ରାଜ୍ୟ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସାଇଲେ ଓଡ଼ିଶାବାସୀ

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇଛି ସାରା ରାଜ୍ୟ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ। ଶୁକ୍ରବାର ଭୋରରୁ ‘ଆକା ମା ବୈ, ପାନ ଗୁଆ ଥୋଇ’ ସ୍ଵରରେ ପ୍ରକମ୍ପିତ ହୋଇଥିଲା ରାଜ୍ୟର ବିଭିନ୍ନ ଜଳାଶୟ ଓ ନଦୀ ପଠା।

କିଏ କଦଳୀ ପାଟ୍ଟୁକାରେ ତ ଆଉ କିଏ ରଙ୍ଗବେରଙ୍ଗ କାଗଜ ଓ ସୋଲ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି। ଲୋକେ ଡଙ୍ଗାରେ ପାନ, ଗୁଆ, ଦୀପ ଓ ଫୁଲ ରଖି ଭସାଇଛନ୍ତି। ଏହାସହ ରାଜ୍ୟର ଅନେକ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପାଇଁ ଭୁବନେଶ୍ୱରର ବିନ୍ଦୁସାଗର ଓ କୁଆଖାଇ ନଦୀ ପଠା, କଟକର ଗଡ଼ଗଡ଼ିଆ ଘାଟ, ତୁଳସୀପୁର ଘାଟ, ଗଣେଶଘାଟ, ଦେବୀଗଡ଼ା ଆଦି ସ୍ଥାନ ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ଗହଳି ଲାଗି ରହିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯାଇଥିଲା।

କାର୍ତ୍ତିକପୂର୍ଣ୍ଣିମାମହତ୍ତ୍ୱ

ହିନ୍ଦୁଧର୍ମରେ କାର୍ତ୍ତକ ପୂର୍ଣ୍ଣିମାର ବିଶେଷ ଗୁରୁତ୍ୱ ରହିଛି। ଏହି ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ତଥା ତ୍ରିପୁରା ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜିର ଦିନରେ ଦାନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନ୍ୟତା ରହିଛି ଯେ, ଆଜିର ଦିନରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ବଧ କରିଥିଲେ। ଯେଉଁଥିପାଇଁ ଏହାକୁ ତ୍ରିପୁରା ପୂର୍ଣ୍ଣିମା କୁହାଯାଏ।

ଅଧିକାଂଶ ଲୋକ ଏହି ପବିତ୍ର ଦିନରେ ଗଙ୍ଗାରେ ସ୍ନାନ କରିଥାନ୍ତି। ଏହିଦିନରେ ଗରିବମାନଙ୍କୁ ଚାଉଳ ଦାନ କରିବା, ଘରର ଦ୍ୱାରରେ ମୁରୂଜ ପକାଇବା ଶୁଭଙ୍କର ହୋଇଥାଏ ବୋଲି ବଶ୍ୱାସ ରହିଛି ଏବଂ ଶିବଲିଙ୍ଗରେ ଜଳ ଢାଳିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି କୁହାଯାଏ।

ଓଡ଼ିଶାରେ ଆଜିର ଦିନକୁ ଲୋକମାନେ ବିଶେଷ ଭାବେ ପାଳନ କରିଥାନ୍ତି। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ଏହାକୁ ଧୁମଧାମରେ ପାଳନ କରାଯାଏ।

ଭଳିକି ଭଳି ବୋଇତ ଓ ଡଙ୍ଗା ନଦୀ, ପୋଖରୀ ଆଦି ଜଳାଶୟରେ ଭସାଇ ଓଡ଼ିଆ ଘରର ଲୋକେ ସେହି ପ୍ରାଚୀନ ସ୍ମୃତିକୁ ମନେ ପକାଇଥାନ୍ତି। ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ଦିନ ହୋଇଥିବାରୁ ଲୋକେ ଏହାକୁ ଉତ୍ସବମୁଖର ହୋଇ ପାଳନ କରିଥାନ୍ତି। ଏଥିସହ କାର୍ତ୍ତକ ପୂର୍ଣ୍ଣିମାରୁ ହିଁ କଟକରେ ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରାର ଶୁଭାରମ୍ଭ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button