ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍: ମୁଣ୍ଡପିଛା ଋଣ ୨୦,୧୭୭ଟଙ୍କା

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୧୨୧୫୫ କୋଟି ୭୩ଲକ୍ଷ ୫୧ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି। ଏବେ ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କର ଆବଶ୍ୟକ ଥିବା ଟଙ୍କା ଏଥିରୁ ଖର୍ଚ୍ଚ ହୋଇପାରିବ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତରେ ଯାଇଥିବାରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ସହ ଆଲୋଚନାରେ ଉତ୍ତର ରଖିଥିଲେ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହି ବଜେଟ୍ରେ ସ୍ବାସ୍ଥ୍ୟ କ୍ଷେତ୍ର, ମହିଳା ଓ ଶିଶୁ କଲ୍ୟାଣ, ଗୃହ ଓ ନଗର ଉନ୍ନୟନ କ୍ଷେତ୍ର, ପୁଞ୍ଜି ନିବେଶ, ନିରାପତ୍ତା, ଶିକ୍ଷା ଓ ଦକ୍ଷତା ବିକାଶ, ଆଦିବାସୀ ଓ ଜନଜାତି କଲ୍ୟାଣ, ଗ୍ରାମୀଣ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଓଡ଼ିଆ ଭାଷା ଓ ସଂସ୍କୃତି ଉପେର ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ମୁଣ୍ଡ ପିଛା ଋଣ ୨୫ହଜାର, ୨୭ହଜାର ଟଙ୍କାକୁ ବଢ଼ିଗଲା ବୋଲି ବିରୋଧୀ କହୁଛନ୍ତି। ବାସ୍ତବରେ ସେୟା ନୁହେଁ। ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦,୧୭୭ଟଙ୍କା ଅଛି। ଯାହା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍। ଚଳିତବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ଆମର ଋଣଭାର ଗତବର୍ଷ ଶେଷରେ ଋଣ ଭାର ତୁଳନାରେ ୨୫୯୭କୋଟି ଟଙ୍କା ହ୍ରାସ ପାଇଛି। ଗତବର୍ଷ ଅନୁରୂପ ସମୟରେ ରାଜ୍ୟ ସରକାରଙ୍କ ନିଟ୍ ଋଣ ଆହରଣ ୪୫୧୯କୋଟି ଥିଲା।
ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍
ନିର୍ବାଚନମଣ୍ଡଳୀ ଅନୁଯାୟୀ ୧୪୨କୋଟି ଆବଣ୍ଟନ
ବଜେଟ୍ରେ ନିର୍ବାଚନମଣ୍ଡଳୀ ଅନୁଯାୟୀ ଆବଣ୍ଟନକୁ (ସିଡବ୍ଲୁଏ) ୧୪୨କୋଟି ଟଙ୍କା ବରାଦ କରାଯାଇଛି। ପୂର୍ବରୁ ଏହା ସର୍ବାଧିକ ୨୮କୋଟି ଥିଲା। ଏହାଦ୍ବାରା ବିଧାୟକମାନେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନତିମୂଳକ ପାଇଁ ଅତିରିକ୍ତ ପ୍ରାୟ ୧କୋଟି ଟଙ୍କା ଲେଖାଏ ଖର୍ଚ୍ଚ କରିପାରିବେ। ବିରୋଧୀ ଦଳ ସଦସ୍ୟମାନେ କହୁଛନ୍ତି ଯେ ସରକାର ବଜେଟ୍ରେ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। ସାଧାରଣ ନିର୍ବାଚନ ପାଇଁ ଲାଗିଥିବା ଆଦର୍ଶ ଆଚରଣ ବିଧି ଯୋଗୁ ବିଭିନ୍ନ ପ୍ରକଳ୍ପ ପାଇଁ ଟେଣ୍ଡର ହୋଇପାରିନଥିଲା। ଏହାପରେ ଟେଣ୍ଡର ହୋଇଛି। ତେଣୁ ବିଭିନ୍ନ ପ୍ରକଳ୍ପ ବାବଦକୁ ଅର୍ଥ ଖର୍ଚ୍ଚ ବିଳମ୍ବ ହୋଇଛି। ହେଲେ ଚଳିତ ଆର୍ଥିକ ବର୍ଷରେ ଆମେ ପୂର୍ବ ସରକାର ତୁଳନାରେ ଅଧିକ ଅର୍ଥ ଖର୍ଚ୍ଚ କରିବୁ। ସେହିପରି ଆଜି ଆଲୋଚନାବେଳେ କେତେକ ବିଧାୟକ ବଜେଟରେ ବରାଦ କରାଯାଇଥିବା ଅର୍ଥ ବିନିଯୋଗ ଉପରେ ଆଶଙ୍କା ପ୍ରକଟ କରିଥିଲେ। ଏହା ଉପରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ବଜେଟର ପ୍ରାୟ ୪୩.୧% ଅର୍ଥ ଖର୍ଚ୍ଚ ହୋଇଛି। ପୂର୍ବ ବର୍ଷ ଏହି ସମୟରେ ୪୫.୯% ଅର୍ଥ ଖର୍ଚ୍ଚ ହୋଇଥିଲା। ଯେତେବେଳେକି ୨୦୨୧-୨୨ରେ ୪୬%, ୨୦୨୨-୨୩ରେ ୪୪% ମୋଟ୍ ବଜେଟ୍ର ଅର୍ଥ ଖର୍ଚ୍ଚ ହୋଇଥିଲା। ଚଳିତ ବର୍ଷ ବିଭିନ୍ନ ସମସ୍ୟା ସତ୍ତ୍ବେ ମାତ୍ର ୨.୮% କମ୍ ଅର୍ଥ ଖର୍ଚ୍ଚ ହୋଇଛି। କିନ୍ତୁ ଅର୍ଥର ପରିମାଣ ଦେଖିଲେ ଆମେ ଅଧିକ ୧୧୦୦କୋଟି ଖର୍ଚ୍ଚ କରିଛୁ। ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୧.୮୫%ରେ ସୀମିତ ଅଛି। ଜିଏସ୍ଡିପି ତୁଳନାରେ ଋଣଭାର ୧୦.୧୨% ରହିଛି। ସମସ୍ତ ବିତ୍ତୀୟ ସୂଚକାଙ୍କ ଧାର୍ଯ୍ୟ ସୀମା ତୁଳନାରେ ଯଥେଷ୍ଟ ତଳେ ଅଛି। ତେଣୁ ରାଜ୍ୟର ଋଣ ଭାରର ସ୍ଥିତି ପୋଷଣୀୟ ସ୍ତରରେ ରହିଛି।
ରାଜସ୍ବ ସଂଗ୍ରହ କମିବା ନେଇ ବିଧାୟକମାନେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ମିଛ। କାରଣ ଏହା ୧୦% ବଢ଼ିଛି। ଯାହା ବଜେଟ୍ ଆକଳନର ୫୪.୫% ଅଟେ। ବର୍ଷ େଶଷ ସୁଦ୍ଧା ଆମେ ଟାର୍ଗେଟ୍ ରାଜସ୍ବ ସଂଗ୍ରହ କରିବୁ। ଏହି ଅତିରିକ୍ତ ବ୍ୟୟବରାଦ ମାଧ୍ୟମରେ ଅାମେ ରାଜସ୍ବ ବଳକା ପରିସ୍ଥିତି ବଜାୟ ରଖିବୁ। ଆର୍ଥିକ ନିଅଣ୍ଟକୁ ଜିଏସ୍ଡିପିର ୩.୫% ମଧ୍ୟରେ ରଖିବୁ ଏବଂ ଜିଏସ୍ଡିପି ତୁଳନାରେ ଋଣଭାରକୁ ନିର୍ଦ୍ଧାରିତ ସ୍ତର ମଧ୍ୟରେ ସୀମିତ ରଖିବୁ। ପୁଞ୍ଜି ଖର୍ଚ୍ଚକୁ ଜିଏସ୍ଡିପିର ୬.୫%ରୁ ଅଧିକ ସ୍ତରରେ ବଜାୟ ରଖିବାକୁ ଆଶା ରଖୁଛୁ। ବଜେଟ୍ରେ ବରାଦ ହୋଇଥିବା ଅର୍ଥ ରାଜ୍ୟର ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ।