ରାଜ୍ୟ

‘ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ’ ପୁସ୍ତକ ଉନ୍ମୋଚନ କଲେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ

ଭୁବନେଶ୍ୱର,୧୫/୧୦: ‘ନ୍ୟୁଜ୍ ସେଭେନ୍’ର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ’ ବହି ଭାବରେ ଆତ୍ମପ୍ରକାଶ କରିଛି । ଖୁବ୍ଶୀଘ୍ର ଏହା ୩୦୦ ଅଧ୍ୟାୟ ପୂରଣ କରିବାକୁ ଯାଉଛି । କିନ୍ତୁ ତା’ପୂର୍ବରୁ, ଯେହେତୁ ମାତୃ ଆରାଧନାର ଶାରଦୀୟ ଉତ୍ସବ ଚାଲିଛି, ତେଣୁ ଏଇ ଉତ୍ସବରେ ଏହାର ପ୍ରଥମ ଭାଗ ଆତ୍ମପ୍ରକାଶ କରିଛି ।

ଶାରଦୀୟ ଅବକାଶରେ ବହିର ଶୁଭ ଉନ୍ମୋଚନ କରି ଖୁସି ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ତଥା ସୁମା ରିୟଲ ମିଡିଆର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକ । ଆମେ ଅନେକ କଥା ଜାଣିନାହୁଁ, ଯାହା ଜଣାଇବାରେ ଏ ବହି ସାହାଯ୍ୟ କରିବ ନିଶ୍ଚୟ । କାରଣ ଏହା ଇତିହାସର ବାସ୍ତବ ଚିତ୍ର। ୨୯୮ ଅଧ୍ୟାୟ ହେଲାଣି, ଏହାର ଯାତ୍ରା ଆହୁରି ଅଧିକ ହେଉ । ହଜାର ହଜାର ଅଧ୍ୟାୟ ହେଉ ବୋଲି କାମନା କରିଛନ୍ତି ପ୍ରଫେସର ଡ. ନାୟକ ।

ଏବେ ଗ୍ଲୋବାଲ୍ ଏବଂ ଲୋକାଲ୍ ସମୟ। ତେଣୁ କଳ୍ପନା ଅପେକ୍ଷା ବାସ୍ତବ ଲେଖା ଅଧିକ ଗ୍ରହଣଯୋଗ୍ୟ ବୋଲି ‘ଆଦିତ୍ୟ ଭାରତ’ ପ୍ରକାଶନୀର ମୁଖ୍ୟ ଦେବାଶିଷ ସାମନ୍ତରାୟ କହିଛନ୍ତି । ବହି ପ୍ରକାଶ ପରେ ଦୀର୍ଘବର୍ଷର ପରିଶ୍ରମ ସାର୍ଥକ ହୋଇଛି ବୋଲି କହିଛନ୍ତି ଦୀପଙ୍କର ଦାସ । ଓଡ଼ିଶାରେ ପର୍ଯ୍ୟଟନ ନେଇ ଅନେକ ବହି ଲେଖାଯାଇଛି, ଧର୍ମପୀଠ ଓ ପୀଠର କିମ୍ବଦନ୍ତୀ ନେଇ ମଧ୍ୟ ଅନେକ ବହି ଲେଖାଯାଇଛି । କିନ୍ତୁ ଏ ଏମିତି ଏକ ବହି, ଯେଉଁଥିରେ ପର୍ଯ୍ୟଟନ ରହିଛି, ଲୋକକଥା, ମାନ୍ୟତା ରହିଛି । ଦୁର୍ଗମ ପର୍ବତ ହେଉ କି, ରହସ୍ୟମୟ ଗୁମ୍ଫା । ସବୁଠି ପହଞ୍ଚୁଛି ‘ନ୍ୟୁଜ୍ ସେଭେନ୍’ର ‘ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ’ ଟିମ୍ । ଯାହା ‘ନ୍ୟୁଜ୍ ସେଭେନ୍’ରେ ଦେଖିବାକୁ ମିଳୁଥିଲା, ତାହା ଏବେ ବହି ଆକାରରେ ବଜାର ପ୍ରବେଶ କରିଛି । ୨୨୮ ପୃଷ୍ଠାର ନିଆରା ଏ ବହି, ‘ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ’ ସଂଗ୍ରହଣୀୟ ।

Related Articles

Leave a Reply

Your email address will not be published. Required fields are marked *

Back to top button