ରାଜ୍ୟ

ନିତି ଆୟୋଗ ସୂଚୀ: ଆର୍ଥିକ ସ୍ବାସ୍ଥ୍ୟରେ ଓଡ଼ିଶା ୧ ନମ୍ବର

ଭୁବନେଶ୍ବର: ଆର୍ଥିକ ପରିଚାଳନା କିଭଳି କରାଯାଏ ତାହାର ଏକ ବଡ଼ ଉଦାହରଣ ପାଲଟିଛି ଓଡ଼ିଶା। ‌ଗୋଟିଏ କିମ୍ବା ଦୁଇଟି ବର୍ଷ ନୁହେଁ, ଲଗାତାର ଭାବେ ଅନେକ ବର୍ଷ ଧରି ଏଭଳି ଉପଲବ୍ଧି ହାସଲ କରି ବର୍ଷ ବର୍ଷ ଧରି ରାଜସ୍ବ ବଳକା ମାନ୍ୟତା ବଜାୟ ରଖିଥିବା ଓଡ଼ିଶା ସମଗ୍ର ଦେଶରେ ଆର୍ଥିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁଠୁ ଭଲ ସ୍ଥିତିରେ ରହିଛି। ଓଡ଼ିଶାକୁ ନିତି ଆୟୋଗ ପ୍ରଶଂସା କରିଛି। ଆୟୋଗ ଜାରି କରିଥିବା ଆର୍ଥିକ ସ୍ବାସ୍ଥ୍ୟ ସୂଚୀ ୨୦୨୫ରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଛି। ଏହା ‘ଆଚିଭର’ ବର୍ଗରେ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ସୂଚୀ ଜାରି କରାଯାଇଛି। ତେବେ ୨୦୧୪-୧୫ରୁ ୨୦୨୧-୨୨ ପର୍ଯ୍ୟନ୍ତ ଓଡ଼ିଶା ହାରାହାରି ଭାବେ ଶୀର୍ଷ ସ୍ଥାନରେ ରହିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଥିକ ପ୍ରଦର୍ଶନ କରିବାରେ ଓଡ଼ିଶା ରେକର୍ଡ କରିଛି।

୨୦୨୨-୨୩ର ଆଚିଭର୍‌ ବର୍ଗରେ ଓଡ଼ିଶା ପଛକୁ ଛତିଶଗଡ଼ ଓ ଗୋଆ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ନିତି ଆୟୋଗ ରିପୋର୍ଟ ଅନୁଯାୟୀ ଓଡ଼ିଶାକୁ ସର୍ବାଧିକ ୬୭.୮ ସ୍କୋର୍‌ ମିଳିଛି। ୨୦୨୩-୨୩ ତଥ୍ୟ ଆଧାରରେ ଏହି ସୂଚୀ ପ୍ରସ୍ତୁତ କରାଯାଇଛି ଯାହାର ଶୀର୍ଷରେ ଓଡ଼ିଶା ରହିଛି। ବ୍ୟୟର ଗୁଣାତ୍ମକ ମାନରେ ରାଜ୍ୟର ସ୍କୋର୍‌ ୫୨, ରାଜସ୍ବ ସଂଗ୍ରହରେ ୬୯.୯, ଆର୍ଥିକ ଶୃଙ୍ଖଳାରେ ୫୪, ଋଣ ସୂଚୀରେ ୯୯ ଓ ଋଣ ସ୍ଥାୟିତ୍ବ ମାନଦଣ୍ଡରେ ଏହାର ସ୍କୋର୍‌ ୬୪ ରହିଛି। ଓଡ଼ିଶା ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଏହାର ବିତ୍ତୀୟ ନିଅଣ୍ଟ ସର୍ବନିମ୍ନ ରହିଛି। ଅଣ ଟିକସ ଉତ୍ସରୁ ରାଜସ୍ବ ସଂଗ୍ରହ କରିବାରେ ଏହା ଭଲ ପ୍ରଦର୍ଶନ କରିଛି। ରାଜ୍ୟର ମୋଟ ରାଜସ୍ବରେ ନିଜସ୍ବ ଅଣ ଟିକସ ରାଜସ୍ବ ହାରାହାରି ୨୧ ପ୍ରତିଶତ ରହିଛି। କିନ୍ତୁ ଖଣି ରାଜସ୍ବ ଉପରେ ଓଡ଼ିଶା ଅତ୍ୟଧିକ ନିର୍ଭରଶୀଳ ଥିବା ରିପୋର୍ଟରେ କୁହାଯାଇଛି। ମୋଟ ବିକାଶମୂଳକ ବ୍ୟୟରେ ପ୍ରାୟ ୨୭ ପ୍ରତିଶତ ରାଶିକୁ ଓଡ଼ିଶା ପୁଞ୍ଜି ବ୍ୟୟ ଭାବେ ଖର୍ଚ୍ଚ କରିଛି।

ଖଣିରୁ ଆସୁଛି ୯୦% ନିଜସ୍ବ ଅଣ ଟିକସ
ବିତ୍ତୀୟ ନିଅଣ୍ଟ ୨%କୁ ହ୍ରାସ

ଓଡ଼ିଶାରେ ୨୦୧୮-୧୯ରୁ ୨୦୨୨-୨୩‌ ମଧ୍ୟରେ ରାଜସ୍ବ ବ୍ୟୟ ୫୩.୫ ପ୍ରତିଶତ ଓ ପୁଞ୍ଜି ବ୍ୟୟ ୪୨ ପ୍ରତିଶତ ବଢ଼ିଛି। ଏହି ସମୟରେ ବାର୍ଷିକ ହାରାହାରି
୯.୨ ପ୍ରତିଶତ ହାରରେ ରାଜ୍ୟର ରାଜସ୍ବ ବ୍ୟୟ ବଢ଼ିଛି। ସମଗ୍ର ଶିକ୍ଷା ଯୋଜନାକୁ ଅଧିକ ବ୍ୟୟବରାଦ ସହ ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତିରେ ବ୍ୟୟ ବଢ଼ିଛି। ନୂଆ ସହର ବିକାଶ ପାଇଁ ମଧ୍ୟ ସହରାଞ୍ଚଳରେ ବ୍ୟୟ ବଢ଼ିଛି। ୨୦୨୦-୨୨ ମଧ୍ୟରେ ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜସ୍ବ ବ୍ୟୟ ୩୩.୮ ପ୍ରତିଶତ ହାରରେ ବଢ଼ିଛି ଯାହା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ। ରାଜ୍ୟର ନିଜସ୍ବ ଅଣ ଟିକସ ରାଜସ୍ବର ୯୦ ପ୍ରତିଶତ ଓ ନିଜସ୍ବ ଟିକସର ୪୫ ପ୍ରତିଶତ ଖଣି କ୍ଷେତ୍ରରୁ ଆସୁଛି। ତେବେ ୨୦୨୨-୨୩ରେ ଲୁହାପଥର ଦାମ୍ ବଢ଼ିବାରୁ ଓଡ଼ିଶାର ଖଣି ରାଜସ୍ବ କମିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ୨୦୦୦-୦୧ରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୬.୯ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ୨୦୨୨-୨୩ ସୁଦ୍ଧା ତାହା ୨ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୧୯-୨୦ ପରଠାରୁ ରାଜ୍ୟର ଋଣ ଲଗାତାର ଭାବେ କମ୍ ହେଉଛି।

ରିପୋର୍ଟରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ବିଭିନ୍ନ ମାନଦଣ୍ଡ ଆଧାରରେ ଅନୁଶୀଳନ କରିବା ପରେ ସେମାନଙ୍କୁ ଆଚିଭର, ଫ୍ରଣ୍ଟ ରନର୍‌, ପରଫରମର୍‌ ଓ ଆସ୍ପିରେସନାଲ୍ ଭଳି ଚାରିଟି ବର୍ଗରେ ସ୍ଥାନ ମିଳିଛି। ଆଚିଭର ବର୍ଗରେ ୫, ଫ୍ରଣ୍ଟ ରନର୍‌ରେ ୫, ପରଫରମର୍‌ରେ ୪ ଓ ଆସ୍ପିରେସନାଲ୍‌ ବର୍ଗରେ ୪ଟି ରାଜ୍ୟ ରହିଛି। ଫ୍ରଣ୍ଟ୍‌ ରନର୍‌ ବର୍ଗରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ନାମ ରହିଛି। ତାମିଲନାଡ଼ୁ, ରାଜସ୍ଥାନ, ବିହାର ଓ ହରିୟାଣାକୁ ପରଫର୍‌ମର୍‌ ବର୍ଗରେ ସ୍ଥାନ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ ସେମାନଙ୍କ ଆର୍ଥିକ ପ୍ରଦର୍ଶନ ମଧ୍ୟମ ଧରଣର ରହିଛି। କେରଳ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ପଞ୍ଜାବକୁ ଆସ୍ପିରେସନାଲ୍‌ (ଆକାଂକ୍ଷୀ) ବର୍ଗରେ ସାମିଲ କରାଯାଇଛି। ସେମାନଙ୍କ ଆର୍ଥିକ ସ୍ଥିତିରେ ଯଥେଷ୍ଟ ଉନ୍ନତିର ଆବଶ୍ୟକତା ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button