ଦେଶ- ବିଦେଶ

ଧୂମପାନ ନିଷେଧ ହେଲେ ଟଳିଯିବ ୧୨ ଲକ୍ଷ ମୃତ୍ୟୁ!

କ ସଦ୍ୟ ପ୍ରକାଶିତ ବିଶ୍ବସ୍ତରୀୟ ଅନୁଧ୍ୟାନ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଧୂମପାନ ହାର ୫ ପ୍ରତିଶତ କମାଇପାରିଲେ ପୁରୁଷମାନଙ୍କ ହାରାହାରି ଜୀବନଧାରଣ କ୍ଷମତା ଏକବର୍ଷ ଓ ମହିଳାଙ୍କ ପାଇଁ ଏହା ୦.୨ ବର୍ଷ ବଢ଼ିଯିବ। ସେହି ସମୟ ବେଳକୁ ଧୂମପାନ ହାର ପୁରୁଷଙ୍କ ଠାରେ ୨୧ ପ୍ରତିଶତ ଓ ମହିଳାଙ୍କର ୪ ପ୍ରତିଶତ କମିଯାଇଥିବ ବୋଲି ଆକଳନ କରାଯାଉଛି।

ଏକ ପରିସଂଖ୍ୟାନ ଅନୁଯାୟୀ, ବିଗତ ତିନି ଦଶନ୍ଧି ଭିତରେ ବିଶ୍ବରେ ଧୂମପାନ ଯୋଗୁଁ ସାଢ଼େ ୧୭ କୋଟି ଲୋକଙ୍କର ମୃତ୍ୟୁ ଘଟିଛି। ତେବେ ତମାଖୁ ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କଲେ ୨୦୯୫ ମସିହା ସୁଦ୍ଧା ଫୁସ୍ଫୁସ୍ କର୍କଟରୁ ୧୨ ଲକ୍ଷ ଜୀବନ ରକ୍ଷା କରାଯାଇପାରିବ। ​ଆମେରିକାର ଵାସିଂଟନ୍ ବିଶ୍ବବିଦ୍ୟାଳୟ ଅଧୀନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ମେଟ୍ରିକ୍ସ୍ ଆଣ୍ଡ୍ ଇଭାଲ୍ୟୁଏସନ୍ର ଗବେଷକମାନେ ଆହୁରି ପୂର୍ବାନୁମାନ ଲଗାଇଛନ୍ତି କି, ଧୂମପାନକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ତ୍ବରିତ ପଦକ୍ଷେପ ନିଆଗଲେ ନଷ୍ଟ ହେବାକୁ ଥିବା ମୋଟ ୮୭୬ ନିୟୁତ ବର୍ଷର ଜୀବନକୁ ରକ୍ଷା କରାଯାଇପାରିବ। ସୂଚନାଯୋଗ୍ୟ, ସମ୍ପ୍ରତି କୌଣସି ବି ଦେଶରେ ଏକ ନିର୍ଦ୍ଦିଷ୍ଟ ବର୍ଷ ପରେ ଜନ୍ମ ନେଉଥିବା ବ୍ୟକ୍ତିବିଶେଷଙ୍କୁ ତମାଖୁ ବିକ୍ରି ନିଷେଧ ଭଳି ଆଇନ କାର୍ଯ୍ୟକାରୀ କରାଯାଇପାରିନାହିଁ।

ଉଦାହରଣ ସ୍ବରୂପ, ନିଉଜିଲାଣ୍ଡରେ ୨୦୨୨ରେ ପାରିତ ଏକ ଆଇନ ଅନୁଯାୟୀ, ୨୦୦୯ ମସିହା ପରେ ଜନ୍ମ ଗ୍ରହଣ କରିଥିବା କିଶୋରମାନଙ୍କୁ ତମାଖୁ ବିକ୍ରି ନିଷେଧ କରାଯାଇଥିଲା। ମାତ୍ର ଚଳିତ ବର୍ଷ ପ୍ରାରମ୍ଭରେ ସେହି କଟକଣାକୁ ସରକାର ଉଠାଇ ନେଇଛନ୍ତି। ଅନେକ ଦେଶରେ ଧୂମପାନ କଟକଣା ବଳବତ୍ତର ରହିଥିବା ସତ୍ତ୍ବେ ଧୂମପାନ ହିଁ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଓ ମୃତ୍ୟୁ ପାଇଁ ଦାୟୀ ରହୁଛି। ଯଦିଓ ସାମ୍ପ୍ରତିକ ଦୃଶ୍ୟପଟ ଅନୁଯାୟୀ, ବିଶ୍ବବ୍ୟାପୀ ଧୂମପାନ ପ୍ରଚଳନରେ ହ୍ରାସ ଜାରି ରହିବ, ତଥାପି ଧୂମପାନ ଯୋଗୁଁ ଭବିଷ୍ୟତରେ ଯଥେଷ୍ଟ ଆର୍ଥିକ ବୋଝ ସହିବାକୁ ହେବ। ତେବେ ୨୦୫୦ ମସିହା ସୁଦ୍ଧା ତମାଖୁ ବର୍ଜନ ଦ୍ବାରା ଜନ୍ମ ସମୟରେ ଆଶାତୀତ ଆୟୁ ଲାଭ ସମ୍ଭବ ହେବ ବୋଲି ଗବେଷକମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button