ସହକାରୀ ଶିକ୍ଷକ ଅନୁପସ୍ଥିତ, ବିଭାଗ ପାଖରେ ନାହିଁ ଖବର
ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଅନକାବେଡ଼ା ପଞ୍ଚାୟତର ନୂଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଷ୍ଠୁ ପ୍ରସାଦ ଚମ୍ପତ ଗତ ୬ ତାରିଖ ଠାରୁ ଅସୁସ୍ଥତାର ଆଳ ଦର୍ଶାଇ ଛୁଟି ନେଇ ବର୍ତ୍ତମାନ ସୁଦ୍ଧା ଯୋଗଦେଇ ନାହାନ୍ତି। ଫଳରେ ବିଦ୍ୟାଳୟରେ ଶିକ୍ଷାଦାନରେ ବାଧା ପହଞ୍ଚିଛି। ଏନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୁଷ୍ଟ ଦେଖା ଦେଇଛି। ଶିକ୍ଷକଙ୍କ ଅନୁପସ୍ଥିତକୁ ନେଇ ପ୍ରଧାନଶିକ୍ଷକ ଇନ୍ଦ୍ରମୋହନ କେଉଟ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ସିଆରସିସିଙ୍କୁ ନଜଣାଇ କାର୍ଯ୍ୟରେ ଅବହେଲା କରିଥିବା ଶିକ୍ଷକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ପ୍ରଧାନଶିକ୍ଷକଙ୍କ ଭୂମିକାକୁ ନେଇ ଏଠାରେ ଏକ ବିରାଟ ପ୍ରଶ୍ନବାଚୀ ଦେଖା ଦେଇଛି। ଏ ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ଏହି ଖବର ପଢ଼ନ୍ତୁ: ଝରିଗାଁ ବ୍ଲକର ସମସ୍ତ ଧାନମଣ୍ଡିରେ ଅଚଳାବସ୍ଥା ଜାରି
ନୂଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ୯୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ପ୍ରଧାନଶିକ୍ଷକ ସମେତ ୫ ଜଣ ଶିକ୍ଷକ ଅଛନ୍ତି। ବିଷ୍ଣୁ ପ୍ରସାଦ ଚମ୍ପତ ୨୦୧୮ ମସିଆ ଏପ୍ରିଲ ୩ ତାରିଖରେ ନୂଆପଡା ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ ଯୋଗ ଦେଇଥିଲେ। ଚଳିତ ବର୍ଷ ମୋହରା ଯାଦବ ମାଝି ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନଥିବାରୁ ତାଙ୍କୁ ସପ୍ତାହରେ ଦୁଇ ଦିନ (ବୁଧବାର ଓ ଗୁରୁବାର) ପାଠ ପଢାଇବାକୁ ବିଭାଗ ତରଫରୁ ନିର୍ଦ୍ଦେଶ ରହିଛି। ଶ୍ରୀ ଚମ୍ପତ ଗତ ୬ ଓ ୭ ତାରିଖ ଦୁଇଦିନ ଅସୁସ୍ଥତା କହି ଛୁଟି ଦରଖାସ୍ତ ନୂଆପଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ର ମୋହନ କେଉଟଙ୍କୁ ପ୍ରଦାନ କରିଛନ୍ତି ଓ ସେହି ଦିନ ଠାରୁ ସ୍କୁଲ ଆସିନଥିବା ପ୍ରଧାନଶିକ୍ଷକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। କିନ୍ତୁ ଉକ୍ତ ଶିକ୍ଷକଙ୍କ ଉପସ୍ଥାନ ବହିରେ ପ୍ରଧାନଶିକ୍ଷକ ଗତ ୬ ତାରିଖରୁ ଆଜି ପର୍ଯ୍ୟନ୍ତ ସିଏଲ ବୋଲି ଉଲ୍ଲେଖ କରିଛନ୍ତି। ଶ୍ରୀ ଚମ୍ପତ ପ୍ରଧାନଶିକ୍ଷକଙ୍କୁ ୭ ତାରିଖ ପରଠୁ ଛୁଟି ଆବେଦନ କରିନଥିଲେ ହେଁ ସେ କିଭଳି ତାଙ୍କ ଉପସ୍ଥାନ ବହିରେ ସିଏଲ ଉଲ୍ଲେଖ କରିଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସହକାରୀ ଶିକ୍ଷକ ଶ୍ରୀ ଚମ୍ପତ ତାଙ୍କ ଡେପୁଟଟେସନ ହୋଇଥିବା ମୋହରା ବାଳିକା ଉଚ୍ଚ ବିଦ୍ୟାଳୟରେ ୪ ଏବଂ ୫ ତାରିଖରେ ଅସୁସ୍ଥତା ଏବଂ ୧୧, ୧୮, ୧୯ ତାରିଖରେ ନିଜର ବିବାହ ରହିଥିବା ଦର୍ଶାଇ ଯାଦବ ମାଝୀ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କୁ ଗତ ୪ ତାରିଖ ଦିନ ଛୁଟି ଦରଖାସ୍ତ ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଯୋଜନାବଦ୍ଧ ଭାବେ ମାଓନେତା ଦସରୁକୁ ହତ୍ୟା କରିଛି ପୁଲିସ
ଗୋଟିଏ ପଟେ ଅନୁପସ୍ଥିତ ଶିକ୍ଷକଙ୍କୁ ସୁରକ୍ଷା ଦେବା ସକାଶେ ପ୍ରଧାନଶିକ୍ଷକ ଇନ୍ଦ୍ରମୋହନ କେଉଟ ଶିକ୍ଷକ ଉପସ୍ଥାନ ଖାତାରେ ଅନୁପସ୍ଥିତ ଜାଗାରେ ସିଏଲ ପକାଇଛନ୍ତି। ବିଦ୍ୟାଳୟର ଶିକ୍ଷକ ଉପସ୍ଥାନ ଖାତା ଗଣମାଧ୍ୟମ ହାତରେ ଲାଗିବା ପରେ ଅନୁପସ୍ଥିତ ଶିକ୍ଷକ ଏବଂ ପ୍ରଧାନଶିକ୍ଷକଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ସାମ୍ନାକୁ ଆସିଛି। ଶିକ୍ଷକ ବିଷ୍ଣୁପ୍ରସାଦ କୌଣସି ସିଏଲ ପାଇଁ ଏଚ୍ଆର୍ଏମ୍ଏସ୍ ଆବେଦନ କରି ନ ଥିବା ନେଇ ଏବିଇଓ ପ୍ରେମଚାନ୍ଦସିଂ ଧରୁଆ ପ୍ରକାଶ କରିଥିବା ବେଳେ ଉକ୍ତ ଶିକ୍ଷକଙ୍କ ଛୁଟି ଦରଖାସ୍ତକୁ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଅନୁମୋଦନ କରିନାହାନ୍ତି। ନୂଆପଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ର ମୋହନ କେଉଟଙ୍କୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସେ ଏବିଇଓ ଶ୍ରୀ ଧୁରୁଆ ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ନୂଆବର୍ଷରୁ ଇଲେକ୍ଟ୍ରିକ ସ୍କୁଟରର ମୂଲ୍ୟ ବଢାଇବ ଆଥର୍
ଶିକ୍ଷକଙ୍କ ଅନୁପସ୍ଥିତ ବାବଦରେ ପ୍ରଧାନଶିକ୍ଷକ ଶ୍ରୀ କେଉଟଙ୍କୁ ପଚାରିବାରୁ ସେ ସିଆରସିସିଙ୍କୁ ଜଣାଇଛି ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ଏବାବଦରେ ସିଆରସିସି ବୀରବର ପଣ୍ଡାଙ୍କୁ ପଚାରିବାରୁ କଥାକୁ ଅସ୍ୱୀକାର କରିବା ସହ ସେ ଏକ ମାସ ହେବ ବିଦ୍ୟାଳୟ ପରିଦର୍ଶନରେ ଯାଇ ନଥିବା ପ୍ରକାଶ କରିଛନ୍ତି। ଏ ଦିଗରେ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରା ଯାଇଛି।