ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା, ତାତିଲେ ଯାତ୍ରୀ
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ତାତିଲେ ଯାତ୍ରୀ । ବିମାନ ଉଡାଣ ବାରମ୍ବାର ବାତିଲ୍ ହେବକୁ ନେଇ ଅସନ୍ତୋଷ ପ୍ରକାଶ କରି ଧାରଣାରେ ବସିଥିଲେ । ଯଥାଶୀଘ୍ର ସେମାନଙ୍କ ଯିବା ପାଇଁ ବିମାନ ବ୍ୟବସ୍ଥା କରିବା ପାଇଁ ଦାବି କରି ବିମାନ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ ପାଖାପାଖି ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ବିମାନବନ୍ଦରରୁ ହାଇଦ୍ରାବାଦ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ବାତିଲ୍ ହେବା ପରେ ବିମାନ କର୍ତ୍ତୃପକ୍ଷ ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।
ତେବେ ଗତକାଲି କୌଣସି କାରଣରୁ ପ୍ରଥମେ ହାଇଦ୍ରାବାଦ୍ ଯିବାକୁ ଥିବା ବିମାନ ବାତିଲ୍ କରାଯାଇଥିଲା । ପରେ ଏହା ଆଜି ସକାଳେ ୮ଟା ୪୫ ମିନିଟରେ ଉଡାଣ ଭରିବାର ଥିଲା । ହେଲେ ଆଜି ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି । କୌଣସି କାରଣ ନଦର୍ଶାଇ ମନକୁ ମନ ବିମାନ ବାତିଲ୍ କରିଦିଆଯାଇଛି । ଯାହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ହେବା ସହ ବିମାନବନ୍ଦରର ୬ ନଂ ଗେଟରେ ଧାରଣା ଦେଇଥିଲେ ୬୦ ରୁ ଅଧିକ ଯାତ୍ରୀ ।
ତେବେ ଏହାକୁ ନେଇ ବିମାନ କର୍ତ୍ତୃପକ୍ଷ କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁଁ ହାଇଦ୍ରାବାଦରୁ ଏୟାରକ୍ରାଫ୍ଟ ନଆସିବା କାରଣରୁ ଗତକାଲି ସକାଳେ ୭.୫୫ ଯିବାକୁ ଥିବା ବିମାନ ବାତିଲ୍ କରାଯାଇଥିଲା । ଆଜି ବିମାନ ଆସିବାରେ ବିଳମ୍ବ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ବର୍ତ୍ତମାନ ହାଇଦ୍ରାବାଦ ଯିବାକୁ ଥିବା ବିମାନ ଭୁବନେଶ୍ବରରେ ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଛି । ତେବେ ଏହି ବିମାନରେ ମୋଟ ୧୫୦ ଯାତ୍ରୀ ଯିବାକୁ ଥିବା ବେଳେ ଏଥିରୁ କିଛି ହାଇଦ୍ରାବାଦ ଏବଂ ଆଉ କିଛି ଯାତ୍ରୀ ସୁରଟ ପାଇଁ ଯାତ୍ରା କରୁଛନ୍ତି ।