ମିଲେଟ୍ରାଣୀ ଏବେ ଡକ୍ଟର ରାଇମତି: ଯେଉଁମାନେ ହସୁଥିଲେ, ଆଜି ସେମାନେ କାମ ଶିଖୁଛନ୍ତି

ଦିନ ଥିଲା ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଥିଲା। କେବେ ପେଜ ପିଇ ଶୋଉଥିଲେ ତ କେବେ ପିତା କନ୍ଦା ଖାଉଥିଲେ। ମାତ୍ର ଆଜି ୭୦ରୁ ଅଧିକ ଚାଷୀଙ୍କୁ ବଞ୍ଚିବାର ବାଟ ଦେଖାଉଛନ୍ତି। ୭୦ରୁ ଅଧିକ କିସମର ଧାନ ଓ ୩୦୦ରୁ ଅଧିକ କିସମର ମାଣ୍ଡିଆ ସାଇତିଛନ୍ତି। କମ୍ ବୟସରୁ କୃଷି, ସାମାଜିକ ବ୍ୟବସ୍ଥା, ଜୀବନଜୀବିକାର ଉନ୍ନତି, ଜୈବ ବିବିଧତାର ସଂରକ୍ଷଣ, ମହିଳା ସଶକ୍ତୀକରଣ ପରି ଅନେକ ପ୍ରଗତିମୂଳକ କାର୍ଯ୍ୟରେ ସାମିଲ ହୋଇ ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ। ମିଲେଟ୍ରାଣୀ ଭାବେ ପରିଚୟ ଲାଭ କରିଥିବା କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକର ନୂଆଗୁଡା ଗାଁର ଭୂମିଆ ସମ୍ପ୍ରଦାୟର ମହିଳା ରାଇମତୀ ଘିଉରିଆଙ୍କୁ ଆଜି ଓୟୁଏଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯାଇଛି। ଡକ୍ଟରେଟ୍ ଡିଗ୍ରି ପରେ ତାଙ୍କୁ ଭେଟିଥିଲେ ‘ସମ୍ବାଦ’ ପ୍ରତିନିଧି ହରପ୍ରିୟା ପୃଷ୍ଟି।
8ନାଁ ଆଗରେ ପ୍ରଥମେ ମାଣ୍ଡିଆ ରାଣୀ। ଆଉ ଏବେ ଡକ୍ଟରେଟ୍ ଲାଗିଲା। ଆପଣଙ୍କୁ କେମିତି ଲାଗୁଛି?
ମୁଁ ଜି-୨୦ରୁ ଆସିବା ପରେ ସମସ୍ତେ ମାଣ୍ଡିଆରାଣୀ ବୋଲି ଡାକୁଥିଲେ। ବହୁତ ଖୁସି ଲାଗୁଥିଲା। ଆମ ଆଖପାଖ ଲୋକେ ମୋତେ ଡକ୍ଟରେଟ୍ ପାଇବୁ ବୋଲି କହୁଥିଲେ। ମାତ୍ର ବିଶ୍ବାସ ନ ଥିଲା। ଏବେ ପାଇବା ପରେ ଗାଁ ଲୋକେ, ଶାଶୂଘର ଲୋକେ ବହୁତ ଖୁସି। ଓଡ଼ିଶାର ବୋହୂ ଏବଂ ଝିଅ ହେଇ ଏତେ ବଡ଼ ସମ୍ମାନ ମିଳିଥିବାରୁ ଗର୍ବ ଲାଗୁଛି।
8କେତେ ସଂଘର୍ଷମୟ ଥିଲା ବାପଘରର ଜୀବନ?
ଜୟପୁର ବ୍ଲକ୍ ପାତ୍ରକୁଟ ମୋ ବାପ ଘର। ପିଲାବେଳେ ଖାଇବା ଗଣ୍ଡେ ପାଇବାକୁ ବହୁତ୍ କଷ୍ଟ କରିବାକୁ ପଡ଼ୁଥିଲା। ବାପା, ମା’ କଷ୍ଟରେ ଖାଇବାକୁ ଯୋଗାଡ଼ କରୁଥିଲେ। ଜଙ୍ଗଲରୁ କନ୍ଦା ଆଣି ଖାଇବାକୁ ମଧ୍ୟ ଦେଉଥିଲେ। କେବେ କେବେ ସାଙ୍ଗ ସାଥୀ ମିଶି କୁଲି କାମ କରୁଥିଲୁ। କାହା ଘରେ ମଜୁରି ଲାଗୁଥିଲୁ। ଆମ୍ବ ବିକି ପଇସା ଆଣିଲେ, ୩ ଭାଇ ଭଉଣୀ ପେଜ ପିଇ ଶୋଉଥିଲୁ।
8ଧାନ, ମାଣ୍ଡିଆ କିସମ ସଂରକ୍ଷଣ କଥା ଭାବିଲେ କାହିଁକି?
ମୋ ପରିଚୟ ତିଆରି ହେବ, ମୁଁ ଏତେ ସମ୍ମାନ ପାଇବି ବୋଲି ଭାବି ନଥିଲି। ପେଟ ପୋଷିବାକୁ ବିଲକୁ ଯାଉଥିଲି। ମୋର ବଡ଼ ମା’ କହିଲେ ବିହନ ରଖିଲେ, ୩ ବର୍ଷ ଯାଏଁ କାମରେ ଆସିବ। ଫସଲ ଭଲ ହେବ। ସେହିଦିନରୁ ବିହନ ରଖିଲେ କି ଲାଭ ହୁଏ ଜାଣିଥିଲି। କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକର ନୂଆଗୁଡା ଗାଁକୁ ବାହା ହେଇଆସିଲି। ଚାଷ କାମରେ ଶଶୁର ଓ ସ୍ବାମୀଙ୍କୁ ସାହାଯ୍ୟ କଲି। ସେତେବେଳେ ଅନ୍ୟ ଗାଁରୁ ମଧ୍ୟ ସଶ୍ୟ ସଂଗ୍ରହ କରିବା ଆରମ୍ଭ କଲି। ଏବେ ୭୭ରୁ ଅଧିକ ପ୍ରକାରର ଧାନ ଓ ୩୦୦ରୁ ଅଧିକ କିସମର ମାଣ୍ଡିଆ ସହିତ ଅନ୍ୟାନ୍ୟ ଶସ୍ୟ ସଂରକ୍ଷଣ କରିବା ଦିଗରେ କାମ କରୁଛି।
8ଚାଷକୁ ବେଉସା ଭାବେ ଆଦରିବାକୁ କେତେ କଷ୍ଟ ସହିବାକୁ ପଡ଼ିଥିଲା?
ମାଣ୍ଡିଆ ରୋଇଲେ ଭଲ ହେବ। ଏ କଥା ଆମ ଗାଁରେ କେହି ଜାଣି ନଥିଲେ। ବିଲରେ ମଞ୍ଜି ବୁଣିଦେଲେ ହୁଏ ବୋଲି ସମସ୍ତଙ୍କର ଧାରଣା ଥିଲା। ପ୍ରଥମେ ତାଲିମ ପାଇ ମାଣ୍ଡିଆକୁ ଧାଡ଼ିରେ ଲଗାଇବା ବେଳେ ଗାଁ ଲୋକେ ମୋ ଉପରେ ହସିଥିଲେ। ତାହାକୁ ଖାତିର କରି ନ ଥିଲି। ବରଂ କାମ କରି ଚାଲିଥିଲି। ଏହାଦ୍ବାରା ଅନେକ ସଫଳତା ମିଳିଲା। ଭଲ ଫସଲ ଉତ୍ପାଦିତ ହେଲା। ଯେଉଁମାନେ ଦିନେ ମୋ ଉପରେ ହସୁଥିଲେ, ଆଜି ସେମାନେ ମୋ ଠାରୁ ଚାଷ ଶିଖୁଛନ୍ତି। ମାଣ୍ଡିଆରେ ଲାଭ ବାହାରିବା ସହ ଭଲ ରୋଜଗାର ହେଉଛି।
8ଏବେ ଆପଣଙ୍କଠାରୁ କେତେ ଲୋକ ଚାଷ ଶିଖୁଛନ୍ତି। ଆଗକୁ ଲକ୍ଷ୍ୟ କ’ଣ ରହିଛି?
ଏବେ ମୋ ପାଖରେ ୪୦ ଜଣ ମହିଳା ଚାଷୀ ଅଛନ୍ତି। ଅନେକ ଗ୍ରୁପ୍ର ମା’ମାନେ ଯୋଡ଼ି ହୋଇଛନ୍ତି। ଏବେ ମଧ୍ୟ ବିଲରେ ଧାନ କଟା ଚାଲିଛି। ମୋ ଚଳଣୀ ବଦଳିଛି। ଖାଇବା, ପିଇବାରେ କୌଣସି ଅସୁବିଧା ନାହିଁ। ମୁଁ ସିନା ସପ୍ତମ ଯାଏଁ ପଡ଼ିଛି, ହେଲେ ମୋର ଦୁଇ ପୁଅ ଓ ଝିଅ ଏବେ ପାଠ ପଢ଼ୁଛନ୍ତି। ଶଶୁର ଘର ମାଟିରେ ତିଆରି ହୋଇଥିଲା। ଏବେ ଟିଣ ହୋଇଛି। କୋଠାଘର କାମ ଆରମ୍ଭ ହେବାକୁ ଯାଉଛି। ୪ ବର୍ଷ ହେଲା ପରିବା ଦୋକାନ କରିଛି। ମୋ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି।




