ରାଜ୍ୟ

ହୁଗୁଳି ଗଲାଣି ରାଜଧାନୀ ଟ୍ରାଫିକ୍‌: ଜାତୀୟ ରାଜପଥରେ ବାଟ ଓଗାଳୁଛି ବସ୍‌

ଭୁବନେଶ୍ବର: କେବଳ ରାତିରେ, ପର୍ବପର୍ବାଣୀରେ କିମ୍ବା ବଡ଼ବଡ଼ିଆଙ୍କ ଗସ୍ତ ସମୟରେ ନୁହେଁ, ବରଂ ସାଧାରଣ ଦିନରେ ବି ଘରୁ ବାହାରିବା କଷ୍ଟକର ହେଲାଣି। ରାଜଧାନୀ ଟ୍ରାଫିକ୍‌ ବ୍ୟବସ୍ଥା ହୁଗୁଳି ଗଲାଣି। ଥରେ ଘରୁ ବାହାରିଗଲେ କେତେବେ‌ଳେ ପହଞ୍ଚିବ ଠିକଣା ନାହିଁ। ଆମ୍ବୁଲାନ୍ସ୍‌ ହେଉ କି ଦମକଳ, କେହି ବି ଏହି କଷ୍ଟରୁ ନିସ୍ତାର ପାଉନାହାନ୍ତି। ବର୍ଷା ବେଳେ ଯଦି ଟ୍ରାଫିକ୍‌ରେ ଫସିଲ ତେବେ ଗାଡ଼ି ସହ ଭାସିଯିବା ଅସମ୍ଭବ ନୁହେଁ। ଦିନକୁ ଦିନ ଏହି ଯନ୍ତ୍ରଣା ବଢ଼ିବଢ଼ି ଚାଲିଥିବା ବେଳେ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ବି ହାତ‌ ଟେକି ଦେଇଛି। ଟ୍ରାଫିକ୍‌ ଡିସିପି ପଦ ଏକ ପ୍ରକାର ଥଇଥାନ କେନ୍ଦ୍ର ପାଲଟିଛି। କମ୍‌ ସମୟ ବ୍ୟବଧାନରେ ଅଧିକାରୀ ବଦଳିଯାଉଥିବାରୁ ଯୋଜନା ନାଲି ଫିତା ତଳେ ରହିଯାଉଛି। ଆଗକୁ ନୂଆବର୍ଷ, ପ୍ରବାସୀ ଭାରତୀୟ ସମ୍ମିଳନୀ ଆସୁଛି। ଏବେଠୁ ନ ସୁଧୁରିଲେ  ସମସ୍ତେ ନାକରେ କାନ୍ଦିବା ଥୟ ହୋଇଛି।

ଜାତୀୟ ରାଜପଥରେ ବାଟ ଓଗାଳୁଛି ବସ୍‌
ଭୁବନେଶ୍ବର ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଜାମ୍‌ ହେଲେ ସାରା ସହର ପ୍ରଭାବିତ ହେଉଛି। ପଳାସୁଣୀ ଠାରୁ ଆରମ୍ଭ କରି ବରମୁଣ୍ଡା ଓ ବରମୁଣ୍ଡାରୁ ପଳାସୁଣୀ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଲମ୍ବା ଲାଇନ୍‌ରେ ବହୁ ସମୟ ଧରି ବସ୍‌ ଛିଡ଼ା ହୋଇ ରହୁଛନ୍ତି। ନିଜ ଭିତରେ ପ୍ରତିଯୋଗିତା କରି ରାସ୍ତାକୁ ଏଭଳି କବ୍‌ଜା କରୁଛନ୍ତି। ଅନ୍ୟ ଗାଡ଼ିକୁ ବାଟ ଛାଡ଼ୁ ନଥିବାରୁ ରାଜପଥ ଉପରେ ଗାଡ଼ି ଧାଡ଼ି ହୋଇ ଛିଡ଼ା ହେଉଛି। ଗୋଟିଏ ଗୋଟିଏ ଛକରେ ୫ଟି ବସ୍‌ ରାସ୍ତାର ଦୁଇ ଲେନ୍‌ ଦଖଲ କରୁଛନ୍ତି। ୪ ବର୍ଷ ତଳେ ବସ୍‌ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଥିଲା‌। ହେଲେ ଟ୍ରାଫିକ୍‌ ମୁଖିଆ ବଦଳିବା‌ ପରେ ଆଉ କେହି ମାନୁ ନାହାନ୍ତି। ସହର ଭିତରେ ଓ ଏନ୍‌ଏଚ୍‌ କଡ଼ରେ ବସ୍‌ଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ କରିବାକୁ ବିଡିଏ ଏକ ଘରୋଇ ସଂସ୍ଥା ଜରିଆରେ ସର୍ଭେ କରିଥିଲା। ସର୍ଭେରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଖର୍ଚ୍ଚ କରି ରିପୋର୍ଟ ପ୍ରସ୍ତୁତ କରିଥିଲା। ହେଲେ ତାହା କାର୍ଯ୍ୟକାରୀ ହେଉନାହିଁ। ଯିଏ ଯେଉଁଠି ପାରୁଛି ବସ୍‌ ଛିଡ଼ା କରୁଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି।

କାଳ ହୋଇଛି ରଙ୍ଗ୍‌ରୁଟ୍‌ ଚାଳନା

ରଙ୍ଗରୁଟ୍‌ରୁ ଗାଡ଼ିଚାଳନା ଖଣ୍ଡଗିରି ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। କଳିଙ୍ଗ ବିହାର ଛକରୁ ରେଗାଲିଆ ମଲ୍‌ ଆଡ଼କୁ ରଙ୍ଗରୁଟ୍‌ରେ ଯାଉଥିବାରୁ  ଦୁର୍ଘଟଣା ଘଟୁଛି। ଥରେ ଦୁର୍ଘଟଣା ଘଟିଲେ ଘଣ୍ଟାଏ ପର୍ଯ୍ୟନ୍ତ ଜାମ୍‌ ହୋଇଯାଉଛି। କେହି ଜଗିବାକୁ ନାହାନ୍ତି। ଦିନେ ହେଲେ କେହି ଏଠାରେ ଟ୍ରାଫିକ୍‌ ପୁଲିସ ଦେଖିନାହାନ୍ତି। ଅନୁରୂପ ଭାବେ ଡୁମୁଡୁମା ଅଣ୍ଡରପାସ୍‌, ଖଣ୍ଡଗିରିବାରି ରାସ୍ତା, ତପୋବନରୁ ବରମୁଣ୍ଡା, ଜାଗମରାରୁ ଖଣ୍ଡଗିରି ଛକ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ରାସ୍ତା ଉପରେ ବସ୍‌ ପାର୍କିଂ ଟ୍ରାଫିକ୍‌ ଜାମ୍‌ର ଆଉ ଏକ ମୁଖ୍ୟ କାରଣ। ସର୍ଭିସ୍‌ ରୋଡ୍‌ରେ ଘଣ୍ଟାଘଣ୍ଟା ଅଟକି ରହୁଥିବାରୁ ଜାମ୍‌ ହେଉଛି। ଏହାର ସୁପରିଚାଳନା ପାଇଁ କର୍ମଚାରୀ ଥିଲେ ମଧ୍ୟ ହାତଗୁଞ୍ଜା ନେଇ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button