ରାଜ୍ୟ

ପ୍ରଶାସନ କେତେ ସଫଳ: ଦେଶୀ ଡଂଗା ଉପରେ ମତ୍ସ୍ୟଜୀବୀଙ୍କ ଭରସା

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୯ଟି ପଞ୍ଚାୟତ ପାଣି ଘେରରେ ରହିଛି। ଏମାନେ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲେ। ଏମାନଙ୍କ ପାଖକୁ ପ୍ରଶାସନ ପହଞ୍ଚିବାକୁ ଚେଷ୍ଟା କରିଥିଲେ ମଧ୍ୟ କେତେକାଂଶରେ ସଫଳ ହୋଇଥିବା ବେଳେ ବିଫଳତା ସବୁଠାରୁ ଅଧିକା। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦିରେ ଏମାନେ ବହୁ ପଛରେ।

ତେବେ ବାଲିମେଳା ଜଳଭଣ୍ଡାର ହେବା ପର ଠାରୁ ଏମାନେ ସରକାରୀ ଯୋଜନା କଣ ଜାଣିପାରିନଥିଲେ। ଏହାର ଫାଇଦା ନେଇଥିଲେ ନକ୍ସଲ। ୧୫୨ଟି ଗ୍ରାମର ଜଳ ଘେରରେ ରହିଥିବା ବେଳେ ଏମାନେ ପ୍ରାୟତଃ ଆନ୍ଧ୍ର ଉପରେ ହିଁ ନିର୍ଭର କରୁଛନ୍ତି। ବିଶାଳ ଜଳଭଣ୍ଡାରକୁ ପାର କରିବାକୁ ପ୍ରଶାସନ ତରଫରୁ ଯେଉଁସବୁ ବ୍ୟବସ୍ଥା କରାଯାଇଛି ତାହା ଏମାନଙ୍କ ପାଇଁ ଏବେ ବି ସ୍ବପ୍ନ। ତେଣୁ ଏମାନେ ନିଜର ପାରଂପାରିକ କୌଶଳରେ ଦେଶୀ ଡଂଗା ତିଆରି କରି ନଦୀରେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ସହ ମାଛ ମାରିବା ଏବଂ ବେପାର ବଣିଜରେ କାମରେ ଲଗାଉଛନ୍ତି। ଏହା ସବୁଠାରୁ ବିପଦପୂର୍ଣ୍ଣ ଅଟେ।ଦେଶୀ ଡଂଗା ସବୁବେଳେ ବିଶ୍ବାସଯୋଗ୍ୟ ନୁହେଁ। ବହୁଥର ଏହି ବିଛିନ୍ନାଞ୍ଚଳବାସୀଙ୍କୁ ଧକ୍କା ଦେଇସାରିଛି।

ବର୍ଷା ଦିନେ ଦେଶୀ ଡଂଗା ଦୁର୍ଘଟଣା ହେବାର ବହୁ ନଜିର ରହିଥିଲେ ମଧ୍ୟ ପ୍ରଶାସନ ତରଫରୁ ସେଭଳି କୌଣସି ସୁବିଧା ନଥିବାରୁ ଏମାନେ ବିପଦପୂର୍ଣ୍ଣ ଜଳଯାତ୍ରା କରିଥାନ୍ତି। ପ୍ରଶାସନ ତରଫରୁ ଦିଆଯାଉଥିବା ଡଂଗା ଏମାନଙ୍କ ପାଇଁ ଭେଳିକି ସଦୃଶ୍ୟ। ପ୍ରାୟ ୨ ହଜାର ମତ୍ସ୍ୟଜୀବୀଙ୍କ ପାଇଁ ମାତ୍ର ୩ ଶହରୁ ୪ ଶହ ଡଂଗା ପ୍ରଦାନ କରାଯାଇଛି। ପୂର୍ବରୁ ଯାହା ଦିଆଯାଇଛି ତାହା ଏବେ ସଂପୂର୍ଣ୍ଣ ଖରାପ ହୋଇଗଲାଣି। ପ୍ରଦାନ କରାଯାଉଥିବା ଡଂଗା ଉପରେ ଲୋକଙ୍କର ବିଶ୍ବାସ ଆଜି ବି ନାହିଁ।କେଉଁ ସମୟରେ ଧକ୍କା ଦେବ ସେଥିପାଇଁ ନିଜ ତିଆରି ଡଂଗା ଉପରେ ହିଁ ଏମାନଙ୍କର ଭରସା।

ବିଛିନ୍ନାଞ୍ଚଳର ଗାଜଲମାମୁଡି ପଞ୍ଚାୟତର ତୋଟାପାଲି ଗ୍ରାମ ନିକଟରେ ଲୋକେ ପାରଂପାରିକ କୌଶଳରେ ଦେଶୀ କାଠ ଡଂଗା ତିଆରି କରୁଥିବା ଦେଖିବାକୁ ମିଳିଥିଲା। ସେମାନେ ଏହା ହିଁ ଆମର ଜୀବନ ବୋଲି କହିଥିଲେ।ସରକାରଙ୍କ ତରଫରୁ ସେଭଳି କୌଣସି ସୁବିଧା ଯୋଗାଇ ଦିଆଯାଉନଥିବାରୁ ବାଧ୍ୟ ହୋଇ ଆମେ ନିଜର ବୁଦ୍ଧି ବଳରେ ଦେଶୀ ଡଂଗା ତିଆରକରି ନଦୀ ପାର ହେବା ସହ ଅନ୍ୟାନ୍ୟ ଜିନିଷ କରୁଛୁ। ଏମାନଙ୍କୁ ଗୋଟିଏ ଡଂଗା ତିଆରି କରିବାକୁ ପ୍ରାୟତଃ ମାସେ ସମୟ ଲାଗୁଛି। କାଠଗୁଡିକ ଶୁଖିବା ପରେ ହିଁ ଏହାକୁ ଡଂଗା ପାଇଁ ବ୍ୟବହାର କରାଯାଇଥାଏ। ବିଭିନ୍ନ ପ୍ରକାର ଗଛର ଓଠାକୁ ଏମାନେ ବ୍ୟବହାର କରିବା ସହ ତାରୁକୁ ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ତେବେ ଏହା କେତେ ସୁରକ୍ଷିତ ବୋଲି ଏମାନଙ୍କୁ ପଚରାଯିବାରୁ ସୁରକ୍ଷିତ ନଥିଲେ ମଧ୍ୟ ଏହାହିଁ ଆମର ଜୀବନ ବୋଲି କହିଥିଲେ। ପୁରୁଷ ପୁରୁଷ ଧରି ଆମେ ଏହି ଦେଶୀ ଡଂଗା ଉପରେ ହିଁ ନିର୍ଭର କରିଆସୁଛୁ। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସେବା କେବଳ କିଛି ଦିନ ପାଇଁ। ଏହି ଡଂଗାରେ ହିଁ ମାଛ ମରି ବେପାର କରୁଛୁ ବୋଲି କହିଥିଲେ। ବର୍ତ୍ତମାନ ଗୁରୁପ୍ରିୟା ସେତୁ ହେବା ପରେ ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଂଚଳରେ ପରିଣତ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପରେ ସ୍ବାଭିମାନ ଅଂଚଳକୁ ରାସ୍ତା ଫିଟିଛି। ତେଣୁ ଏମାନେ ନିଜର ହାତ ତିଆରି ଦେଶୀ ଡଂଗାରେ ବିଭିନ୍ନ ଗ୍ରାମକୁ ଯିବାକୁ ହେଲେ ଏହାକୁ ବ୍ୟବହାର କରୁଛନ୍ତି। ଏପରିକି ୩୦ କିଲୋମିଟର ଊର୍ଦ୍ଧ୍ବ ବାଟ ମଧ୍ୟ ଏହି ଡଂଗାରେ ହିଁ ଯିବା ଆସିବା କରୁଥିବା କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button