ରାଜନୀତି

ପ୍ରତାପ ଦେବ ବିଜେଡିର ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ସାଂଗଠନିକ ନିର୍ବାଚନ ପାଇଁ ବିଜେଡିର ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି କରିଛନ୍ତି। ଆଜି ଏ ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ଶ୍ରୀ ଦେବ ପୂର୍ବରୁ ଦୁଇ ଥର ବିଜେଡିର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳର ସମ୍ବିଧାନ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଥରେ ବିଜେଡିର ସାଂଗଠନିକ ନିର୍ବାଚନ ହେବା କଥା। ୨୦୨୦ ମସିହାରେ ସାଂଗଠନିକ ନିର୍ବାଚନ କରାଯାଇ ନବୀନ ପଟ୍ଟନାୟକଙ୍କୁ ଲଗାତାର ଅଷ୍ଟମ ଥର ପାଇଁ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରାଯାଇଥିଲା। ପରେ କରୋନା ପାଇଁ ୨୦୨୪ ଯାଏ ନିର୍ବାଚନ ହୋଇ ନଥିଲା। ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ସାଂଗଠନିକ ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ଠାରୁ ଆଉ ଗୋଟିଏ ବର୍ଷ ଅତିରିକ୍ତ ସମୟ ମଗାଯାଇଥିଲା। ସେହି ଅନୁଯାୟୀ ଏବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଗତ ଜୁଲାଇ ମାସରେ ସଭାପତି ନବୀନ ପଟ୍ଟନାୟକ ସବୁ କମିଟିକୁ ଭାଙ୍ଗି ଦେଇଥିଲେ। ତାହା ପରେ ନୂଆ ନିଯୁକ୍ତି ଦିଆଯାଇ ନଥିଲା। ଏବେ ସାଂଗଠନିକ ନିର୍ବାଚନ ପରେ କମିଟିଗୁଡ଼ିକ ପୁନର୍ଗଠନ ହେବ। ଏବେ ଦଳ କ୍ଷମତାରୁ ଚାଲିଯାଇଥିବାରୁ ସାଂଗଠନିକ ପଦପଦବିରେ କାହାକୁ ଗୁରୁତ୍ବ ମିଳୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button