ବୈଶ୍ବିକ ସଙ୍କଟ ସମ୍ପର୍କରେ ସତର୍କ କରାଇଲେ ନବୀନ : ଜଳବାୟୁ ପରିବର୍ତ୍ତନର ପରିଣାମ ଭୟାବହ

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ଏକ ବୈଶ୍ୱିକ ସମସ୍ୟା। ସମଗ୍ର ମାନବଜଗତ ସମ୍ପ୍ରତି ଜଳବାୟୁ ପରିବର୍ତ୍ତନର ଖରାପ ପରିଣାମ ଭୋଗ କରୁଛି। ଏବେ ଆମ ହାତରୁ ସମୟ ସରି ସରି ଯାଉଛି। ତେଣୁ ଆମେ କେବଳ ଚୁପ୍ଚାପ୍ ବସି ରହି ଏସବୁ ଦୃଶ୍ୟ ଦେଖି ପାରିବା ନାହିଁ। ସମଗ୍ର ଜୀବଜଗତ ପ୍ରତି ମାଡ଼ିଆସୁଥିବା ଜଳବାୟୁଜନିତ ଭୟାବହ ସଙ୍କଟ ସମ୍ପର୍କରେ ସତର୍କ କରାଇବା ସହ ହାତରେ ହାତ ମିଶାଇ ପ୍ରକୃତି ମା’ର ସୁରକ୍ଷା ପାଇଁ ସକାରାତ୍ମକ ଦିଗରେ ଆମେ ସମସ୍ତେ କାମ କରିବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
ଗତକାଲି ଭୁବନେଶ୍ୱରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, କେବଳ ବ୍ୟାପକ ଜନସଚେତନତା ଓ ଦୃଢ଼ ରାଜନୈତିକ ମାନସିକତା ହିଁ ଜଳବାୟୁ ପରିବର୍ତ୍ତନଜନିତ ବିଷମ ପରିସ୍ଥିତିରେ ବଡ଼ ପରିବର୍ତ୍ତନ ଆଣିପାରିବ। କିନ୍ତୁ ଅନେକ କାରଣ ପାଇଁ ଅଧିକାଂଶ ରାଜନୈତିକ ଦଳ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ପଛଘୁଞ୍ଚା ଦେଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି କିଭଳି ଆଗକୁ ଯାଇହୁଏ, ସେ ସମ୍ପର୍କରେ ଅବତାରଣା କରି ନବୀନ ୧୯୯୯ ମହାବାତ୍ୟାର ବିଧ୍ବଂସୀ ଲୀଳା ଏବଂ ତତ୍ପରବର୍ତ୍ତୀ ବିକଶିତ ଓଡ଼ିଶା ସମ୍ପର୍କରେ ଆଲୋକପାତ କରିଥିଲେ।