ଦେଶ- ବିଦେଶ

ୟୁକ୍ରେନକୁ ପହଞ୍ଚୁଛି ଭାରତ ନିର୍ମିତ ଗୋଳା ବାରୁଦ, ଋଷିଆ ଅସନ୍ତୁଷ୍ଟ

ନୂଆଦିଲ୍ଲୀ ୧୯।୯: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷିଆ ଏବେ ଭାରତ ଉପରେ ଖପ୍ପା, କାରଣ ଭାରତୀୟ ଅସ୍ତ୍ରଶସ୍ତ୍ର ଏବେ ୟୁକ୍ରେନ ପହଞ୍ଚିବାରେ ଲାଗିଛି। ଏହାକୁ ଋଷିଆ ଅନେକବାର ବିରୋଧ ବି କଲାଣି। ତେବେ ଏପରି କାରବାର ରୋକିବା ପାଇଁ ଭାରତ କୌଣସି ପ୍ରକାର ହସ୍ତକ୍ଷେପ କରୁ ନାହିଁ। ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ରୟେଟର୍ସ ଭାରତ ଓ ୟୁରୋପ ସରକାର ଏବଂ ପ୍ରତିରକ୍ଷା ଅଧିକାରୀଙ୍କ ସହ ଆଲୋଚନା ଆଧାରରେ ପ୍ରସ୍ତୁତ କରିଥିବା ରିପୋର୍ଟରେ ଏହା କହିଛି।

ଏଜେନ୍ସୀ ଅଧିକାରୀଙ୍କ ସହ କଥା ହେବା ସାଙ୍ଗକୁ ସୀମା ଶୁଳ୍କ ଡାଟାର ମଧ୍ୟ ବିଶ୍ଲେଷଣ କରିଛି। ଫଳରେ ଏ କଥା ସାମ୍ନାକୁ ଆସିଛି। ସୂତ୍ର ଓ ସୀମା ସୁଳ୍କ ଡାଟା ଅନୁସାରେ ଋଷିଆ ବିରୋଧରେ ୟୁକ୍ରେନ ଡିଫେନ୍ସ ଫୋର୍ସ ସମର୍ଥନ ଲାଗି ଅସ୍ତ୍ରଶସ୍ତ୍ରର ହସ୍ତାନ୍ତରଣ ଗତ ୧ ବର୍ଷରୁ ଅଧିକ ସମୟରୁ ହେଉଛି। ୩ ଭାରତୀୟ ଅଧିକାରୀ ଖବର ସରବରାହ ସଂସ୍ଥାକୁ କହିଛନ୍ତି ଯେ ଋଷିଆ ଏହି ପ୍ରସଙ୍ଗ ଏପର୍ଯ୍ୟନ୍ତ ୨ ଥର ଉଠାଇଲେଣି। ଗତ ଜୁଲାଇ ମାସରେ ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏହି ପ୍ରସଙ୍ଗ ଜୟଶଙ୍କର ନିକଟରେ ମଧ୍ୟ ଉଠାଇଥିଲେ।

ଗତ ଜାନୁୟାରୀରେ ଏ ନେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ରଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଜବାବରେ ରଣଧୀର ଜୟସ୍ୱାଲ କହିଥିଲେ ଯେ ୟୁକ୍ରେନକୁ ଭାରତ ତୋପର ଗୋଳା ପଠାଇ ନାହିଁ କି ବିକ୍ରି ବି କରି ନାହିଁ। ସେହିପରି ଭାରତୀୟ ରକ୍ଷା ଉଦ୍ୟୋଗ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ୟୁକ୍ରେନ ଯେଉଁ ଗୋଳା ବାରୁଦର ବ୍ୟବହାର କରୁଛି ଏଥିରୁ ବହୁତ କମ ଭାରତରେ ଉତ୍ପାଦିତ ହୋଇଥାଏ। ତେବେ ଏହା ସ୍ପଷ୍ଟ ହୋଇ ପାରି ନାହିଁ ୟୁରୋପୀୟ ଦେଶ ଏହି ଗୋଳା ବାରୁଦ ୟୁକ୍ରେନକୁ ବିକ୍ରି କରିଛନ୍ତି କି ଦାନରେ ଦେଇଛନ୍ତି।

ସୂଚନା ଅନୁସାରେ ୟୁକ୍ରେନକୁ ଭାରତୀୟ ଅସ୍ତ୍ରଶସ୍ତ୍ର ପଠାଉଥିବା ୟୁରୋପୀୟ ଦେଶଙ୍କ ମଧ୍ୟରେ ଇଟାଲୀ ଓ ଚେକ୍ ରିପବ୍ଲିକ୍ ଅଛନ୍ତି। ୟୁରୋପୀୟ ସଂଘର ଏହି ଦୁଇ ବଡ଼ ସଦସ୍ୟ ୟୁକ୍ରେନକୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ପଠାଉଛନ୍ତି। ତେବେ ଭାରତୀୟ ଅଧିକାରୀ କହିଛନ୍ତି ଯେ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ହେଲେ ଅସ୍ତ୍ରଶସ୍ତ୍ର ଯୋଗାଣ ରୋକିବା ପାଇଁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ କରି ନାହାନ୍ତି।

ଋଷିଆ ଓ ଭାରତ ପାରମ୍ପରିକ ମିତ୍ର ଦେଶ। ଋଷିଆ ଦୀର୍ଘ ସମୟରୁ ଭାରତକୁ ଅସ୍ତ୍ର ଯୋଗାଣ କରିଆସୁଛି। ଋଷିଆ-ୟୁକ୍ରେନ ଯୁଦ୍ଧକୁ ଦେଖି ଋଷିଆ ଉପରେ ଲାଗିଥିବା ପାଶ୍ଚାତ୍ୟ କଟକଣାରୁ ଭାରତ ନିଜକୁ ମୁକ୍ତ ରଖିଛି ଓ ଋଷିଆର ସମାଲୋଚନାରୁ ଦୂରେଇ ରହୁଛି। ଅସ୍ତ୍ରଶସ୍ତ୍ରର ବଡ଼ ଆମଦାନୀକାରୀ ଦେଶ ଭାରତ ଏବେ ନିଜକୁ ରପ୍ତାନୀକାରୀ ଦେଶ ଭାବେ ଛିଡା କରିବାକୁ ଚାହୁଁଛି। ୟୁରୋପରେ ଚାଲୁଥିବା ଯୁଦ୍ଧକୁ ଅସ୍ତ୍ରଶସ୍ତ୍ର ରପ୍ତାନୀର ଅବସର ଭାବେ ଦେଖୁଛି।

ତଥ୍ୟ ଅନୁସାରେ ଭାରତ ୨୦୧୮-୨୦୨୩ ମଧ୍ୟରେ ପାଖାପାଖି ୩ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ରପ୍ତାନୀ କରିଛି। ୨୦୨୯ ସୁଦ୍ଧା ଭାରତ ଅସ୍ତ୍ରଶସ୍ତ୍ର ରପ୍ତାନୀକୁ ୬ ବିଲିୟନ ଡଲାରକୁ ବଢେଇବାକୁ ଚାହୁଁଛି। ସୀମା ଶୁଳ୍କ ରେକର୍ଡ ଅନୁସାରେ ଭାରତର ୨ ପ୍ରମୁଖ ଗୋଳାବାରୁଦ ନିର୍ମାତା ଯନ୍ତ୍ର ଆମ୍ୟୁନିସନ ଇଣ୍ଡିଆ ଓ କଲ୍ୟାଣୀ ଷ୍ଟ୍ରାଟେଜିକ ସିଷ୍ଟମ ଇଟାଲୀ, ଚେକ୍ ରିପବ୍ଲିକ, ସୋଲଭାନିୟା ଓ ସ୍ପେନକୁ ମାତ୍ର ୨୮ ଲକ୍ଷ ଡଲାରର ଗୋଳାବାରୁଦ ଯୋଗାଣ କରିଛନ୍ତି। ତେବେ ଫେବୃଆରୀ ୨୦୨୨ ଓ ଜୁଲାଇ ୨୦୨୪ ମଧ୍ୟରେ ଏହା ବଢି ୧୩.୫୨୫ କୋଟି ଡଲାର ହୋଇଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button