ରାଜ୍ୟ

କିଛି ନଖାଇ ଦୀର୍ଘ ଦିନ ହେବ କେବଳ ପାଣି ପିଇକି ସାଧନା କରୁଛନ୍ତି ଏହି ସାଧୁ

ସାଲେପୁର: ବଟ ବୃକ୍ଷ ତଳେ ବସିଛନ୍ତି ଜଣେ ବୃଦ୍ଧ । ବୟସ ପାଖାପାଖି ୭୦ ଟପିଲାଣି । ଯେତେବେଳେ ଦେଖିବେ ଏଇଠି ହିଁ ତାଙ୍କୁ ପାଇବେ । ନା କିଛି ଅଭିଯୋଗ ନା ଅଭିମାନ । ଦେହରେ ଗେରୁଆ ବସ୍ତ୍ର ଆଉ ଖାଲି ପାଦ। ଖାଇବା ପିଇବା ଚିନ୍ତା ନାହିଁ । କେତେବେଳେ ମାଟି ଉପରେ ବସି ପଡ଼ନ୍ତି ତ କେତେବେଳେ ଜରିଟାଏ ପକାଇ ତା ଉପରେ ବସି ଧ୍ୟାନ କରନ୍ତି ।

ବଟ ବୃକ୍ଷ ପରିବେଷିତ ତାଙ୍କର ଏହି ପୀଠକୁ ଭକ୍ତି କ୍ଷେତ୍ର ବୋଲି ଲୋକେ କୁହନ୍ତି । ବାବା କୁହନ୍ତି ତାଙ୍କୁ କେବେ ଭୋକ ହୁଏନି, କି କେବେ ସେ ହାଲିଆ ଅନୁଭବ କରନ୍ତିନି । ହଁ ବେଳେବେଳେ ଆବଶ୍ୟକ ପଡ଼ିଲେ ଚାହାପାଣି ପିଅନ୍ତି ।

ଆଗରୁ ୧୨ ବର୍ଷ ଧରି ସେ କିଛି ଆହାର କରିନଥିଲେ । ମଝିରେ କିଛି ବର୍ଷ ପରେ ଟିକେ ଆହାର ଗ୍ରହଣ କରୁଥିଲେ । ଏବେ ପୁଣି ୯ମାସ ହେବ ସେ କିଛି ଆହାର ନକରି କେବଳ ପାଣି ପିଇ ସାଧନା କରୁଛନ୍ତି ଏହି ସାଧୁ ଜଣକ । ତେବେ ଜରିଆ ନଦୀ କୁଳରେ ଏକ ବଣୁଆ ଜାଗାରେ କେବଳ ଭଗବାନଙ୍କ ଭରସାରେ ବଟବୃକ୍ଷ ତଳେ ରହୁଛନ୍ତି ସେ । ଜାକଜମକ ଠାରୁ ଦୂରରେ କଟକ ଜିଲ୍ଲା ମାହାଙ୍ଗା ବୁଦୁକୁନିଆ ଗାଁରେ ବେଶ ନିରୋଳାରେ ଆଶ୍ରମ କରି ରହୁଛନ୍ତି ରାମବାବା ।

ବାବାଙ୍କୁ ଦର୍ଶନ କରିବାପାଇଁ ବେଳେବେଳେ ଆଖପାଖ ଅଞ୍ଚଳର ଭକ୍ତମାନେ ଏଠାକୁ ଆସନ୍ତି । ଆଶ୍ରମରେ ବର୍ଷର ବହୁବାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ । ହେଲେ ବାବା କିନ୍ତୁ ଆଧୁନିକତା ଆଉ ଯାକ ଯମକରେ ବିଶ୍ୱାସ କରନ୍ତିନି । ବେଶ ନିରାଡ଼ମ୍ବର ଆଉ ନିରୋଳା ଜୀବନ ବଞ୍ଚିବାକୁ ଭଲପାଆନ୍ତି ସେ । ବିନା ଆହାରରେ ଆଜିବି ରାମବାବା ବୃଦ୍ଧ ବୟସରେ ଯେମିତି ସତେଜ ଓ ଭଗବତ ଆରାଧନାରେ ସେତିକି ନିଷ୍ଠାପର ।

ଆମ ପରମ୍ପରାରେ ଅଲୌକିକତାର ଅନେକ କଥା ଆପଣମାନେ ଦେଖିଥିବେ । ଅନାହାରରେ ଅନେକ ସାଧୁସନ୍ଥ ଏବେବି ଆରାଧନା କରୁଥିବା ଦେଖିବାକୁ ମିଳେ । ଯଦିଓ ରାମବାବା ସମ୍ପୂର୍ଣ ଅନାହାରରେ ରୁହନ୍ତି କି ନାହିଁ ତାହା ତ ସ୍ପଷ୍ଟ କହିହେବନି । ତଥାପି ତାଙ୍କର ଏଭଳି ଆରାଧନା ଅନ୍ୟମାନଙ୍କ ଠାରୁ ତାଙ୍କୁ ପୃଥକ କରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button