ଆଦିବାସୀ ବହୁଳ ବାଂଶପାଳ ବ୍ଲକରେ ମିଳିଲା ସୁନା ଖଣିର ସନ୍ଧାନ, ଲୋକଙ୍କର ହେବ ଭାଗ୍ୟୋଦୟ

ବାଂଶପାଳ: ଓଡ଼ିଶାରେ ମିଳିଲା ସୁନା ଖଣି । ଏବେ ଆଦିବାସୀ ବହୁଳ ବାଂଶପାଳ ବ୍ଲକରେ ବର୍ଷିବ ସୁନା । ଲୋକଙ୍କର ହେବ ଭାଗ୍ୟୋଦୟ । ସୁନାଖଣିର ସନ୍ଧାନ ମିଳିବା ପରେ କେନ୍ଦୁଝର ଜିଲ୍ଲାର ଅବହେଳିତ ବାଂଶପାଳ ବ୍ଲକବାସୀଙ୍କ ଭାଗ୍ୟ ବଦଳିବା ନେଇ ଆଶା ସଞ୍ଚାର ହୋଇଛି । ସୁନାଖଣିର ନମୂନା ସଂଗ୍ରହ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, କେବେ ସୁନାଖଣି ଆରମ୍ଭ ହେବ ତାକୁହିଁ ଚାହିଁ ରହିଛନ୍ତି ଲୋକେ ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଗୋପପୁର ଗାଁ ।
ଗାଁଠାରୁ କିଛି ଦୂର ଜଙ୍ଗଲରେ ସୁନାଖଣିର ସନ୍ଧାନ ମିଳିବା ପରେ ଜାରି ରହିଛି ନମୂନା ସଂଗ୍ରହ କାର୍ଯ୍ୟ । ଜଙ୍ଗଲର ଦେଢ କିଲୋମିଟର ବ୍ୟାସାର୍ଧରେ ଶହେ ମିଟର ମାଟି ଭିତର ଯାଏ ଗାତ ଖୋଲି ସେଥିରୁ ନମୂନା ସଂଗ୍ରହ କରାଯାଉଛି । ଗତ ୨ବର୍ଷ ଧରି ଭାରତ ସରକାରଙ୍କ ଦ୍ୱାରା ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଦ୍ବାରା ଚାଲିଥିବା ଏହି ନମୂନା ସଂଗ୍ରହ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକଦା ତରମାକାନ୍ତ ଅଞ୍ଚଳ ଚାହା ଚାଷ ପାଇଁ ପ୍ରସିଦ୍ଧିଲାଭ କରିଥିଲା । ହେଲେ ତାହା ଏବେ ବନ୍ଦ ହୋଇଯାଇଛି ।
ଆଦିବାସୀବହୁଳ ଏହି ଅଞ୍ଚଳର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ୮୦ଦଶକରୁ ଏହି ଅଞ୍ଚଳରେ ସୁନାଖଣି ପାଇଁ ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇ କିଛି ବର୍ଷ ହେବ ବନ୍ଦ ରହିଥିଲା । କିନ୍ତୁ ଗତ ୨ବର୍ଷ ଧରି ପୁନର୍ବାର ଭାରତ ସରକାରଙ୍କ ଦ୍ୱାରା ନମୂନା ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହେବା ପରେ ଅଞ୍ଚଳବାସୀଙ୍କ ମନରେ ଏକ ନୂତନ ଆଶାର ସଞ୍ଚାର ହୋଇଛି । ସୁନାଖଣି ହେଲେ ଜଳଡିହା ଓ ଗୋପପୁର ଗାଁ ସହିତ ସମଗ୍ର ବାଂଶପାଳ ବ୍ଲକବାସୀଙ୍କର ଆର୍ଥିକ ଅଭ୍ୟୁଦୟ ଘଟିବ ବୋଲି କହିଛନ୍ତି ଅଞ୍ଚଳବାସୀ ।
ସୂଚନାଯୋଗ୍ୟ, ଭୂତାତ୍ତ୍ୱିକ ଆକଳନନରୁ ଏହି ଅଞ୍ଚଳରେ ସୁନା ଗଛିତ ଥିବା ଜଣାପଡିଛି । ଜିଏସଆଇ ଦ୍ୱାରା ତମ୍ବା ପଥର ସନ୍ଧାନ ବେଳେ ମିଳିଥିଲା ଏହି ସୁନା ଖଣିର ସନ୍ଧାନ । ତେବେ ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା ସୂଚନା ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୁତି ଜେନା ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।




