ରାଜ୍ୟ

ଏକାମ୍ର କ୍ଷେତ୍ରରେ ହବିଷିଆଳି: ରାଈ ଦାମୋଦର ପୂଜା ପାଇଁ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ହବିଷିଆଳିଙ୍କ କାର୍ତ୍ତିକ ବ୍ରତ ଶୁକ୍ରବାରଠାରୁ ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଚାଲିଛି। କୁମାର ପୂର୍ଣ୍ଣମୀ ପରଦିନ ଏହି ବ୍ରତ ଆରମ୍ଭ ହେବା ନିୟମ ଥିବାରୁ ହବିଷିଆଳିମାନେ ଏକାମ୍ର କ୍ଷେତ୍ରରେ ଆସି ପହଞ୍ଚିଲେଣି। ମାସ ତମାମ ଚାଲିବ ରାଈ ଦାମୋଦର ପୂଜା। ପ୍ରତିବର୍ଷ ପରି ହବିଷିଆଳିମାନେ ଦୁଦଵାଲା ଧର୍ମଶାଳାରେ ଆସି ରହିଛନ୍ତି।

ପରମ୍ପରା ଅନୁଯାୟୀ ହବିଷିଆଳିମାନେ ଭୋର ୪ଟାରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛରେ ପାଣି ଦେଇ ପୂଜାର୍ଚ୍ଚନା କରିବା ସହ ଜଗନ୍ନାଥଙ୍କୁ ଦର୍ଶନ କରବେ। ଏହା ପରେ ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପିଇବେ। ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରବେ।

ଏହାପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉଁରା ମୂଳେ ମୁରୁଜ ପକାଇବେ। ସେମାନେ ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ଅଙ୍କନ କରିବେ। ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋକୁ ପୂଜା କରିବା ସହ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ବଳିତା ଦେଇ ଆଳତି କରିବେ। ଏହାପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ସେବନ କରିବେ ବୋଲି ହବିଷିଆଳିମାନେ କହିଛନ୍ତି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ଦାମୋଦର ବେଶ ମଧ୍ୟ ଆରମ୍ଭ ହେବ। କାର୍ତ୍ତିକ ମାସ ତମାମ ମନ୍ଦିରରେ ସକାଳ ଧୂପରେ ଓ ସନ୍ଧ୍ୟା ଧୂପରେ ଏହି ବେଶ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେପଟେ ସୁଆର ସେବାୟତମାନେ ହବିଷିଆଳିମାନଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ୍ୟ ଡାଲମା ପ୍ରସ୍ତୁତ କରିବେ ବୋଲି କହିଛନ୍ତି। କୋରାପୁଟ ଜୟପୁରରୁ ୩ ଭଉଣୀ ସୌଭାଗିନୀ ପଣ୍ଡା, ମଞ୍ଜୁଳା ପଣ୍ଡା ଓ ସବିତା ପଣ୍ଡା ଆସିଥିବା ବେଳେ ଧଉଳି ନିକଟରୁ ଅହଲ୍ୟା ସାହୁ ଓ ପୂର୍ଣ୍ଣିମା ସାହୁ ଦୁଦଵାଲା ଧର୍ମଶାଳାରେ ପହଞ୍ଚିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button