ଅସହ୍ୟ ହେଲା ବିଦ୍ୟୁତ୍ ବିଭାଗର ଜରିମାନା: ବିଷ ପିଇ ପ୍ରାଣ ହାରିଲେ ବ୍ୟବସାୟୀ

ସୋର: ବିଦ୍ୟୁତ୍ ବିଭାଗର ଜରିମାନା ଅସହ୍ୟ ହେବାରୁ ଜଣେ ଯୁବ ବ୍ୟବସାୟୀ ବିଷ ପିଇ ଜୀବନ ହାରିଛନ୍ତି। ମୃତକ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଡୁଙ୍ଗୁରା ପଞ୍ଚାୟତ ନିଶ୍ଚିନ୍ତା ଗ୍ରାମର ପ୍ରଫୁଲ୍ଲ ଦାସ(୪୦)। ପ୍ରଫୁଲ୍ଲ ୪ ବର୍ଷ ହେଲା ସୋର କଲେଜଛକ ନିକଟରେ ଭଡ଼ାରେ ଘର ନେଇ ଏକ ଚାଉମିନ ଫ୍ୟାକ୍ଟ୍ରି କରିଥିଲେ। ଦେଢ଼ମାସ ପୂର୍ବେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ଫ୍ୟାକ୍ଟ୍ରିରେ ଚଢ଼ଉ କରାଯାଇ ୧ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା।
ଜରିମାନା ଅର୍ଥ ଯଥାଶୀଘ୍ର ପଇଠ କରିବାକୁ ପ୍ରଫୁଲ୍ଲଙ୍କୁ ତାଗିଦ୍ କରାଯାଇଥିଲା। ଏହାକୁ ନେଇ ପ୍ରଫୁଲ୍ଲ କିଛିଦିନ ହେଲା ମାନସିକ ଚାପରେ ରହୁଥିଲେ।
ଆଜି ସକାଳେ ଏନେଇ ପତ୍ନୀ ତୁଳସୀ ଦାସଙ୍କୁ ପ୍ରଫୁଲ୍ଲ ଫୋନ୍ କରି ଏ ସଂପର୍କରେ କହିବା ସହ ଅସହାୟତା ପ୍ରକାଶ କରି ଭୋ ଭୋ ହୋଇ କାନ୍ଦିଥିଲେ। ଏହାପରେ ପତ୍ନୀ ତୁଳସୀ ଓ ଶାଶୂ ଶ୍ରୀମତୀ ବେହେରା ତୁରନ୍ତ ସେଠାରେ ପହଞ୍ଚି ଦେଖିବା ବେଳକୁ ପ୍ରଫୁଲ୍ଲ ବାନ୍ତି କରିବା ସହିତ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ଏକ ଅଟୋରେ ସୋର ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇବା ସହିତ କେସ୍ ନମ୍ବର ୯୩/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ପ୍ରଫୁଲ୍ଲ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସୋର ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି। ଏନେଇ ସୋର ବିଦ୍ୟୁତ୍ ବିଭାଗର ଏସ୍ଡିଓ ଅଶୋକ କୁମାର ଦଳେଇଙ୍କୁ ପଚାରିବାରୁ ମିଟର ଟ୍ୟାମ୍ପରିଂ ହୋଇଥିବାରୁ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଚଢ଼ଉ କରି ୧ ଲକ୍ଷ ୧୭ ହଜାର ଟଙ୍କା ଜରିମାନା କରିଥିଲେ। ଏହାପରେ ପ୍ରଫୁଲ୍ଲ କାର୍ଯ୍ୟାଳୟକୁ ଆସି ଟ୍ୟାମ୍ପରିଂ କରିଥିବା ସ୍ବୀକାର କରିବା ସହିତ ଜରିମାନା କୋହଳ କରିବାକୁ ଅନୁରୋଧ କରିଥିଲେ। ତାଙ୍କ କଥା ଶୁଣିବା ପରେ ଘର ମାଲିକଙ୍କୁ ସାଙ୍ଗରେ ନେଇ ଆସିବାକୁ କୁହାଯାଇଥିଲା ବୋଲି ଶ୍ରୀ ଦଳେଇ କହିଛନ୍ତି।




