କିଏ ହେବେ ମୁଖ୍ୟ ସଚିବ? ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି ଚର୍ଚ୍ଚା
ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହେବ କି? ନା ଆଉ କାହା ମୁଣ୍ଡରେ ଶିରପା ବନ୍ଧା ହେବ? ଜଣେ ଅଣଓଡ଼ିଆ ନା ଓଡ଼ିଆ ଏଥର ପ୍ରଶାସନର ଏହି ସର୍ବୋଚ୍ଚ ପଦବିରେ ବସିବେ?
ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଚଳିତ ମାସ ୩୧ ତାରିଖରେ ଚାକିରିରୁ ଅବସର ନେବେ। ସେଥି ପାଇଁ ଏପରି ପ୍ରଶ୍ନ କ୍ଷମତା କରିଡରରେ ଉଙ୍କି ମାରୁଛି। ଦିଲ୍ଲୀରେ ବି ଓଡ଼ିଶା ମୁଖ୍ୟସଚିବ ନିଯୁକ୍ତି ଚର୍ଚ୍ଚା। ହେଲେ କେନ୍ଦ୍ର ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସତର୍କତାର ସହ ଗୋଟିଚାଳନା ଆରମ୍ଭ କରିଛନ୍ତି। ନୂଆ ସରକାର ଆସିଲା ପରେ ଗୋଟିଏ କଥା ସ୍ପଷ୍ଟ ଯେ ମୁଖ୍ୟ ସଚିବ କିଏ ହେବ, ସେ ନିଷ୍ପତ୍ତିରେ ରାଜ୍ୟ ବିଜେପି କି ରାଜ୍ୟ ସରକାରଙ୍କର ବିଶେଷ ଭୂମିକା ନାହିଁ। ନୂଆଦିଲ୍ଲୀ ବିଶେଷ କରି ପିଏମ୍ଓରୁ ହିଁ ଏହି ନିଷ୍ପତ୍ତି ନିଆଯିବ। ସେଥି ପାଇଁ ରାଜ୍ୟ ବିଜେପି ପାଖରେ ଏ ସଂକ୍ରାନ୍ତ ବିଶେଷ ଖବର ନାହିଁ। ପ୍ରାଶାସନିକ କରିଡ଼ରର କ୍ଷମତାଶାଳୀ ଗୋଷ୍ଠୀ ବି କୌଣସି ଟେର୍ ପାଉନାହାନ୍ତି। ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା ଅଧିକ ବୋଲି ଗୋଟିଏ ଗୋଷ୍ଠୀ ଚର୍ଚ୍ଚା କରୁଛନ୍ତି।
ସେମାନଙ୍କ ଯୁକ୍ତି ହେଉଛି, ନୂଆ ସରକାର ଆସିଲା ପରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଶ୍ରୀ ଆହୁଜାଙ୍କୁ ଅତର୍କିତ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଏ ଦୌଡ଼ରେ ନ ଥିଲେ। ଏ କ୍ଷେତ୍ରରେ ସେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବଡ଼ ଭୂମିକା ଥିଲା ବୋଲି କୁହାଗଲା। ମାତ୍ର ୬ ମାସ ପାଇଁ ଏହି ଗୁରୁ ଦାୟିତ୍ବ ତାଙ୍କୁ ଦିଆଯାଇଛି, ଏକଥା ଏହି ଗୋଷ୍ଠୀ ବିଶ୍ବାସ କରିବାକୁ ନାରାଜ। ଚାକିରି କାର୍ଯ୍ୟକାଳ ସମ୍ପ୍ରସାରଣ ପ୍ରତିଶ୍ରୁତି ମିଳିଥିବା କୁହାଯାଉଛି। ପାଖାପାଖି ୪୦ ବର୍ଷ ପରେ ଜଣେ ଅଣଓଡ଼ିଆ ଆଇଏଏସ୍ ଅଧିକାରୀ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଏମିତିରେ ବି ଏହି ଛଅ ମାସ ଭିତରେ ଶ୍ରୀ ଆହୁଜା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଡ୍ ବୁକ୍ରେ ରହିଛନ୍ତି।
ବର୍ତ୍ତମାନ ଓଡ଼ିଶା କ୍ୟାଡରର ଆଇଏଏସଙ୍କ ସ୍ଥିତି ଦେଖିଲେ ୧୯୯୦ ବ୍ୟାଚର ଅଧିକାରୀ ଶ୍ରୀ ଆହୁଜାଙ୍କ ଠାରୁ ବରିଷ୍ଠ ହେଉଛନ୍ତି ତୁହିନକାନ୍ତ ପାଣ୍ଡେ। ସେ ୨୦୨୫ ଜୁଲାଇରେ ଅବସର ନେବେ। ଶ୍ରୀ ପାଣ୍ଡେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଏବଂ ଓଡ଼ିଶା ଫେରିବାର ସମ୍ଭାବନା ନାହିଁ। ୧୯୯୦ ବ୍ୟାଚ୍ରେ ଶ୍ରୀ ଆହୁଜାଙ୍କ ବାଦ୍ ଆଉ ତିନି ଜଣ ଅଧିକାରୀ ଅଛନ୍ତି। ସେମାନେ ହେଲେ ନୀତିନ ଚନ୍ଦ୍ରା, ସଞ୍ଜୀବ ଚୋପ୍ରା ଓ ଜି ଶ୍ରୀନିବାସ। ସମସ୍ତେ ଏବେ କେନ୍ଦ୍ରୀୟ ଡେପୁଟେସନରେ।
ଏହା ପରେ ତାଲିକାରେ ଅଛନ୍ତି ୧୯୯୧ ବ୍ୟାଚ୍ର ଅନୁ ଗର୍ଗ, ସତ୍ୟବ୍ରତ ସାହୁ ଓ ସଞ୍ଜୟ ରସ୍ତୋଗୀ। ଏମାନଙ୍କ ମଧ୍ୟରୁ ଶ୍ରୀ ରସ୍ତୋଗୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଶ୍ରୀମତୀ ଗର୍ଗ ବିଜେଡି ସରକାର ସମୟରେ ଉନ୍ନୟନ କମିସନର ଭାବେ ନିଯୁକ୍ତି ପାଇଥିଲେ ଏବଂ ବର୍ତ୍ତମାନର ସରକାର ତାଙ୍କୁ ସେହି ପଦବିରୁ କାଢ଼ି ନାହାନ୍ତି। ତେବେ ଶ୍ରୀମତୀ ଗର୍ଗ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବାକୁ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ସେଠାରେ ତାଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ସେ ଓଡ଼ିଶା ଛାଡ଼ି ଯାଇପାରୁ ନାହାନ୍ତି। ଏହି ବ୍ୟାଚର ଶ୍ରୀ ସାହୁ ଏବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସମ୍ଭାବ୍ୟ ମୁଖ୍ୟ ଶାସନ ସଚିବ ଚର୍ଚ୍ଚାରେ ତାଙ୍କ ନାମ ରହିଛି।
ଯଦି ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି ନହୁଏ, ତେବେ ୧୯୯୦ ଓ ୧୯୯୧ ବ୍ୟାଚର ଅଧିକାରୀଙ୍କ ମଧ୍ୟରୁ ଜଣେ କିଏ ମୁଖ୍ୟ ଶାସନ ସଚିବ ହେବା ଥୟ। ଯଦି ଓଡ଼ିଆ ଅଧିକାରୀଙ୍କୁ ଏହି ଶୀର୍ଷ ପଦବି ଦେବାକୁ ନିଷ୍ପତ୍ତି ନିଆଯାଏ, ତେବେ ଏହି ଦୁଇଟି ବ୍ୟାଚରେ କେବଳ ସତ୍ୟବ୍ରତ ସାହୁଙ୍କ ନାମ ଆସିବ। ଆସନ୍ତା ସପ୍ତାହରେ ଏ ନେଇ ସ୍ପଷ୍ଟ ସୂଚନା ମିଳିବ।