ହତ୍ୟା ମାମଲାରେ ଗିରଫ ଅଭିନେତାଙ୍କୁ ଜେଲରେ ମିଳୁଛି ଭିଆଇପି ଟ୍ରିଟମେଣ୍ଟ ! ସାମ୍ନାକୁ ଆସିଲା ଭାଇରାଲ ଫଟୋ
ନୂଆଦିଲ୍ଲୀ: ଜଣେ ପ୍ରଂଶସକଙ୍କୁ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି କନ୍ନଡ଼ ଅଭିନେତା ଦର୍ଶନ ଥୋଗୁଦୀପା । ହେଲେ ଜେଲ୍ ଭିତରେ ତାଙ୍କୁ ମିଳୁଛି ଭିଆଇପି ଟ୍ରିଟମେଣ୍ଟ। କାରଣ ଏକ ଭାଇରାଲ ଫଟୋହିଁ ସେୟା ବୟାନ କରୁଛି।
ପ୍ରକୃତରେ ବେଙ୍ଗାଲୁରୁ ପାରାପପ୍ପନା ଆଗ୍ରାଗଡ଼ ସେଣ୍ଟ୍ରାଲ ଜେଲ୍ର ଏକ ଫଟୋ ଭାଇରାଲ ହେଉଛି।
ଯେଉଁଥିରେ ଦେଖାଯାଇଛି ଯେ, କନ୍ନଡ଼ ଅଭିନେତା ଦର୍ଶନ ଥୋଗୁଦୀପା, ଜେଲ ପରିସରରେ ପାର୍କ ଭଳି ଖୁବ ଆରାମରେ ବସିଛନ୍ତି।
ତାଙ୍କ ସହ ଆଉ ତିନି ଜଣ ବସିଛନ୍ତି। ଯେଉଁମାନଙ୍କ ମଧ୍ୟରୁ କଳା ସାର୍ଟ ପିନ୍ଧି ବସିଥିବା ବ୍ୟକ୍ତି ଜଣେ ଅଭ୍ୟାସଗତ ଅପରାଧୀ ବୋଲି ମଧ୍ୟ ରହିଥିବା କୁହାଯାଉଛି। ସମସ୍ତେ ବେଶ୍ ଖୁସି ମୁଡ୍ରେ ଥିବାବି ଦେଖାଯାଉଛି ଫଟୋରେ। ଖାଲି ସେତିକି ନୁହେଁ ଦର୍ଶନଙ୍କ ହାତରେ ସିଗାରେଟ ଆଉ କିଛି ପାନୀୟ ମଧ୍ୟ ରହିଛି।
ତେବେ ଏହି ଫଟୋର ସତ୍ୟତା ଜଣାପଡ଼ିନଥିବାବେଳେ ପୋଲିସ ବିଭାଗ ଫଟୋକୁ ଗୁରୁତର ସହ ନେଇଛି। ଏହା ସହ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଏନେଇ ନୋଟିସ କରିଛନ୍ତି।
ସୂଚନାଥାଉକି, କନ୍ନଡ଼ ଅଭିନେତା ଦର୍ଶନଙ୍କୁ, ରେନୁକାସ୍ବାମୀ ନାମକ ଜଣେ ୩୩ ବର୍ଷୀୟ ଅଟୋ ଡ୍ରାଇଭରଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ସେ ବର୍ତ୍ତମାନ ବେଙ୍ଗାଲୁରୁ ପାରାପପ୍ପନା ଆଗ୍ରାଗଡ଼ ସେଣ୍ଟ୍ରାଲ ଜେଲରେ ଅଛନ୍ତି। ପୋଲିସ ଅନୁଯାୟୀ , ରେନୁକାସ୍ବାମୀ ଦର୍ଶନଙ୍କ ଫ୍ୟାନ ବା ଜଣେ ପ୍ରଶଂସକ ଥିଲେ।
ତେବେ ହତ୍ୟା ପଛର କାରଣ ବିଷୟରେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ ରେଣୁକାସ୍ବାମୀ, ଦର୍ଶନଙ୍କ ପାର୍ଟନର ପବିତ୍ରା ଗୌଡ଼ାଙ୍କୁ ଅଶ୍ଲୀଳ ମେସେଜ ପଠାଉଥିଲେ। ଯେଉଁଥିରେ ରାଗିଯାଇଥିଲେ ଦର୍ଶନ ଆଉ ଏକ ଗ୍ୟାଙ୍ଗଙ୍କୁ ରେଣୁକାସ୍ବାମୀଙ୍କୁ ଅପହରଣ ଓ ପରେ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପୋଲିସ ଏହି ମାମଲାରେ ଦର୍ଶନ, ପବିତ୍ର ଗୌଡ଼ା ଏବଂ ଅନ୍ୟ ୧୫ ଜଣକୁ ଗିରଫ କରିଥିଲା। ଅଗଷ୍ଟ ୨୧ରେ ବେଙ୍ଗାଲୁରୁ କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଅଗଷ୍ଟ ୨୮ ପର୍ଯ୍ୟନ୍ତ ବଢ଼ାଇଛନ୍ତି।
ସେପଟେ ଭାଇରାଲ ଫଟୋକୁ ନେଇ ରେଣୁକାସ୍ବାମୀଙ୍କ ବାପା ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କୁ ଏନେଇ ଆକ୍ସନ ନେବାକୁ ଅନୁରୋଧ କରିଛନ୍ତି। ସେ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ଥିବା କହିବା ସହ ପୋଲିସ ଏବଂ ନ୍ୟାୟିକ କଳ ଉପରେ ବିଶ୍ବାସ ରହିଥିବା ଏବଂ ଏହାର ତଦନ୍ତ କରି ଆକ୍ସନ ନେବାକୁ କହିଛନ୍ତି। ଆହୁରି ମଧ୍ୟ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ରେଣୁକାସ୍ବାମୀଙ୍କ ବାପା।