ରାଜ୍ୟ

ତିନି ରାଜ୍ୟକୁ ‘ଜୀନତ୍‌’ ଚିନ୍ତା: ୭ ଦିନ ହେଲା କିଛି ଖାଇନି

ବାରିପଦା: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ‘ଜୀନତ୍‌’ ପାଇଁ ଏବେ ଓଡ଼ିଶା, ଝଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବନ ବିଭାଗ ଚିନ୍ତାରେ ପଡ଼ିଛନ୍ତି। ଏହି ତିନି ରାଜ୍ୟର ସୀମାନ୍ତକୁ ଲାଗିଥିବା ଜଙ୍ଗଲରେ ଜୀନତ୍‌ ୭ ଦିନ ହେଲା ଭୋକିଲା ବୁଲୁଥିବାରୁ ଏହାର ସୁରକ୍ଷା ପାଇଁ ସମସ୍ତେ ତତ୍ପର ହୋଇ ପଡ଼ିଛନ୍ତି। ଏଥିସହ ଭୋକିଲା ବାଘୁଣୀ ଖାଦ୍ୟ ପାଇଁ ଜନବସତିକୁ ପଶି ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ବି ରହିଛି। ଜୀନତ୍‌ ଆପେ ଆପେ ଶିମିଳିପାଳ ଫେରିଆସିବ ବୋଲି ଶିମିଳିପାଳ ଟାଇଗର୍‌ ରିଜର୍ଭ (ଏସ୍‌ଟିଆର୍‌) କର୍ତ୍ତୃପକ୍ଷ ଯେଉଁ ଆଶା ରଖିଥିଲେ, ତାହା ମଉଳିଗଲାଣି। ତେଣୁ ତାକୁ ଟ୍ରାଙ୍କୁଲାଇଜ୍‌ କରି ଆଣିବା ହିଁ ଶେଷ ବିକଳ୍ପ ଭଳି ମନେ ହେଉଛି।

୭ ଦିନ ହେଲା କିଛି ଖାଇନି
ଭୋକିଲା ଥିବାରୁ ହିଂସ୍ର ହେବା ଆଶଙ୍କା
ଆଖପାଖ ଗାଁରେ ୧୬୩ ଧାରା ଜାରି

ଶନିବାର ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲ୍ଲାର ମଚ‌ାଢ଼ିଆ-ରାଜାବାସା ଜଙ୍ଗଲରେ ଜୀନତ୍‌ର ଅବସ୍ଥିତି ଟ୍ରାକ୍‌ ହୋଇଥିଲା। ତେବେ ଆଜି ଭୋର୍‌ ସମୟରେ ଜୀନତ୍‌ର ଅବସ୍ଥିତି ୮ କିଲୋମିଟର ଦୂର ଚିଆବାନ୍ଧି ଜଙ୍ଗଲରେ ଦେଖାଯାଇଥିଲା। ତେବେ ରବିବାର ସନ୍ଧ୍ୟାରେ ରାଜାବସାର ଘନ ଜଙ୍ଗଲକୁ ଫେରିଛି ଜୀନତ୍‌। ଚିଆବନ୍ଧି ଜଙ୍ଗଲକୁ ଲାଗି ରହିଛି ପଶ୍ଚିମବଙ୍ଗର କାହେଁଇଶୋର ଜଙ୍ଗଲ। ଏହି ଜଙ୍ଗଲରେ ପୂର୍ବରୁ ମହାବଳ ବାଘଙ୍କ ଅବସ୍ଥିତି ଥିଲା। ବାଘୁଣୀ ସେଠାକୁ ଗଲେ ପରିବେଶ ସହ ଖାପ ଖୁଆଇ ପାରିବ କି ନାହିଁ, ସନ୍ଦେହ ସୃଷ୍ଟି ହୋଇଛି। ଏଥିପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ୩୦ ଜଣିଆ ଟିମ୍‌ ନିରୀକ୍ଷଣ ପାଇଁ ନିୟୋଜିତ ଅଛନ୍ତି।ଅନ୍ୟପଟେ ବାଘୁଣୀ ଭୟରେ ଚିଆବାନ୍ଧି ଓ ରାଜାବସା ଅଞ୍ଚଳରେ ୪ ଦିନ ହେଲା ଧାରା ୧୬୩ ଲାଗୁ କରାଯିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛି ସ୍ଥାନୀୟ ପ୍ରଶାସନ। ରାତିରେ ଘରୁ ନ ବାହାରିବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦିଆଯାଇଛି। ଜାମସେଦପୁର ବନଖଣ୍ଡର ୨୦ରୁ ଅଧିକ କର୍ମଚାରୀ ୫ ଦିନ ହେଲା ଜଗିଛନ୍ତି। ଆର୍‌ସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି, ରେଡିଓ କଲାର୍‌ ମାଧ୍ୟମରେ ପ୍ରତି ଘଣ୍ଟାରେ ଅବସ୍ଥିତି ଯାଞ୍ଚ ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button