ଦେଶ- ବିଦେଶ

ଚନ୍ଦ୍ରରେ ଚାରିଆଡ଼େ ଜଳର ସନ୍ଧାନ

ପୃଥିବୀର ଏକମାତ୍ର କୃତ୍ରିମ ଉପଗ୍ରହ ଚନ୍ଦ୍ରପୃଷ୍ଠର ଚାରିଆଡ଼େ ବିକ୍ଷିପ୍ତ ଭାବରେ ଜଳକଣା ଭରିରହିଛି ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ଆମେରିକାର ଆରିଜୋନା ଅନ୍ତର୍ଗତ ଟକ୍ସନ୍ ସ୍ଥିତ ଗ୍ରହ ବିଜ୍ଞାନ ପ୍ରତିଷ୍ଠାନ ଗବେଷକମାନଙ୍କର ଏହି ନୂତନ ନିଷ୍କର୍ଷ ଚନ୍ଦ୍ରପୃଷ୍ଠରେ ମାନବୀୟ ରହଣି ପାଇଁ ଅଧିକ ଆଶା ସଂଚାର କରିଛି।

ଚନ୍ଦ୍ରର ଖଣିଜତତ୍ତ୍ବ ମାନଚିତ୍ରଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରି ସେମାନେ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି।

ଚନ୍ଦ୍ର ଅଭିମୁଖେ ଭାରତ ପ୍ରେରିତ ମହାକାଶଯାନ ‘ଚନ୍ଦ୍ରଯାନ-୧’ ୨୦୦୮ ଓ ୨୦୦୯ ମସିହା ଭିତରେ ପଠାଇଥିବା ଚନ୍ଦ୍ରର ଉଭୟ ନିକଟତମ ଓ ଦୂରତମ ପାର୍ଶ୍ବର ଖଣିଜ ମାନଚିତ୍ରରୁ ଏହି ତଥ୍ୟ ମିଳିଛି। ଏପରିକି ଚନ୍ଦ୍ରର ବିଷୁବରେଖା ପରି ଉଷ୍ମତମ ଇଲାକା, ଯେଉଁଠି ଜଳଅଣୁ ମିଳିବାର ସମ୍ଭାବନା କ୍ଷୀଣ, ସେଠାରେ ମଧ୍ୟ ଭରପୂର ଜଳକଣା ରହିଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଚନ୍ଦ୍ରର ମେରୁ ଅଞ୍ଚଳରେ ଅବସ୍ଥିତ ଗଭୀର ଗର୍ତ୍ତରେ ହିଁ ପ୍ରଚୁର ଜଳ ଅଛି ବୋଲି ଅନୁମାନ କରାଯାଉଥିଲା।

ପୂର୍ବରୁ ଚନ୍ଦ୍ରର ମେରୁ ଅଞ୍ଚଳରେ ଅବସ୍ଥିତ ଗଭୀର ଗର୍ତ୍ତରେ ହିଁ ଜଳ ଅଛି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଭାରତ ପ୍ରେରିତ ‘ଚନ୍ଦ୍ରଯାନ-୧’ ଦ୍ବାରା ସଂଗୃହୀତ ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଚନ୍ଦ୍ରପୃଷ୍ଠରେ ଚାରିଆଡ଼େ ଜଳ ଭରି ରହିଛି।

ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ ପାଇଁ ନିୟୋଜିତ କ୍ୟାମେରାଗୁଡ଼ିକ କେବଳ ଲାଲ, ନୀଳ ଓ ସବୁଜ ପରି ତିନିଟି ରଙ୍ଗର ବର୍ଣ୍ଣାଳୀକୁ ଚିହ୍ନଟ କରିପାରୁଥିଲା ବେଳେ ‘ଚନ୍ଦ୍ରଯାନ-୧’ରେ ଖଚିତ କ୍ୟାମେରା ୮୫ ପ୍ରକାର ରଙ୍ଗର ବର୍ଣ୍ଣାଳୀକୁ ଠଉରେଇ ପାରିଛି, ଯହିଁରେ ଉଭୟ ଦୃଶ୍ୟମାନ ଓ ଅତିଲୋହିତ ବର୍ଣ୍ଣାଳୀ ମଧ୍ୟ ରହିଛି। ସେଥିରେ ପ୍ରଭୂତ ପରିମାଣର ଜଳଅଣୁ ଓ ହାଇଡ୍ରୋକ୍ସିଲ୍ ଦ୍ବାରା ସୌର ରଶ୍ମି ପ୍ରତିଫଳିତ ହେବାର ସୂଚନା ରହିଛି। ପୂର୍ବରୁ ଚନ୍ଦ୍ରର କୌଣସି ଉପତ୍ୟକା କି ଆଗ୍ନେୟ ପ୍ରଭାବିତ ମାଳଭୂମି ଇଲାକାରେ ଜଳର ଉପସ୍ଥିତି ଦେଖିବାକୁ ମିଳିନଥିଲା। ସେହିପରି ଚନ୍ଦ୍ରପୃଷ୍ଠରେ ଉଲ୍କାମାଡ଼ ହୋଇଥିବା ଅଞ୍ଚଳରୁ ଖୋଳାଯାଇଥିବା ପ୍ରସ୍ତର ମଧ୍ୟ ଅତ୍ୟନ୍ତ ଜଳଯୁକ୍ତ ବୋଲି ଜଣାପଡ଼ିଥିଲେ ହେଁ, କୌତୂହଳର ବିଷୟ ଯେ ସଂପୃକ୍ତ ଗର୍ତ୍ତଗୁଡ଼ିକରେ ଜଳଅଣୁ (ଏଚ୍୨ଓ) ପରବର୍ତ୍ତେ ଅଧିକ ପରିମାଣର ହାଇଡ୍ରୋକ୍ସିଲ୍ (ଓଏଚ୍) ରହିଛି। ସୁତରାଂ ଏହା ସହଜରେ ଅନୁମେୟ ଯେ, ଚନ୍ଦ୍ରପୃଷ୍ଠର ଜଳ ବାଷ୍ପୀଭୂତ ହୋଇ ହାଇଡ୍ରୋକ୍ସିଲ୍ର ପଦଚିହ୍ନ ଛାଡ଼ିଯାଇଛି।

ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଚନ୍ଦ୍ରରେ ଉଭୟ ଉଲ୍କାମାଡ଼ ଓ ଆଗ୍ନେୟ କାର୍ଯ୍ୟକଳାପ ଦ୍ବାରା ତାହାର ପୃଷ୍ଠଦେଶରେ ପ୍ରଚୁର ପରିମାଣର ଜଳୀୟ ପଦାର୍ଥ ଗଚ୍ଛିତ ହୋଇଥାଏ। ଏହି ଅଧ୍ୟୟନ ଚନ୍ଦ୍ରର ଗଠନ ବାବଦରେ ବିଶଦ ବର୍ଣ୍ଣନା କରିବା ସହ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ ପାଇଁ ତାହାର ଶିଳାଗୁଡ଼ିକୁ ଉତ୍ତପ୍ତ କରି ସେଥିରୁ ଜଳ ସଂଗ୍ରହ କରିହେବ ବୋଲି ଆଶା କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button