପ୍ରଭାବ ସ୍ନାୟୁ ଉପରେ ମଧ୍ୟ ପଡ଼ିଥାଏ। ସ୍ନାୟୁ ଠିକ୍ ଭାବେ ବୃଦ୍ଧିପାଏ ନାହିଁ, ଫଳସ୍ୱରୂପ କମ୍ ବୟସରୁ ସ୍ନାୟୁଜନିତ ବେମାରି ଦେଖାଦିଏ।
ଅଧିକ ଟାଇଟ୍ ପ୍ୟାଣ୍ଟ ପିନ୍ଧିବା ଦ୍ୱାରା ଦୁଇ ଗୋଡ଼ ପରସ୍ପର ସହ ଘଷି ହୋଇଥାଏ। ଅଧିକ ସମୟ ଘଷି ହେବା ଦ୍ୱାରା ଜଙ୍ଘରେ କ୍ଷତ ହୋଇ ପୋଡ଼ିଥାଏ। ଫଳରେ ଚାଲିବା ବେଳେ ସମସ୍ୟା ଦେଖାଦିଏ। ପ୍ୟାଣ୍ଟ ଟାଇଟ୍ ଥିଲେ ରକ୍ତ ସଞ୍ଚାଳନ ମଧ୍ୟ ବାଧାପ୍ରାପ୍ତ ହୁଏ।

ଟାଇଟ୍ ପ୍ୟାଣ୍ଟ ଓ ଅଣ୍ଡରଓ୍ଵୟାର ପିନ୍ଧିବା ଦ୍ୱାରା ଯୌନାଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ। ଶୁକ୍ରାଣୁ ସୃଷ୍ଟିରେ ଏହା ବାଧା ସୃଷ୍ଟି କରେ ଫଳରେ କମ୍ ପରିମାଣରେ ସ୍ପର୍ମ ତିଆରି ହୁଏ। ଯାହା ବ୍ୟକ୍ତିର ପ୍ରଜନନ କ୍ଷମତାକୁ ହ୍ରାସ କରେ।
କେବଳ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ଟାଇଟ୍ ପ୍ୟାଣ୍ଟ ପିନ୍ଧିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଶରୀରରୁ ଅଧିକ ପରିମାଣରେ ତାପମାତ୍ରା ଓ ଆର୍ଦ୍ରତା ନିର୍ଗତ ହୁଏ, ଯାହା ବାହାରକୁ ନିଷ୍କାସିତ ହୋଇପାରେ ନାହିଁ। ଫଳରେ ଇନ୍ଫେକସନ୍ର ରୂପ ନେଇଥାଏ।




