ଜଙ୍ଗଲ ବିଭାଗର ମହାଦୁର୍ନୀତି: ପାର୍କ ଉନ୍ନତୀକରଣ ନାମରେ ୪୩.୭୫ କୋଟି ହେରଫେର
ଯାଜପୁର: ଯାଜପୁର ଜିଲ୍ଲାର ପଶ୍ଚିମଭାଗରେ ଥିବା ସୁକିନ୍ଦା ଖଣିଖାଦାନ ଅଞ୍ଚଳରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଅଥଚ କାଗଜପତ୍ରରେ ପ୍ରତିବର୍ଷ ଜଙ୍ଗଲ ବିଭାଗ ହଜାର ହଜାର ଗଛ ଲଗାଯାଉଥିବା ଦର୍ଶାଇ ବିଭିନ୍ନ ବିଭାଗରୁ କୋଟିକୋଟି ଟଙ୍କା ବିଲ୍ କରିବାରେ ଲାଗିଛି। ଏପରିକି ପାର୍କ ଉନ୍ନତୀକରଣ ନାମରେ କୋଟିକୋଟି ଟଙ୍କା ମିଥ୍ୟା ବିଲ୍ ହୋଇଛି। ସୁକିନ୍ଦା ବ୍ଲକ୍ର ନିମପଲ୍ଲୀ ଅର୍ବାନ୍ ପାର୍କରେ ଗୋଟିଏ ଗଛ ପୋତାଯାଇ ନାହିଁ। ଏଠାରେ ୨ବର୍ଷ ତଳେ ୮କୋଟି ୯୭ ଲକ୍ଷ ଟଙ୍କା ଡିଏମ୍ଏଫ୍ରୁ ବ୍ୟୟ ହୋଇଛି। ନିମପଲ୍ଲୀ ପାର୍କ ଭଳି ସୁକିନ୍ଦା ରେଞ୍ଜରେ ପାର୍କ ଉନ୍ନତୀକରଣ ନାମରେ କେବଳ ୨୦୨୧-୨୨ ଆର୍ଥିକ ବର୍ଷରେ ୪୩.୭୫ କୋଟି ଟଙ୍କାର ମହାଦୁର୍ନୀତି ଘଟଣା ସାମନାକୁ ଆସିଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
୮.୯୭ କୋଟିର ନିମପଲ୍ଲୀ ଡିଏମ୍ଏଫ୍ ପାର୍କ ବୃକ୍ଷହୀନ!
ପ୍ରକାଶଥାଉକି, କଟକ ଜଙ୍ଗଲ ଡିଭିଜନ ଅଧୀନ ସୁକିନ୍ଦା ରେଞ୍ଜ ନିମପଲ୍ଲୀଠାରେ ଅର୍ବାନ୍ ପାର୍କ ଉନ୍ନତୀକରଣ ନାମରେ ଡିଏମ୍ଏଫ୍ ଅନୁଦାନରୁ ୮କୋଟି ୯୭ ଲକ୍ଷ ଟଙ୍କା ବିଲ୍ କରାଯାଇଛି। ଏଠାରେ ଗୋଟିଏ ଗଛ ଲାଗିନାହିଁ। ଲୋକଙ୍କ ଆମୋଦପ୍ରମୋଦ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ୧୦ ଏକର ପରିମିତ ଜମିରେ ମାତ୍ର ୧ଏକର ପରିମିତ ଜମିରେ ୨ଟି ପୋଖରୀ ଖୋଳା ଯାଇଥିଲାବେଳେ କିଛି ରାସ୍ତା କରାଯାଇଛି। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲାଗିଛି, ଯେଉଁ ଆଲୋକ ବ୍ୟବସ୍ଥା କରାଯାଇଥିଲା, ତାହା ଆଉ ନାହିଁ। ମାତ୍ର ଦୁଇବର୍ଷ ତଳେ ୨୦୨୧-୨୨ ଆର୍ଥିକ ବର୍ଷରେ ନିମପଲ୍ଲୀ ଅର୍ବାନ ପାର୍କ ଭଳି ସୁକିନ୍ଦା ବ୍ଲକ୍ ଅଞ୍ଚଳରେ ଡିଏମ୍ଏଫ୍ ଅନୁଦାନକୁ ହଡ଼ପ କରାଯାଇଛି। ନିମପଲ୍ଲୀ ପାର୍କ ବାବଦରେ ୮.୯୭କୋଟି ଟଙ୍କା ହରିଲୁଟ୍ କରିବା ଭଳି ସୁକିନ୍ଦା ବ୍ଲକ୍ ଅଧୀନ କାଳିଆପାଣିରେ ବିଜୁ ପଟ୍ଟନାୟକ ଔଷଧୀୟ ବଗିଚା ଉନ୍ନତୀକରଣ ନାମରେ ୮.୫୨ କୋଟି ଟଙ୍କା, ସରାଂଶଠାରେ ଅର୍ବାନ୍ ପାର୍କ ନାମରେ ୯.୯୯କୋଟି, ଚମ୍ପାଝର ଟମକାଠାରେ ପ୍ରାଣୀ ଓ ଉଦ୍ଭିଦ ପାର୍କ ନାମରେ ୭.୯୩ କୋଟି ଓ ଅଶୋକଝରଠାରେ ଇକୋ ରିଟ୍ରିଟ୍ ସେଣ୍ଟର ନାମରେ ୮.୩୪ କୋଟି ଟଙ୍କା ମହାଦୁର୍ନୀତି କରାଯାଇଛି। କେବଳ ୨୦୨୧-୨୨ ଆର୍ଥିକ ବର୍ଷରେ ସୁକିନ୍ଦା ରେଞ୍ଜରେ ପାର୍କ ଉନ୍ନତୀକରଣ ନାମରେ ମୋଟ ୪୩.୭୫ କୋଟି ଟଙ୍କାର ଅନିୟମିତତା ଏବେ ଚର୍ଚ୍ଚାକୁ ଆସିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବର୍ଷବର୍ଷ ଧରି ଏହି ରେଞ୍ଜରେ ଡିଏମ୍ଏଫ୍ ଅଦୁଦାନଠାରୁ ଆରମ୍ଭ କରି କାମ୍ପା, ଏମ୍ଜିଏନ୍ଆର୍ଇଜିଏସ୍ ବାବଦରେ କୋଟିକୋଟି ଟଙ୍କା ଅନୁଦାନ ମିଥ୍ୟା ବିଲ୍ ହଡ଼ପ ଧରାପଡ଼ିବ ବୋଲି ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।