ଦୁର୍ନୀତିଗ୍ରସ୍ତ କୌଣସି ଅଧିକାରୀଙ୍କୁ ଘଣ୍ଟ ଘୋଡ଼ା ଯିବ ନାହିଁ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮/୧୦ : ଲୋକସେବା ଭବନରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀମାନଙ୍କୁ ଦୁର୍ନୀତି ବିରୋଧରେ ଶପଥ ପାଠ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଦୁର୍ନୀତି ଖୋର ଯେତେ ବଡ଼ ହୋଇଥିଲେ ବି ତାର ଦୁଇଟି ସ୍ଥାନ ରହିଛି । ଗୋଟିଏ ହେଉଛି ଜେଲ ଏବଂ ଆଉ ଗୋଟିଏ ହେଉଛି ବିଦେଶ । ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବ । କୌଣସି ଅଧିକାରୀଙ୍କୁ ଘଣ୍ଟ ଘୋଡ଼ା ଯିବ ନାହିଁ ।
ଦୁର୍ନୀତି ଏକ ମଧୁମେହ ରୋଗ । ଯେଉଁ ସ୍ଥାନରେ କ୍ଷତ ହେଲେ ସେହି ସ୍ଥାନକୁ କାଟି ବାହାର କରି ଦିଆଯାଏ, ସେହିପରି ଯେଉଁଠି ଦୁର୍ନୀତି ହେବ ମଧୁମେହ ପରି ସମ୍ପୃକ୍ତ ସ୍ଥାନକୁ କାଟି ବାହାର କରି ଦିଆଯିବ ଅର୍ଥାତ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ବାହାର କରି ଦିଆଯିବ । ବିଗତ ୪ ମାସ ମଧ୍ୟରେ ୬ ମୁଖ୍ୟ ଯନ୍ତ୍ରୀଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । ସେମାନଙ୍କଠାରୁ ଭୁବନେଶ୍ୱର ଓ ବିଭିନ୍ନ ଜିଲ୍ଲାରେ ଥିବା ୨୩୩ ପ୍ଲଟ୍, ରାଜ୍ୟ ଓ ରାଜ୍ୟ ବାହାରେ ଥିବା ୩୨ଟି କୋଠା, ୬ କେଜି ସୁନା, ୨୧ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା, ୧୦ କୋଟିରୁ ଉର୍ଦ୍ଧ୍ୱ ଜମା ରାଶି ଜବତ କରାଯାଇଛି ।
ସାଧାରଣ ଜନତାଙ୍କ ଟଙ୍କାରେ ଡର୍ଜନ ଡର୍ଜନ କୋଠା, ମହଣ ମହଣ ସୁନା ମିଳିଛି । ବାଟ ମାରଣା ହୋଇ ଟଙ୍କା କାହା ପାଖକୁ ଯାଉଥିଲା ତାହା କାହାକୁ ଅଛପା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ ଜଣେ ଅବକାରୀ ବିଭାଗର ଯୁଗ୍ମ ସଚିବ, ସିଟି ଆଣ୍ଡ ଜିଏସଟି ଆସିଷ୍ଟାଣ୍ଟ କମିଶନର, ଜଣେ ଓଏସଆରଟିସି ଅଧିକାରୀ, ୨ ବିଡିଓ, ୨ ଜଣ ତହସିଦାର, ଜଣେ ଜେଲ ଅଧିକ୍ଷକ, ଜଣେ ଫରେଷ୍ଟ ଅଧିକାରୀ, ଜଣେ ଡାକ୍ତର ଏବଂ ୭ ଜଣ ପୁଲିସ ଅଧିକାରୀ ଆଦିଙ୍କୁ ଗିରଫ କରାଯାଇଛି । କେବଳ ଏତିକି ନୁହେଁ ଆଗକୁ ଅନେକ ଏମିତି ଧରା ହେବେ ବୋଲି ଶ୍ରୀ ମାଝୀ କହିଛନ୍ତି । ଦୁର୍ନୀତି ବିରୋଧରେ ଲଢ଼େଇ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯିବ ।