ରାଜ୍ୟ

ଫାଇନାନ୍ସ ସଂସ୍ଥାରେ ଫୁଟିଲା ଗୁଳି: ବନ୍ଧୁକ ମୁନରେ ଲୁଟ୍‌ ଉଦ୍ୟମ; ଜଣକୁ ଧରିଲେ, ୨ ଖସିଗଲେ

ଫୁଲବାଣୀ: ଫୁଲବାଣୀ ଟାଉନ୍‌ ଥାନା ଅଧୀନ ଫୁଲବାଣୀସାହି ଛକ ନିକଟରେ ଥିବା ଏକ ଘରୋଇ ଫାଇନାନ୍‌ସ ସଂସ୍ଥା ‘ଅଧିକାର’ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ୩ ଜଣ ବନ୍ଧୁକଧାରୀ ପଶି ଲୁଟ୍‌ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରିବା ସହିତ ଉପସ୍ଥିତ ୨ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କର୍ମଚାରୀମାନେ ଜୀବନ ବଞ୍ଚାଇବାକୁ ଯାଇ ‌ଦୁର୍ବୃତ୍ତଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଜଣେ ଦୁର୍ବୃତ୍ତ କର୍ମଚାରୀଙ୍କ ହାତରେ ଧରାପଡ଼ି ଯାଇଥିଲା। ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ଏ ବାବଦରେ ଫାଇନାନ୍‌ସ କାର୍ଯ୍ୟାଳୟ ଚାଲିଥିବା ଘର ମାଲିକ ଫୁଲବାଣୀ ଟାଉନ୍‌ ଥାନାକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଲୁଟେରାକୁ ନିଜ ହେପାଜତକୁ ନେଇଛି। ପୁଲିସ ଲୁଟେରା ଠାରୁ ବନ୍ଧୁକ ଜବତ କରି ଅଧିକ ପଚରାଉଚରା ଜାରି ରଖିଛି। ଲୁଟେରାଙ୍କ ପରିଚୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଦୁଇ ଆହତ କର୍ମଚାରୀ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁର୍ବୃତ୍ତମାନେ କଳାମୁଖା ପିନ୍ଧି ବନ୍ଧୁକ ଦେଖାଇ ସେମାନଙ୍କୁ ଟଙ୍କା ଦେବାକୁ ଧମକାଇଥିଲେ ବୋଲି ଆହତ କର୍ମଚାରୀ ଶ୍ରୀକାନ୍ତ ପ୍ରଧାନ ଓ ଲିଙ୍କନ ମଲିକ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଫୁଲବାଣୀ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଏହି ଘଟଣା ଏବେ ଫୁଲବାଣୀ ସହରରେ ଆତଙ୍କ ଖେଳାଇ ଦେଇଛି। ବନ୍ଧୁକ ମୁନରେ ଏଭଳି ଧମକ ଦେଇ ଟଙ୍କା ଲୁଟ୍‌ କରିବା ଘଟଣା ଫୁଲବାଣୀ ସହରରେ ପ୍ରଥମ ଘଟଣା ହୋଇଥିବାରୁ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button