ରାଜନୀତି

ଆମେ ବିଜେଡିରେ ଅଛୁ, ରହିବୁ’: ୭ ସାଂସଦଙ୍କ ଦୃଢ଼ୋକ୍ତି

ନୂଆଦିଲ୍ଲୀ: ବିଜେଡି ରାଜ୍ୟସଭା ସାଂସଦମାନେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ସାକ୍ଷାତ କରିଥିଲେ। ତେବେ ଏହି ସାକ୍ଷାତକୁ ନେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କିଛି ବିଜେଡି ସାଂସଦ ଦଳ ଛାଡ଼ି ବିଜେପିରେ ଯୋଗଦେବା ଖବର ପ୍ରସାରଣ କରିଥିଲା। ଏହାକୁ ବିଜେଡିର ସାତଜଣ ରାଜ୍ୟସଭା ସାଂସଦ ସାମ୍ବାଦିକ ସମ୍ମିଳନୀ କରି ଦୃଢ଼ ଖଣ୍ଡନ କରିଛନ୍ତି। ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏଭଳି ଖବର ପରିବେଷଣ ଓ ପ୍ରସାରଣରୁ କ୍ଷାନ୍ତ ରହିବାକୁ ବିଜେଡି ସାଂସଦମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥି ସହିତ ବିଜେଡିର ରାଜ୍ୟସଭାର ୭ ଜଣ ସାଂସଦ ଦଳ ପ୍ରତି ସେମାନଙ୍କର ବିଶ୍ବାସ ବ୍ୟକ୍ତ କରି ବିଜେଡିରେ ଅଛୁ ଓ ରହିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରଣରୁ ନିବୃତ୍ତ ନ ରହିଲେ ବିଜେଡି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି।

ସ୍ଥାନୀୟ କନଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ବିଜେଡିର ୭ ରାଜ୍ୟସଭା ସାଂସଦ ସମ୍ବୋଧିତ କରିଥିଲେ। ସାଂସଦ ମାନସ ମଙ୍ଗରାଜ କହିଲେ, ନିଦ୍ଦିଷ୍ଟ ଗଣମାଧ୍ୟମ ସେମାନଙ୍କୁ ବଦନାମ କରିବା ପାଇଁ ମିଥ୍ୟା, କପୋଳକଳ୍ପିତ ଓ ଭ୍ରମାତ୍ମକ ଖବର ପରିବେଷଣ କରୁଛି। ଏଥିପାଇଁ ସମସ୍ତେ ମର୍ମାହତ ଓ ଦୁଃଖିତ। ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବିଜେଡି ସାଂସଦମାନେ ବିକ୍ରି ହେବେ, ବିଜେପିକୁ ପଳାଇଯିବେ ବୋଲି ଚରିତ୍ର ସଂହାର କରାଯିବା ସହିତ ସେମାନଙ୍କ ଫଟୋକୁ ଅତି କଦର୍ଥ କରି ପ୍ରସାରଣ କରାଯାଉଛି। ରାଜ୍ୟସଭାର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ଭେଟି ରାଜ୍ୟର ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିଥାନ୍ତି। ଉପରାଷ୍ଟ୍ରପତିଙ୍କ ସହିତ ଭେଟଘାଟ୍‌କୁ ବିଜେପିରେ ମିଶିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ କରିବ‌ା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଉପରାଷ୍ଟ୍ରପତି କୌଣସି ଦଳର ନୁହନ୍ତି। ତାଙ୍କୁ ନେଇ ରାଜନୀତି କରାନଯାଉ ଓ ବିଭ୍ରାନ୍ତିକର ଖବର ପ୍ରସାରଣରୁ ନିବୃତ୍ତ ରହିବା ପାଇଁ ଶ୍ରୀ ମଙ୍ଗରାଜ ଅନୁରୋଧ କରିଥିଲେ।

ସାଂସଦ ଦେବାଶିଷ ସାମନ୍ତରାୟ କହିଲେ, ଆମେ ଆମ ନେତା ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୁଆଡ଼େ ଯିବାର ପ୍ରଶ୍ନ ଉଠୁନାହିଁ। ସାଂସଦ ମୁଜିବୁଲା ଖାନ କହିଥିଲେ ଯେ ୭ ସାଂସଦଙ୍କ ନାମରେ ଅପପ୍ରଚାର କରାଯାଉଛି। ଆମେ ନବୀନ ବାବୁଙ୍କ ସହ ରହିଛୁ; ନବୀନଙ୍କୁ ଧୋକା ଦେବାର ପ୍ରଶ୍ନ ଉଠୁନାହିଁ। ସାଂସଦ ସସ୍ମିତ ପାତ୍ର କହିଲେ, ଗତ ଛଅ ମାସରେ ବିଜେଡି ସାଂସଦମାନେ ରାଜ୍ୟସଭାରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି ଯାହା ବିଜେପି ସରକାରକୁ ବାଧୁଛି। କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାହୁନାହାନ୍ତି ଦିଲ୍ଲୀରେ ରାଜ୍ୟର ସ୍ବର ଉଠୁ। ସାଂସଦ ସୁଲତା ଦେଓ, ସାଂସଦ ନିରଂଜନ ବିଶି ଓ ସାଂସଦ ଶୁଭାଶିଷ ଖୁଣ୍ଟିଆ ବିଜେଡି ଛାଡ଼ିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button