ଘର ଆଗରେ ଯୁବକଙ୍କୁ ଦଳିଦେଲା ଦନ୍ତା, ହାତୀ ସ୍କ୍ବାଡ୍ ସଦସ୍ୟଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ
ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଗ୍ରାମର ଧରଣୀ ପାତ୍ର(୪୦)। ଗତ ୧୦ ଦିନ ମଧ୍ୟରେ ଏହା ହେଉଛି ହାତୀ ଆକ୍ରମଣରେ ୪ର୍ଥ ମୃତ୍ୟୁ ଘଟଣା। ଏଥିରେ ଉତ୍ତ୍ୟକ୍ତ ଗ୍ରାମବାସୀ ହାତୀ ସ୍କ୍ବାଡ୍ର (ପାରା କର୍ମଚାରୀ) ତପନ ନାଏକଙ୍କୁ ଡାକ୍ତରଖାନାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଧରଣୀ ଆଜି ଭୋର ପ୍ରାୟ ସାଢ଼େ ୪ଟାବେଳେ ଘର ଅଗଣା ଝାଡ଼ୁ କରିବା ସମୟରେ ନିକଟରେ ବୁଲୁଥିବା ଏକ ଗୋଠଛଡ଼ା ଦନ୍ତା ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଝାପ୍ସା ଅନ୍ଧାର ଭିତରେ ଧରଣୀ କିଛି ବୁଝିବା ବା କରିବା ପୂର୍ବରୁ ଦନ୍ତା ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେବା ସହ ପାଦରେ ଦଳି ଦେଇଥିଲା। ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ପ୍ରାୟ ସାଢ଼େ ୫ଟାରେ ଧରଣୀଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାତୀ ଆକ୍ରମଣରେ ବାରମ୍ବାର ଜୀବନ ହାନି ଓ ବ୍ୟାପକ କ୍ଷୟକ୍ଷତି ହେଉଥିବାରୁ ଜନସାଧାରଣ ବନ ବିଭାଗକୁ ଦାୟୀ କରିବା ସହ ତାତିଥିଲେ। ସେମାନଙ୍କ ସହ ଯାଇଥିବା ବନ ବିଭାଗର ପାରା କର୍ମଚାରୀ ତପନ କୁମାର ନାଏକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଖବର ପାଇ ବଣାଇ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତପନଙ୍କୁ ଛାଡ଼ି ଦିଆଯାଇଛି।
ପରେ ଉତ୍ତ୍ୟକ୍ତ ଜନତା ବଣାଇ ବନଖଣ୍ଡ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଆଲୋଚନା ପାଇଁ ଡିଏଫ୍ଓଙ୍କୁ ଆସିବାକୁ ଦାବି କରିଥିଲେ। ପୂର୍ବାହ୍ନ ସାଢ଼େ ୯ଟାବେଳକୁ ଡିଏଫ୍ଓ ଲଳିତ କୁମାର ପାତ୍ର ଆଲୋଚନାକୁ ଆସିଥିଲେ। ହାତୀ ଘଉଡ଼ାଇବା କ୍ଷେତ୍ରରେ ଗୋଟିଏ ବନାଞ୍ଚଳ ଓ ଅନ୍ୟ ବନାଞ୍ଚଳ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଜନତାଙ୍କ ଜୀବନ ବିପନ୍ନ ହେଉଥିବା ଓ ଉପଯୁକ୍ତ କ୍ଷତିପୂରଣ ଦେବା ଲାଗି ଦାବି କରାଯାଇଥିଲା। ତୁରନ୍ତ ମୃତକଙ୍କୁ କ୍ଷତିପୂରଣ, ତାଙ୍କ ପରିବାରର ଜଣକୁ ଚାକିରି, ହାତୀ ଘଉଡ଼ାଇବାକୁ ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟକଳାପର ତଦନ୍ତ ନେଇ ଡିଏଫ୍ଓ ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଦାବିକ୍ରମେ ମୃତକଙ୍କ ଅନ୍ତ୍ୟେଷ୍ଟି ପାଇଁ ବିଭାଗ ପକ୍ଷରୁ ଆଜି ୬୦ ହଜାର ଟଙ୍କା ଓ ସହଯୋଗ ପାଇଁ ବନବିଭାଗ ରାଜି ହୋଇଥିଲା। ଅବଶିଷ୍ଟ ୫ ଲକ୍ଷ ୪୦ ହଜାର ଟଙ୍କା ବ୍ୟାଙ୍କ ଜମା ଆକାରରେ ମିଳିବ ବୋଲି ଡିଏଫ୍ଓ କହିଛନ୍ତି। ଧରଣୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ବଣାଇ ଉପଖଣ୍ଡରେ କ୍ରମାଗତ ହାତୀ ଉପଦ୍ରବ ଲାଗିରହିଛି। ଗତ ୧୦ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହେଲାଣି। ୧୨ ତାରିଖରେ ଗୁରୁଣ୍ଡିଆ ବ୍ଲକ୍ ସୋଲ ବନାଞ୍ଚଳ ଟୁକୁଡ଼ା ଗ୍ରାମର ଜଣେ ଯୁବକ, ୧୪ ତାରିଖରେ ସେହି ଗୁରୁଣ୍ଡିଆ ବ୍ଲକ୍ କଣ୍ଟାପାଲି ମୁଣ୍ଡାବସ୍ତିର ୧୨ ଓ ୪ ବର୍ଷର ଦୁଇଝିଅ ଓ ଆଜି ପୁଣି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।