ରାଜ୍ୟ

ନବ ଦାସ ହତ୍ୟା ମାମଲା: କୁଆଡ଼େ ଗଲା ଗୁଳି ବାଜିଥିବା‌ ସାର୍ଟ?

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ନୂଆ ନୂଆ‌ ଘଟଣା ସାମନାକୁ ଆସୁଛି। ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟକୁ କ୍ରାଇମ୍‌ବ୍ରାଞ୍ଚ କାହିଁକି ଜବତ କଲାନି ‌ବୋଲି ପ୍ରଶ୍ନ ଉଠିଥିବା ବେଳେ‌ ଆଜି ଜାତୀୟସ୍ତରର ଏକ ଖବରକାଗଜରେ ପ୍ରକାଶିତ ତଥ୍ୟକୁ ନେଇ ରହସ୍ୟ ଘନୀଭୂତ ହୋଇଛି। କୋଭିଡ୍‌ କଟକଣା ଯୋଗୁ ହସ୍ପିଟାଲ କର୍ତ୍ତୃପକ୍ଷ ନବ ଦାସଙ୍କ ପିନ୍ଧା ସାର୍ଟକୁ ପୋଡ଼ି ଦେଇଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଏ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିଥିବା ସମ୍ପୃକ୍ତ ଖବରକାଗଜ ବିଶେ‌ଷ ସୂତ୍ରରୁ ତଥ୍ୟ ପାଇଥିବା ଉଲ୍ଲେଖ ରହିଛି। ସେପଟେ, ଚାର୍ଜସିଟ୍‌ ଦାଖଲ ସମୟରେ କ୍ରାଇମ୍‌ବ୍ରାଞ୍ଚ ଏଭଳି କୌଣସି ତଥ୍ୟ ପ୍ରକାଶ କରିନଥିବା ‌ବେଳେ ଅତିରିକ୍ତ ଚାର୍ଜସିଟ୍‌ ମଧ୍ୟ ପ୍ରଦାନ କରିନି। ଏଭଳି ସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ କୋର୍ଟଙ୍କୁ ‌କେତେବେଳେ ତଥ୍ୟ ପ୍ରଦାନ କଲା, ‌ତାହା ସେ ଜାଣିନଥିବା ଅଭିଯୁକ୍ତ ଗୋପାଳ ଦାସର ଓକିଲ ନରେଶ ନାୟକ କହିଛନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷ ଯଦି କୋଭିଡ୍‌ କଟକଣା ଯୋଗୁ ଉକ୍ତ ସାର୍ଟ ପୋଡ଼ି ଦେଇଥିଲେ ତେବେ ତାହା କେଉଁ ହସ୍ପିଟାଲରେ ରହିଥିଲା, ତାକୁ ନେଇ ଏବେ ଦ୍ବନ୍ଦ୍ବ ଉପୁଜିଛି। କାରଣ ଗୁଳିବିଦ୍ଧ ପରେ ନବ ଦାସଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇଥିଲେ ହେଁ ଶ୍ରୀ ଦାସଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ଶବକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଏଭଳି ସ୍ଥିତିରେ ନବ ଦାସଙ୍କ ସାର୍ଟ କେଉଁ ହସ୍ପିଟାଲ କର୍ତ୍ତୃପକ୍ଷ ପୋଡ଼ିଲେ ତାହା ଏବେ ସ୍ପଷ୍ଟ ହୋଇପାରୁନି। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ନବ ଦାସ ପିନ୍ଧିଥିବା ରକ୍ତଲଗା ସାର୍ଟକୁ ହସ୍ପିଟାଲ କର୍ତ୍ତୃପକ୍ଷ ପୋଡ଼ି ଦେଇଥିବା ଉକ୍ତ ଖବରକାଗଜରେ ଦର୍ଶାଯାଇଛି। ନବ ଦାସଙ୍କ ଦେହାନ୍ତ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ହୋଇଥିବାବେଳେ ଏହାର ୪୦ ଦିନ ପୂର୍ବରୁ ଅର୍ଥା‌ତ୍‌ ୨୦୨୨ ମସିହା ନଭେମ୍ବର ୧୯ ତାରିଖରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସେହି ସମୟରୁ ହିଁ କୋଭିଡ୍‌ କଟକଣା ପ୍ରତ୍ୟାହାର କରାଯାଇଥିଲା। ଏଭଳି ସ୍ଥିତିରେ କଟକଣା ପ୍ରତ୍ୟାହାର ହେବା ପରେ ବି ସମ୍ପୃକ୍ତ ହସ୍ପିଟାଲରେ କିଭଳି ଉକ୍ତ କଟକଣା ଲାଗୁ ହୋଇଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ କିଛିଦିନ ‌ହେବ ନବ ଦାସ ହତ୍ୟା ମାମଲାକୁ ନେଇ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଉପରେ ଅଙ୍ଗୁଳି ଉଠିଥିବା ବେଳେ ବିଧିବଦ୍ଧ ଭାବେ କ୍ରାଇମ୍‌ବ୍ରାଞ୍ଚ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖୁନି। କିନ୍ତୁ ବିବାଦରୁ ଖସିବାକୁ ଯାଇ ଦେଉଥିବା ଉତ୍ତର ଏବେ କ୍ରାଇମ୍‌ବ୍ରାଞ୍ଚର ଅଡ଼ୁଆକୁ ଅଧିକ ବଢ଼ାଇ ଦେଇଥିବା ଅଭିଯୋଗ ହେଲାଣି।

ପରିବାର ଲିଖିତ ଜଣାଇଲେ ପୁନଃତଦନ୍ତ ହେବ: କ୍ରାଇମବ୍ରାଞ୍ଚ

କଟକ: ନବଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ଉଠୁଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ କ୍ରାଇମବ୍ରାଞ୍ଚ କାଠଗଡ଼ାରେ ଛିଡ଼ା ହୋଇଛି। ଘଟଣାର ତଦନ୍ତକାରୀ ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଭୂମିକା ଏବେ ଅଧିକ ସନ୍ଦେହ ସୃଷ୍ଟି କରିଛି। ଏଭଳି ସ୍ଥିତିରେ କ୍ରାଇମବ୍ରାଞ୍ଚର ଖାମଖିଆଲି ତଦନ୍ତକୁ ଦାୟୀ କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ସୋମବାର ସଫେଇ ଦେଇଛି। ହତ୍ୟାକାଣ୍ଡର ତଦନ୍ତ ସରିଥିବା ବେଳେ ସମସ୍ତ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ ହୋଇଥିବା କ୍ରାଇମବ୍ରାଞ୍ଚ କହିଛି।

ନବ ଦାସଙ୍କ ହତ୍ୟା ମାମଲାରେ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ଏହି ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଂଗ ପାଲଟିଛି। ୨୦୨୩ ଜାନୁଆରି ୨୯ରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ହତ୍ୟାକାଣ୍ଡ ସମୟରେ ନବ ଦାସଙ୍କ ନିକଟରେ ଥିବା ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ, ସିଦ୍ଧାର୍ଥନାଥ ଶର୍ମା, ଦ୍ବାରିକାନାଥ ପଣ୍ଡା ତାଙ୍କୁ ପଛ ସିଟରେ ଶୁଆଇ ଦେଇଥିଲେ। ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ଶ୍ରୀ ପଟ୍ଟନାୟକଙ୍କ ସାର୍ଟରେ ରକ୍ତ ଲାଗିଥିବା ବେଳେ ୨୦୨୩ ଫେବ୍ରୁଆରି ୩ରେ ସାକ୍ଷୀଙ୍କ ସିଆରପିସିର ଧାରା ୧୬୧ରେ ବୟାନ ରେକର୍ଡ ସମୟରେ ଶ୍ରୀ ପଟ୍ଟନାୟକ ତାଙ୍କ ଧଳା ରଙ୍ଗର ସାର୍ଟକୁ କ୍ରାଇମବ୍ରାଞ୍ଚରେ ଦାଖଲ କରିଥିଲେ। ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷୀଙ୍କ ଉପସ୍ଥିତିରେ ଏହାକୁ ଜବତ କରିଥିଲେ। କିନ୍ତୁ ଭିଡିଓର ହଳଦିଆ ସାର୍ଟ ଥିବା ଶ୍ରୀ ପଟ୍ଟନାୟକଙ୍କ ସାର୍ଟ ଦାଖଲ ସମୟରେ ଧଳା କେମିତି ହୋଇଗଲା ବୋଲି ଏବେ ପ୍ରଶ୍ନ ଉଠିଛି।

ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରିରୁ ମିଳିଥିବା ରିପୋର୍ଟରେ ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ଗୁଳି ମାଡ଼ ହୋଇଥିଲା। ତେଣୁ ନବ ଦାସଙ୍କୁ ଗୋପାଳ ମାରିଛି କି ଆଉ କିଏ ମାରିଛି, ତାହାକୁ ନେଇ ବି ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଏତେସବୁ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ କ୍ରାଇମବ୍ରାଞ୍ଚର ଭୂମିକାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରିବାର ଲୋକେ ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚରେ ଲିଖିତ ଭାବେ ଜଣାଇଲେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ବିଚାର କରାଯିବ। ପୁନଃତଦନ୍ତ ପାଇଁ ଏଯାଏଁ କୌଣସି ନିଷ୍ପତ୍ତି ହୋଇନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button