ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା : ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ – Kalinga News
[ad_1]
ପୁରୀ (କେନ୍ୟୁଜ): ଆଜି ଦେବସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା । ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିବେ ତିନିଠାକୁର । ଏହାପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଏନେଇ ପୁରୀରେ ଆରମ୍ଭ ହୋଇଯାଇଛି ନୀତିକାନ୍ତି । ଭୋର ସମୟରୁ ମଙ୍ଗଳାପର୍ଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ଆରମ୍ଭ ହୋଇଯାଇଛି ପହଣ୍ଡି । ତିନି ଠାକୁର ଧାଡି ପହଣ୍ଡିରେ ରତ୍ନ ସିଂହାସନରୁ ସ୍ନାନ ବେଦୀକୁ ଆସିଛନ୍ତି ।
ଦିନ ୧୨ଟା ୨୦ରୁ ୧ଟା ୪୫ ଭିତରେ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ଅନୁଷ୍ଠିତ ହେବ । ଅପରାହ୍ନ ୩ଟାରେ ଗଜପତି ମହାରାଜା ଛେରା ପହଁରା କରିବାପରେ ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ । ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ । ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ମାର୍କେଟ ଛକରୁ ବାରିଗେଟ ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରିବେ ପହଣ୍ଡି ଟିକେଟ ଦର୍ଶନ ଲାଗି ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ । ଶ୍ରୀ ମନ୍ଦିର ଚାରିପଟେ ଏବଂ ମରଚି କୋଟ ଛକଠାରୁ ନୋ ଭେଇକିଲ ଜୋନ କରାଯାଇଛି ।
ଜେଲ ରୋଡ଼ରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶରଧାବାଲିରେ ମଟର ସାଇକେଲ ଷ୍ଟାଣ୍ଡ ହେବ । ଜଗନ୍ନାଥ ବଲ୍ଳଭ ପାର୍କିଙ୍ଗରେ ଚାରି ଚକିଆ ପର୍କିଙ୍ଗ କରାଯିବ । ମରଚିକୋଟ ଛକ ଠାରୁ ଗାଡି ଚଳା ଚଳ ବନ୍ଦ ରହିବ କେବଳ ପାସ ଧରି ଯାଇପାରିବେ । ଭକ୍ତ ସିଂହ ଦ୍ୱାରରେ ପ୍ରବେଶ କାରି ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରିବେ । ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ନିୟୋଜିତ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ଆସନ୍ତା କାଲି ପାଇଁ ମୋଟ ୬୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ ।
The post ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା : ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ appeared first on KNews Odisha.
[ad_2]