ରାଜ୍ୟ

ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ଦିଲ୍ଲୀ ଗଲେ ଆଇଜି ଏସ୍. ସାଇନି

ଭୁବନେଶ୍ୱର,୧୫/୧୦: ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ଜଣେ ୩୪ ବର୍ଷୀୟା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ସହ ନେଇଛନ୍ତି । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍.ସାଇନିଙ୍କୁ ରାଜ୍ୟ ସରକାର ତୁରନ୍ତ ଦିଲ୍ଲୀ ପଠାଇଛନ୍ତି । ଶ୍ରୀମତୀ ସାଇନି ସେଠାରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବେ ।

ଏହା ବ୍ୟତୀତ ଦିଲ୍ଲୀ ପୁଲିସ ସହ ଉପଯୁକ୍ତ ସମନ୍ୱୟ ରଖି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜ୍ୟ ପୁଲିସ ପକ୍ଷରୁ ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣା ବିଷୟରେ ଡିଜିପି ୱାଇ.ବି. ଖୁରାନିଆ ଦିଲ୍ଲୀ ପୁଲିସ୍ କମିଶନରଙ୍କ ସହ କଥା ହୋଇଛନ୍ତି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି । ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଓଡ଼ିଶା ପୁଲିସ୍ ଯୋଗାଯୋଗରେ ରହିଛି । ଡିଜିପି କହିଛନ୍ତି, କେମିତି ପୀଡ଼ିତା ଓ ତାଙ୍କ ପରିବାର ଲୋକ ଓଡ଼ିଶା ଆସିବେ ସେ ନେଇ ସବୁ ବ୍ୟବସ୍ଥା କରାଯିବ । ଦିଲ୍ଲୀ ପୁଲିସ୍ଠାରୁ ମିଳିଥିବା ସୂଚନା ମୁତାବକ, ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର ଦୁଷ୍କର୍ମ କରାଯାଇଥିଲା । ଶନିବାର ଭୋର ପ୍ରାୟ ୩.୩୦ରେ ପୁଲିସ୍ ମହିଳାଙ୍କ ସମ୍ପର୍କରେ ସୂଚନା ପାଇଥିଲା । ପୁଲିସ୍ ତୁରନ୍ତ ପହଞ୍ଚି ମହିଳାଙ୍କୁ ଏମ୍ସ ହସ୍ପିଟାଲ୍କୁ ନେଇଥିଲା ।

ମହିଳା ଜଣଙ୍କ ପ୍ରାୟ ବର୍ଷେ ହେବ ଦିଲ୍ଲୀରେ ରହୁଛନ୍ତି । ସେ ସ୍ନାତକ ପାଶ୍ କରିଛନ୍ତି । ଦିଲ୍ଲୀ କଟୱାରିଆ ସରାଇରେ ସେ ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ । କୌଣସି କାରଣରୁ ଗତ ଅଗଷ୍ଟରେ ତାଙ୍କୁ ବନ୍ଧୁଙ୍କ ଘର ଖାଲି କରିବାକୁ କୁହାଯାଇଥିଲା । ଏଥିଯୋଗୁ ସେ ଦିଲ୍ଲୀର ରାଜରାସ୍ତାରେ ଓ କିଷନଗଡ଼ରେ ଥିବା ଏଟିଏମ୍ ବୁଥ୍ରେ ଅନେକ ରାତି କାଟିଥିବା ଜଣାପଡ଼ିଛି । ଏବେ ସେ ଏମ୍ସରେ ଚିକିତ୍ସିତ ହେଉଥିବାରୁ ପୁଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିପାରୁ ନାହିଁ । ଦିଲ୍ଲୀ ପୁଲିସ୍ ତାଙ୍କ ବାପା ମା’ଙ୍କୁ ଖବର ଦେଇଥିଲା । ତାଙ୍କ ଭାଇ ଓ ଅନ୍ୟ ପରିବାର ସଦସ୍ୟ ଦିଲ୍ଲୀ ଯାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button