ମୁଦା ଦୁର୍ନୀତି ମାମଲା: ସିଦ୍ଦରମୈୟାଙ୍କୁ ସମନ କଲେ ଲୋକାୟୁକ୍ତ

ବେଙ୍ଗାଲୁରୁ: ମୁଦା (ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ) ଜମି ଦୁର୍ନୀତି ମାମଲାରେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ ସମନ କରିଛନ୍ତି। ସିଦ୍ଦରମୈୟାଙ୍କୁ ସମନ କରିଥିବା ଲୋକାୟୁକ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପାର୍ବତୀ ବିଏମ୍ଙ୍କୁ ମଧ୍ୟ ଏହି ମାମଲାରେ ଜେରା କରି ସାରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଲୋକାୟୁକ୍ତଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବାପାଇଁ ଅନୁମତି ଦେବା ରାଜ୍ୟପାଳଙ୍କ ଅଧିକାର ପରିସରଭୁକ୍ତ ବୋଲି ନିକଟରେ କୋର୍ଟ ଘୋଷଣା କରିବାପରେ ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ ସମନ କରିଛନ୍ତି।
ନଭେମ୍ବର ୬ ତାରିଖରେ ତାଙ୍କୁ ହାଜର ହେବାପାଇଁ କୁହାଯାଇଛି। ଏସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି, ହଁ ଲୋକାୟୁକ୍ତ ପୁଲିସ ମତେ ସମନ କରିଛନ୍ତି ଏବଂ ମୁଁ ନଭେମ୍ବର ୬ ତାରିଖରେ ମହୀଶୂର ଲୋକାୟୁକ୍ତ ଯିବି। ଲୋକାୟୁକ୍ତ ଅକ୍ଟୋବର ୨୫ରେ ପାର୍ବତୀ ବିଏମ୍ଙ୍କୁ ଜେରା କରିଥିଲେ। ଅକ୍ଟୋବର ୨୯ରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମୁଦାର ପୂର୍ବତନ କମିସନର ଡିବି ନତେଶଙ୍କୁ ମନି ଲଣ୍ଡରିଂ ମାମଲାରେ ଜେରା କରିଥିଲା।