ବୈବାହିକ ଦୁଷ୍କର୍ମକୁ ଅପରାଧ ବିବେଚନା ନ କରାଯାଉ, ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବୈବାହିକ ସ୍ତରରେ ଦୁଷ୍କର୍ମକୁ ଅପରାଧ ଭାବେ ବିଚାର ନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଏହା ଏକ ସାମାଜିକ ସମସ୍ୟା। ଆଇନ ଦୃଷ୍ଟିରୁ ଏହି ସମସ୍ୟାକୁ ବିଚାର କରାଯିବା ଉଚିତ ହେବ ନାହିଁ । ଏହାସତ୍ତ୍ବେ ବି ଯଦି ଏହାକୁ ଅପରାଧ ବୋଲି ବିବେଚନା କରିବାକୁ ହୁଏ ତେବେ ଏହାକୁ ସୁପ୍ରିମକୋର୍ଟ କରିପାରିବେ ନାହିଁ ।
କାରଣ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ବିଚାର ପରିସରଭୁକ୍ତ ନୁହେଁ ବୋଲି କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି।
ଏହାବ୍ୟତୀତ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବାକୁ ହେଲେ ସମସ୍ତ ଅଂଶୀଦାରମାନଙ୍କ ସହ ବିଚାର ବିମର୍ଷ କରିବାକୁ ପଡ଼ିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ବୈବାହିକ ଦୁଷ୍କର୍ମ ପ୍ରସଙ୍ଗରେ ଯଦି କେହି ଅଭିଯୋଗ ଆଣନ୍ତି ତେବେ ଏଥିପାଇଁ ଭାରତୀୟ ଆଇନ ବ୍ୟବସ୍ଥାରେ ଅନ୍ୟ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର କହିଛନ୍ତି ଯେ, ବିବାହ ପରେ କୌଣସି ମହିଳାଙ୍କ ସହମତି ଏବଂ ସମ୍ମାନ ଶେଷ ହୋଇଯାଏ ନାହିଁ। ପତ୍ନୀ ଭାବେ କୌଣସି ସ୍ତରରେ ଜଣେ ମହିଳାଙ୍କ ଗରିମା ଏବଂ ସହମତି କ୍ଷୁଣ୍ଣ ହେଲେ ଏଥିପାଇଁ ଅଭିଯୁକ୍ତକୁ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି। ବିବାହ ପରେ ମହିଳାଙ୍କ ସମ୍ମାନ ଏବଂ ସହମତିକୁ ନେଇ ପୂର୍ବରୁ ସଂସଦରେ ଆଇନ ଅଣାଯାଇଛି।
ବିବାହିତ ମହିଳାଙ୍କ ସୁରକ୍ଷା,ଅସ୍ମିତା ରକ୍ଷା ଏବଂ ସହମତିକୁ ସମ୍ମାନ ଦେବା ଲାଗି ଭାରତୀୟ ଦଣ୍ଡବିଧାନ ଆଇନ ଧାରା ୪୯୮(କ) ଏବଂ ଘରୋଇ ମହିଳା ହିଂସା ନିରୋଧୀ ଆଇନ ,୨୦୦୫ ରହିଥିଲା ବେଳେ ଏହାକୁ ଆଧାର କରି ଜଣେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । କେନ୍ଦ୍ର ସରକାର କହିଛନ୍ତି ଯେ, ସାଧାରଣତଃ ବିବାହ ପରେ ପୁରୁଷ ଏବଂ ନାରୀଙ୍କ ମଧ୍ୟରେ ଯୌନ ସମ୍ଭୋଗ ପାଇଁ ଉଦ୍ଦୀପନା ବଢିଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, କୌଣସି ପରୁଷ ନିଜ ପତ୍ନୀଙ୍କ ଇଛା ବିରୁଦ୍ଧରେ ଏବଂ ଜୋର ଜବରଦସ୍ତି ସମ୍ଭୋଗ କରିବ। ଉଲ୍ଲେଖଯୋଗ୍ୟ ଯେ, ଜଣେ ପତ୍ନୀଙ୍କ ଇଛା ବିରୁଦ୍ଧରେ ଜଣେ ସ୍ବାମୀ ଯଦି ଶାରୀରିକ ସମ୍ପର୍କ ରଖିବାକୁ ଚାହାନ୍ତି ତେବେ ଏହାକୁ ବୈବାହିକ ଦୁଷ୍କର୍ମ ବା ‘ ମାଟେରିଆଲ ରେପ୍’ ବୋଲି କୁହାଯାଏ। ଏଭଳି ବିଷୟକୁ ଭାରତୀୟ ଆଇନ ବ୍ୟବସ୍ଥା ଅନୁସାରେ ଜଣେ ପତ୍ନୀଙ୍କ ବିରୋଧରେ ଘରୋଇ ହିଂସା କିମ୍ବା ଉତ୍ପୀଡ଼ନ ବୋଲି ଧରାଯାଏ। ହେଲେ ଅପରାଧ ବୋଲି ବିବେଚନା କରାଯାଏ ନାହିଁ।




