ରାଜ୍ୟ

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ: ୧୦୦ ସିଟ୍‌ରେ ପାଠପଢ଼ା ‌ପାଇଁ ଆବେଦନ କରାଯିବ

ନୁଗୁଳ: ଅନିଶ୍ଚିତତା ଘେରରେ ରହିଥିବା ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ନେଇ ପୁଣି ଆଶା ସଂଚାର ହୋଇଛି। ଏହି ମେଡିକାଲ କଲେଜ ପରିଚାଳନା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ମେଡିକାଲ କଲେଜ ଚଳାଇବା ନେଇ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଏଥିରେ ଆଲୋଚନା କରାଯିବା ସହ ସମାଧାନର ରାସ୍ତା ଖୋଜା ହୋଇଛି।

ଆସନ୍ତା ବର୍ଷରୁ ଏହି ମେଡିକାଲ କଲେଜକୁ ଚଳାଇବା ନେଇ ବୈଠକରେ ଆପାତତଃ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ୧୦୦ ଏମ୍ବିବିଏସ୍ ସିଟ୍ରେ ପାଠପଢ଼ା ପାଇଁ ଜାତୀୟ ସ୍ବାସ୍ଥ୍ୟ କମିସନ (ଏନ୍ଏମ୍ସି) ପାଖରେ ଆବେଦନ କରାଯିବ। ଏପଟେ ଏହାର ଟିଚିଂ ହସ୍ପିଟାଲ୍ ଭାବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବହାର କରାଯିବ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ଅଧିକ ରହୁଥିବାରୁ ଓ ଏଠାରେ ଭିତ୍ତିଭୂମି ଅପେକ୍ଷାକୃତ ଭଲ ଥିବାରୁ ଏପରି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଅନୁଗୁଳ ଜିଲ୍ଲାପାଳ ଓ ଏମ୍ସିଏଲ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମେଡିକାଲ କଲେଜ ଓ ଡାକ୍ତରଖାନା ପାଇଁ ଭିତ୍ତିଭୂମି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ କେଉଁ କାରଣ ପାଇଁ ଏହା ଚାଲି ପାରୁନି ସେ ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା। ବୈଠକରୁ ଜଣାପଡ଼ିଥିଲା ଯେ, ମେଡିକାଲ କଲେଜ ପରିଚାଳନା ପାଇଁ ଏମ୍ସିଏଲ୍ ଅର୍ଥ ଦେବାକୁ ରାଜି ହୋଇଥିଲା ବେଳେ ଏହାର ପରିଚାଳନା ଭାର ରାଜ୍ୟ ସରକାର ମୁଣ୍ଡାଇବେ ବୋଲି ପୂର୍ବରୁ ଚୁକ୍ତି ହୋଇଛି।

ତେବେ ମେଡିକାଲ କଲେଜ ଚଳାଇବା ପାଇଁ ଏପର୍ଯ୍ୟନ୍ତ ଅନୁମତି ମଗାଯାଇନି। ଏଥିନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ବୈଠକରେ ନିର୍ଦେଶ ଦିଆଯାଇଛି। ଏପଟେ ମେଡିକାଲ କଲେଜ ଓ ଡାକ୍ତରଖାନାର ଭିତ୍ତିଭୂମି ପ୍ରସ୍ତୁତ କରିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁଗୁଳ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଦାୟିତ୍ବ ଦିଆଯାଇଛି। ପବିତ୍ର ମୋହନ ସରକାରୀ ମେଡିକାଲ କର୍ତ୍ତୃପକ୍ଷ ଓ ଏମ୍ସିଏଲ୍ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସହଯୋଗ କରିବେ। ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମସ୍ତ କାମ ଶେଷ କରି ମେଡିକାଲ କଲେଜର ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯିବ। ଏଥିପାଇଁ ଆବଶ୍ୟକ ଡାକ୍ତର ଓ ଅନ୍ୟ କର୍ମଚାରୀ ନିଯୁକ୍ତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରୁ ଯେମିତି ଏଠାରେ ପାଠପଢ଼ା ହୋଇପାରିବ ସେଥିନେଇ ସମସ୍ତ ପ୍ରକାର କାର୍ଯ୍ୟ ଏବେଠାରୁ ଆରମ୍ଭ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ, ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button