ରାଜ୍ୟ

ମା’ଙ୍କୁ ବିଦାୟ ଦେବାକୁ ଉଛୁଳିଲା ଜନପଥ: ସହିଦନଗରରେ ଏକାଠି ହେଲେ ୧୯ ମେଢ, ଡିଜେ ବିବାଦ ପାଇଁ ୬ ଆସିଲେନି

ଭୁବନେଶ୍ୱର ୧୫/୧୦: ମା’… ଦୁର୍ଗତିନାଶିନୀ ଦେବୀ ଦୁର୍ଗା । ଭକ୍ତଙ୍କ ଗହଳିରୁ ବିଦାୟ ନେଲେ । ଧୂପ, ଦୀପ, ଝୁଣା ସାଙ୍ଗକୁ ପାରମ୍ପରିକ ବାଦ୍ୟ ବଜାଇ ମା’ଙ୍କୁ ବିଦାୟ ଦିଆଯାଇଛି । ୯ ଦିନିଆ ଯାତ୍ରାରେ ଧରାପୃଷ୍ଠାକୁ ଆସି ଭକ୍ତଙ୍କୁ ନିଜ ପଣତକାନିରେ ବାନ୍ଧି ରଖିଥିଲେ । କେଉଁଠି ମା’ର ପ୍ରଚଣ୍ଡ ରୂପ ତ ଆଉ କେଉଁଠି ମା’ଙ୍କ କରୁଣାମୟୀ ରୂପଁ ଦେଖି ଦେଇ ଭକ୍ତ ହେଉଥିଲେ ବିଭୋର ।

ମା’ ଆସିବା ପରେ ରାଜଧାନୀ ହୋଇ ଉଠିଥିଲା ଉତ୍ସବ ମୁଖର ହେଲେ ମେଲାଣୀ ଥିଲା କଷ୍ଟଦାୟକ ।

ସନ୍ଧ୍ୟା ହେଉ ହେଉ ରାଜରାସ୍ତା ହୋଇଉଠିଥିଲା ଲୋକାରଣ୍ୟ । ରାଜରାସ୍ତାରେ ଘୋଡ଼ାନାଚ, ବାଘନାଚ, ଷଣ୍ଢନାଚ ପରି ପାରମ୍ପରିକ ବାଦ୍ୟ ବଜାଇ ମା’ଙ୍କୁ ବିଦାୟ ଦିଆଯାଉଥିଲା । ରାଜଧାନୀର ରାସ୍ତା ହୋଇଉଠିଥିଲା ଦେବୀମୟ । ଉଚ୍ଛୁଳି ପଡ଼ୁଥିଲା ରାଜରାସ୍ତା । ଝୁଣା ଓ ଧୂପରେ ମହକୁଥିଲା ରାସ୍ତାଘାଟ । ଘଣ୍ଟଘଣ୍ଟା, ଶଙ୍ଖନାଦରେ ଥରୁଥିଲା ମେଦିନୀ । ମା’ଙ୍କୁ ଶେଷ ଦର୍ଶନ କରିବା ଲାଗି ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ ଭକ୍ତ ।

ରାଜଧାନୀରେ ନିର୍ଦ୍ଧିଷ୍ଟ ମଣ୍ଡପରେ ମା’ ପହଞ୍ଚିବା ପରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମନ୍ଦିର ସୁରକ୍ଷା ଭସାଣି ସମିତି ତଥା ନୂଆପଲ୍ଲୀ ଦୁର୍ଗାପୂଜା ସମିତି, ଭୁବନେଶ୍ୱର ଭସାଣି ସମିତି, ଏକାମ୍ରକ୍ଷେତ୍ର ଭସାଣି ସମିତି ଓ ଉତ୍ତର ଭୁବନେଶ୍ୱର ଭସାଣି ସମିତି ୨ଟି ସ୍ଥାନରେ ଭସାଣି ଉତ୍ସବ ଆୟୋଜିତ ହୋଇଥିଲା । ଏହା ବ୍ୟତୀତ ଅନେକ ପୂଜା ମଣ୍ଡପ ଏକା ଏକା ଶୋଭାଯାତ୍ରା କରି ମା’ଙ୍କୁ ମେଲାଣି ଦେଇଥିଲେ । ରସୁଲଗଡ଼ ଦୁର୍ଗାପୂଜା କମିଟି, ବରମୁଣ୍ଡା ଦୁର୍ଗାପୂଜା କମିଟି ଅଲଗା ଭାବେ ଭସାଣୀ କରି ମା’ଙ୍କୁ ବିଦାୟ ଦେଇଥାନ୍ତି । ସେହିପରି ମା’ଙ୍କ ଭସାଣୀ ଲାଗି କୁଆଖାଇ ଓ ଦୟା ନଦୀ ପଠାରେ ମୂର୍ତ୍ତି ବିସର୍ଜନ ପାଇଁ ୫ଟି ଅସ୍ଥାୟୀ ପୁଷ୍କରିଣୀ କରାଯାଇଥିଲା । ୧୦ ଫୁଟ ଗଭୀର ଏହି ପୋଖରୀରେ ଚଳିତବର୍ଷ ବିସର୍ଜନ ପାଇଁ ସ୍ୱତନ୍ତ୍ର ହାଇଡ୍ରା ମେସିନ ବ୍ୟବହାର କରାଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବୋଟ ଧରି ଉପସ୍ଥିତ ଥିଲେ ।

ସହିଦନଗରରେ ଏକାଠି ହେଲେ ୧୯ ମେଢ

ରାଜଧାନୀର ଅନ୍ୟତମ ପ୍ରମୁଖ ପୂଜା କମିଟି ସହିଦ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ମା’ଜଗତଜନନୀଙ୍କୁ ବିଦାୟ ଦିଆଯାଇଛି । ଚଳିତବର୍ଷ ସହିଦ ନଗର ସହ ଏକାଠି ହୋଇଛନ୍ତି ରାଜଧାନୀର ୧୯ ପ୍ରମୁଖ ପୂଜା କମିଟିର ମେଢ଼ । ତେବେ ପ୍ରଥମାର୍ଦ୍ଧରେ ୧୧ଟି ସୁସଜ୍ଜିତ ମେଢ଼ ସହିଦ ନଗରରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରେ ସତ୍ୟନଗର ବନଦୁର୍ଗା ପୂଜା କମିଟି, କଟକ ରୋଡ୍ ସ୍ଥିତ ଲକ୍ଷ୍ମୀ ସାଗର, ୟୁନିଟ-୧ ମହାଦେବ ପୂଜା କମିଟି, ଭୀମଟାଙ୍ଗି ହାଉସିଂ କଲୋନୀ, ସତ୍ୟନଗର ଦୁର୍ଗାପୂଜା ସମିତି, ବାଣୀବିହାର ଟ୍ରାଫିକ୍ ଛକ, ୟୁନିଟ-୩ ହରପାର୍ବତୀ ପୂଜା କମିଟି, ବାଙ୍ଗୁଆଳ ଦୁର୍ଗାପୂଜା ସମିତି, ଚକେଇସିହାଣି ଦୁର୍ଗାପୂଜା ସମିତି, ଶାସ୍ତ୍ରୀନଗର ମହାବୀର ପୂଜା ସମିତି ଓ କେଶୁରା ଦୁର୍ଗାପୂଜା ସମିତିର ମେଢ଼ ସାମିଲ ଥିଲା । ପରେ ପରେ ନିଜେ ଶହୀଦନଗର, ଭିଏସଏସ ନଗର ଦୁର୍ଗାପୂଜା କମିଟି, ୟୁନିଟ-୩ ଗିରିଦୁର୍ଗା କ୍ଲବ ପ୍ରମୁଖ ପହଞ୍ଚିଥିଲେ । ନୂର ବ୍ରାଣ୍ଡ ପାର୍ଟି, ଘୋଡା ନାଚ, ଷଣ୍ଢ, କେଳ କେଲୁଣୀ, ଘୁମୁରା, ଘଣ୍ଟ, ଦୁଲଦୁଲି, ସିଂହ ବାଜା, ପଞ୍ଜାବି ଢ଼ୋଲ ଭଳି ସମ୍ପୂର୍ଣ୍ଣ ପାରମ୍ପରିକ ବାଜା ଓ ରୋସଣୀ ସହ ମା’ଙ୍କୁ ମେଲାଣି ଦିଆଯାଇଥିଲା । ପ୍ରକାଶ ଥାଉକି, ଗତବର୍ଷ ସହିଦ ନଗର ସହ ୩୦ଟି ମେଢ଼ ସାମିଲ ହୋଇଥିବା ବେଳେ ଚଳିତବର୍ଷ ୧୯ଟି ମେଢ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଭସାଣି ପୂର୍ବରୁ ୬ଟି କମିଟି ଅଲଗା ମେଢ ବୁଲାଇବେ ବୋଲି କହି ଏଥିରୁ ଓହରିଥିଲେ ।

ନୟାପଲ୍ଲୀ ମେଲଣ ପଡ଼ିଆରେ ଏକାଠି ୧୫ ମେଢ

ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ତଥା ନୂଆପଲ୍ଲୀ ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଭସାଣୀ ସମାରୋହ । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫ଟି ଦୁର୍ଗା ମଣ୍ଡପ ଏକାଠି ହୋଇଥିଲେ ନୂଆପଲ୍ଲୀରେ । ନୟାପଲ୍ଲୀ ମଣ୍ଡପଠାରେ ଏକାଠି ହୋଇଥିବା ଏହି ପୂଜା ମଣ୍ଡପ ଗୁଡ଼ିକ ମଧ୍ୟରୁ ପ୍ରଥମେ ଝାଡେଶ୍ୱରୀ ମା’ ବାହାରିଥିବା ବେଳେ ସର୍ବ ଶେଷରେ ନୟାପଲ୍ଲୀ ଦୁର୍ଗାପୂଜା ସମିତି ଭସାଣି ଉତ୍ସବରେ ସାମିଲ ହୋଇଥିଲେ । ଆଇଗିଣିଆ, ଦଧିବାମନ, ଭଗବାନପୁର ପାତ୍ରପଡ଼ା, ଡୁମୁଡୁମା, ପୋଖରୀପୁଟ, ଗଣ୍ଡମୁଣ୍ଡା, ଶ୍ୟାମପୁର, ରଣସିଂହପୁର, ଶିରିପୁର, ଗଙ୍ଗନଗର, ରାଜକ୍ଳବ, ନୂଆପଲ୍ଲୀ ନୂଆସାହି, ଜୟଦେବ ବିହାର,କଳାରାହାଙ୍ଗ, ସାଲିଆସାହି (୨) କମିଟି ପ୍ରମୁଖ ଏକାଠି ହୋଇଥିଲେ । ମା’ଙ୍କ ମେଢ଼ ବିଭିନ୍ନ ଅଞ୍ଚଳ ବୁଲି ନୂଆପଲ୍ଲୀ ମଣ୍ଡପ ପାଖରେ ପହଞ୍ଚି ଥିଲେ । ଭସାଣୀ ପୂର୍ବରୁ ନୂଆପଲ୍ଲୀ ମେଲଣ ପଡ଼ିଆରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । କୂଆଖାଇ ନଦୀପଠାରେ ପହଞ୍ଚିବା ପରେ ସେଠାରେ ନିର୍ମିତ ହୋଇଥିବା ଅସ୍ଥାୟୀ ପୋଖରୀରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଗୁଡ଼ିକ ବିସର୍ଜନ କରାଯାଇଥିଲା । ଭସାଣୀ କମିଟିର ସଭାପତି ନିରଞ୍ଜନ ମିଶ୍ର, ସମ୍ପାଦକ ଦିଲ୍ଲୀପ ମହାନ୍ତି, ଶାନ୍ତି କମିଟି ସମ୍ପାଦକ ନବକିଶୋର ବେହେରା, ନିତ୍ୟାନନ୍ଦ ବେହେରାଙ୍କ ସମେତ ନୂଆପଲ୍ଲୀ କମିଟିର ସମସ୍ତ କର୍ମକର୍ତ୍ତା ଓ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button