ଏମ୍ଭି ଗାଁକୁ ମିଳିବ ନୂଆ ନାଁ: ସରକାର ପୂରଣ କରିବେ ନିର୍ବାଚନୀ ପ୍ରତିଶ୍ରୁତି
ମାଲକାନଗିରି: ୬୦ବର୍ଷ ପରେ ନୂଆ ପରିଚୟ ପାଇବ ମାଲକାନଗିରି ଜିଲ୍ଲାର ଏମ୍ଭି ଗାଁ। ଆଉ ନମ୍ବର ନୁହେଁ, ନାଁରେ ଗାଁକୁ ଚିହ୍ନଟ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନ ଆଲୋଚନା କରୁଛି। ଲୋକଙ୍କ ମତ ଅନୁସାରେ ନାଁ ଦେବାକୁ ସରକାରଙ୍କୁ ସୁପାରିସ କରାଯିବ ବୋଲି ସୂଚନା ମିଳିଛି।
ଗୃହଯୁଦ୍ଧ ଯୋଗୁଁ ବାଂଲାଦେଶରୁ ବିସ୍ଥାପିତ ହୋଇଥିଲେ ଲକ୍ଷ ଲକ୍ଷ ପରିବାର। ସେହି ପରିବାରଙ୍କୁ ତତ୍କାଳୀନ କେନ୍ଦ୍ର ସରକାର ଭାରତରେ ଶରଣ ଦେଇଥିଲେ। ଏହିକ୍ରମରେ ମାଲକାନଗିରି ଜିଲ୍ଲାରେ ହଜାର ହଜାର ପରିବାର ଥଇଥାନ ହୋଇଥିଲେ। ଜମି ଯୋଗାଇ ଦେଇ ବସତି ସ୍ଥାପନ କରିବା ପରେ ଗାଁକୁ ନାଁ ବଦଳରେ ନମ୍ବର ଦେଇଥିଲେ ସରକାର। ତେଣୁ ଗାଁଗୁଡ଼ିକୁ ମାଲକାନଗିରି ଭିଲେଜ୍ (ଏମ୍ଭି) ଏବଂ ମାଲକାନଗିରି ପୋଟେରୁ ଭିଲେଜ୍ (ଏମ୍ପିଭି) ବୋଲି କୁହାଗଲା। ପ୍ରତ୍ୟେକ ଗାଁକୁ ଗୋଟିଏ ଗୋଟିଏ ନମ୍ବର ମିଳିଲା। ବର୍ତ୍ତମାନ ଜିଲ୍ଲାରେ ୨୧୪ଟି ଏମ୍ଭି ଗ୍ରାମ ରହିଛି। ନମ୍ବର ବଦଳରେ ନାଁ ଦେବାକୁ ଗ୍ରାମବାସୀ ବହୁ ବର୍ଷ ହେଲା ଦାବି କରିଆସୁଥିଲେ।
ଗାଁର ନାଁ ପାଇଁ ଲୋକଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ରହିଥିଲା। ଯାହାକୁ ଗତ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ କରିଥିଲା ବିଜେପି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଏବଂ ଜାତୀୟସ୍ତରର ନେତା ଲୋକଙ୍କ ଦାବିକୁ ସମ୍ମାନ ମିଳିବ। ଗାଁକୁ ନୂଆ ନାଁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଅନେକ ଗାଁକୁ ରାଜସ୍ବ ମାନ୍ୟତା ଦିଆଯିବ ବୋଲି କହିଥିଲେ। ବିଜେପି ସରକାରକୁ ଆସିବା ପରେ ମାଲକାନଗିରି ଜିଲ୍ଲାକୁ ଦୁଇଥର ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ ଦାବି ପୂରଣ ହେବ ବୋଲି କହିଥିଲେ। ତେଣୁ ନିର୍ବାଚନର ୬ମାସ ପରେ ଏ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁ ଗାଁର କ’ଣ ନାଁ ରହିବ ସେଥିପାଇଁ ପ୍ରଶାସନ ସିଧାସଳଖ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛି।
ଯେମିତି ଏମ୍ଭି-୧ ଗାଁକୁ ଗୌରାଙ୍ଗପୁର, ଏମ୍ଭି-୨ ଗାଁକୁ ମାଧବପୁର, ଏମ୍ଭି-୩ ଗାଁକୁ ଠାକୁରପାଲୀ, ଏମ୍ଭି-୪ ଗାଁକୁ ଶ୍ୟାମପୁର, ଏମ୍ଭି-୫ ଗାଁକୁ ଜଗତପାଲୀ, ଏମ୍ଭି-୬ ଗାଁକୁ ରାମଗୁଡା, ଏମ୍ଭି-୭ ଗାଁକୁ ଜଗନ୍ନାଥପାଲୀ, ଏମ୍ଭି-୮ ଗାଁକୁ ରବୀନ୍ଦ୍ରନଗର, ଏମ୍ଭି-୯ ଗାଁକୁ ବିବେକାନନ୍ଦପାଲୀ, ଏମ୍ଭି-୧୦ ଗାଁକୁ କଲ୍ୟାଣପୁର ବୋଲି ନାଁ ଦେବାକୁ ଆଲୋଚନା ହୋଇଛି। ସେହିପରି ଏମ୍ପିଭି-୧୦ ଗାଁକୁ ଦୁର୍ଗାପୁର, ଏମ୍ପିଭି-୧୨ ଗାଁକୁ ଅଶୋକନଗର, ଏମ୍ପିଭି-୧୪ ଗାଁକୁ ଭୋଳାନାଥପୁର, ଏମ୍ପିଭି-୨୦କୁ ସତ୍ୟନଗର, ଏମ୍ପିଭି-୨୭କୁ ଗୌରୀପୁର ବୋଲି ନାଁ ଦିଆଯିବ ବୋଲି ଜଣାପଡ଼ିଛି।
ଏହାବ୍ୟତୀତ ଅନେକ ଗାଁକୁ ରାଜସ୍ବ ଗାଁର ମାନ୍ୟତା ମିଳିବ। ପ୍ରଶାସନ ତରଫରୁ ସର୍ଭେ ଚାଲିଛି। ସ୍ଥାନୀୟ ବଙ୍ଗୀୟ ସମାଜ ମଧ୍ୟ ନାମକରଣରେ ସହଯୋଗ ନିମନ୍ତେ ତାଲିକା ପ୍ରସ୍ତୁତ କରୁଛି। ସରକାରୀ ଅନୁମୋଦନ ପରେ ସମସ୍ତ ରେକର୍ଡରେ ନୂଆ ନାଁ ଉଲ୍ଲେଖ କରାଯିବ। ସେହିପରି ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁସାରେ ବିଦ୍ୟାଳୟରେ ବଙ୍ଗୀୟ ଭାଷା ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି।