ହରିଶଙ୍କର ରୋଡ୍ ରେଳ ଷ୍ଟେସନ୍ରୁ ରାଜ୍ୟର ସର୍ବାଧିକ ଦାଦନ ଚାଲାଣ
ବଲାଙ୍ଗୀର/ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋରସ୍ଥିତ ହରିଶଙ୍କର ରୋଡ୍ ରେଳ ଷ୍ଟେସନକୁ ରାଜ୍ୟର ଛୋଟ ଷ୍ଟେସନ୍ ମଧ୍ୟରେ ଗଣତି କରାଯାଇଥାଏ। ଦୈନିକ ୫-୬ଟି ଟ୍ରେନ୍ ଗୋଟିଏ କିମ୍ବା ଦୁଇ ମିନିଟ୍ ପର୍ଯ୍ୟନ୍ତ ଏହି ଷ୍ଟେସନ୍ରେ ଅଟକି ଥାଏ। କିନ୍ତୁ ଦାଦନ ଋତୁରେ ଏଠାରେ ଟ୍ରେନ୍ଗୁଡ଼ିକର ରହଣି ସମୟ ବଢ଼ି ଯାଇଛି। ଏଭଳି ସଂଯୋଗ କିଭଳି ଘଟିଲା, ତାହା କାହାକୁ ଜଣାନାହିଁ। ରେଳ ଷ୍ଟେସନ୍ କର୍ତ୍ତୃପକ୍ଷଙ୍କ ପାଖରେ ବି ଏହାର କୌଣସି ଉତ୍ତର ନାହିଁ। ବିଶେଷକରି ରାୟପୁର ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ମାତ୍ରାଧିକ ସମୟ ରହଣି କରୁଛି। ଏଥିରେ ଖୁନ୍ଦାଖୁନ୍ଦି ହୋଇ ଦାଦନ ଶ୍ରମିକ ଚଢ଼ୁଥିବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେବା ଭଳି। ରାଜ୍ୟର ଛୋଟ ଷ୍ଟେସନ୍ ହେଲେ ମଧ୍ୟ ଏଠାରୁ ସର୍ବାଧିକ ଦାଦନ ଚାଲାଣ ହେଉଥିବା ରେକର୍ଡ କହୁଛି। କାରଣ, ଲାଠୋର୍ ଷ୍ଟେସନ୍ ଉପାନ୍ତ ଇଲାକାରେ ରହିଛି। କୌଣସି ଟାସ୍କଫୋର୍ସ ଏଠାରେ ସକ୍ରିୟ ନାହାନ୍ତି।
ଖୁନ୍ଦାଖୁନ୍ଦି ହୋଇ ଯାଉଛନ୍ତି, ଜଗିବାକୁ କେହି ନାହାନ୍ତି
ପୁଲିସ କିମ୍ବା ରେଳବାଇ ପୁଲିସର ଭୟ ବି ନାହିଁ। ତେଣୁ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯାନବାହନରେ ଏଠାକୁ ଦାଦନ ଆସି ପହଞ୍ଚିଥାନ୍ତି। ରାତି ହେଉ କିମ୍ବା ଦିନ; ଟ୍ରେନ୍ ଆସିଲେ ଦାଦନ ଅନାୟାସରେ ଚଢ଼ିଥାନ୍ତି। ସେମିତିରେ ଖପ୍ରାଖୋଲ ବ୍ଲକ୍ ଦାଦନପ୍ରବଣ ବ୍ଲକ୍ ଭାବେ ପରିଚିତ। ଏଠାରେ ମନରେଗା ଯୋଜନାରେ ୩୦୦ ଦିନ ନିଶ୍ଚିତ ମଜୁରି ବୃଦ୍ଧି ହେଲା ପରେ ମଧ୍ୟ ଦାଦନ ଶ୍ରମିକଙ୍କ ପାଇଁ କାମ ନିଅଣ୍ଟ ରହିଛି। ଦାଦନ ଶ୍ରମିକ ଚାଲାଣ ରୋକିବାରେ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଥିବା ସତ୍ତ୍ୱେ ଦାଦନ ସୁଅରେ ରୋକ ଲାଗି ପାରୁନାହିଁ। ହରିଶଙ୍କର ରୋଡ୍ ରେଳଷ୍ଟେସନ ଦାଦନ ଶ୍ରମିକ ଚାଲାଣର ମୁକୁଳା ବାଟ ସାଜିଛି। ସମତା ଏକ୍ସପ୍ରେସ୍, କୋର୍ବା ଲିଙ୍କ୍ ଏକ୍ସପ୍ରେସ୍ ସମେତ ଅନ୍ୟ ଦୂରଗାମୀ ଟ୍ରେନ୍ରେ ଦାଦନ ଚାଲାଣ ପ୍ରତିବର୍ଷ ବଢ଼ି ଚାଲିଛି। ଖୁଲମଖୁଲା ଦାଦନ ଚାଲାଣ ଚାଲିଥିଲେ ହେଁ ଟାସ୍କଫୋର୍ସ, ସ୍ଥାନୀୟ ପୁଲିସ କିମ୍ୱା ଶ୍ରମ ବିଭାଗ ଅଧିକାରୀଙ୍କ ଦେଖାନାହିଁ।