ରାଜ୍ୟ

ଐତିହ୍ୟଧାରିଣୀ ବିରୂପା

ର୍ବଧର୍ମର ଲୀଳାକ୍ଷେତ୍ର ଓଡ଼ିଶା। ଯେତେବେଳେ ଯେଉଁ ରାଜଧର୍ମ ଓଡ଼ିଶାରେ ପ୍ରଚଳିତ ହୋଇଛି, ତାହାକୁ ଓଡ଼ିଶାର ଜନସାଧାରଣ ସାଦର ଗ୍ରହଣ କରିଛନ୍ତି। ଏଣୁ ଅକାତରରେ ଓଡ଼ିଶାରେ ସନାତନ ବୈଷ୍ଣବଧର୍ମର ମୂଳ, ଯଥା- ଶୈବ, ଶାକ୍ତ, ବୈଷ୍ଣବ, ସୌରଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ଆଦି ଓଡ଼ିଶାରେ ପକ୍ଷ ବିସ୍ତାର କରି ପ୍ରାଚୀନ କଳିଙ୍ଗକୁ ଏକ ସମନ୍ୱୟର ପୀଠରେ ପରିଣତ କରିଛି।

ଏହାର ମୂକସାକ୍ଷୀ ହୋଇ ରହିଛନ୍ତି ଓଡ଼ିଶାର ନଦନଦୀ, ପର୍ବତ ଆଦି। ମୁନିଋଷିମାନେ ସାଧାରଣତଃ ନଦୀତଟରେ ବା ଘଞ୍ଚ ବନଭୂମିରେ ଆଶ୍ରମ ନିର୍ମାଣ କରି ତପସ୍ୟା କରୁଥିଲେ। ପାହାଡ଼ର ଗୁମ୍ଫା ମଧ୍ୟରେ ରହି ସାଧନା କରୁଥିଲେ। ଏହାର ଅନେକ ସ୍ମାରକୀ ଏଠାରେ ରହିଛି। ଏହାର ଗୌରବଗାଥା ଗାନ କରି ପ୍ରବାହିତ ହେଉଛନ୍ତି ଅନେକ ନଦୀ। ସେମିତି ଏକ ଗୌରବଶାଳିନୀ ନଦୀ ହେଉଛି ବିରୂପାନଦୀ।

ବିରୂପାର ତୀରଦେଶରେ ନବମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ୱାରା ନିର୍ମିତ ପଞ୍ଚୁପାଣ୍ଡବ ମନ୍ଦିର ରହିଛି। ଏଠାରେ ଥିବା ନୀଳ ମୁଗୁନିପଥରର ବିଷ୍ଣୁ ମୂର୍ତ୍ତି ଅତ୍ୟନ୍ତ ଦୁର୍ଲଭ। ଏହାର କଳାକୃତି ମଧ୍ୟ ଚମତ୍କାର।

ବିରୂପା ନଦୀର ପ୍ରବାହ ମାତ୍ର ୬୭ କିଲୋମିଟର। ସୁଦୀର୍ଘା ମହାନଦୀର ଏକ ଶାଖା ଭାବରେ ବାହାରି, ବ୍ରାହ୍ମଣୀର ଏକ ଉପନଦୀ ଭାବରେ ପ୍ରବାହିତ ହୋଇ, ଧାମରାଠାରେ ଏହା ସାଗର-ସଂଗମ କରିଛି। କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାଦେଇ ପ୍ରବାହିତ ହେଲାବେଳେ ନିଜ ବକ୍ଷରେ ଧାରଣ କରିନେଇଛି ଉତ୍କଳୀୟ ଧର୍ମ, ସଂସ୍କୃତି ତଥା ଓଡ଼ିଆ ଶିଳ୍ପୀମାନଙ୍କର ଗୌରବଗରିମାର ଗାଥା। କଟକ ଜିଲ୍ଲାର ମୂଳବସନ୍ତଠାରୁ ବାହାରି କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁରଠାରେ ଏହା ବ୍ରାହ୍ମଣୀ ଓ କେଳୁଆ ସହିତ ମିଶି ଏକ ତ୍ରିବେଣୀ ସଂଗମ ସୃଷ୍ଟି କରିଛି। ଏହାକୁ ଓଡ଼ିଶାର ପ୍ରୟାଗ ମଧ୍ୟ କୁହାଯାଏ। ପ୍ରତିବର୍ଷ ଏଠାରେ ମହାସମାରୋହରେ ବାରୁଣୀ ଯାତ୍ରା ଓ ବାରୁଣୀ ସ୍ନାନ ହୋଇଥାଏ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ଏଠାରେ ବୁଡ଼ ପକାଇ ଚଣ୍ଡୀ ଦେବୀ ଓ ଇନ୍ଦ୍ରେଶ୍ୱରଙ୍କୁ ଦର୍ଶନ କରନ୍ତି।

ଏହି ନଦୀତୀରର ଅନତିଦୂରରେ ଥିଲା ପୁଷ୍ପଗିରି ବିହାର, ଯେଉଁଠାରେ ଏବେ ମଧ୍ୟ ବୌଦ୍ଧସ୍ତୂପ ଆଦିର ଅବଶେଷ ଦେଖାଯାଏ। ପ୍ରସିଦ୍ଧ ଜଳୌକା ପାହାଡ଼ ମଧ୍ୟ ଏହାର ତୀରଦେଶରେ ଅବସ୍ଥିତ। କଥିତ ଅଛି ଅନେକ ବୌଦ୍ଧଭିକ୍ଷୁ ଏହି ନଦୀ ମଧ୍ୟ ଦେଇ ଧାମରାରେ ପହଞ୍ଚି ବଙ୍ଗୋପସାଗର ଦେଇ ଶ୍ରୀଲଙ୍କା, ଜାଭା, ସୁମାତ୍ରା ଆଦି ସ୍ଥାନକୁ ବୌଦ୍ଧଧର୍ମର ପ୍ରଚାର ପାଇଁ ଯାଉଥିଲେ। ବିଶିଷ୍ଟ ବୌଦ୍ଧସାଧକ ବିରୂପପାଦଙ୍କ ନାମରେ ଏହି ନଦୀ ନାମିତ ବୋଲି କଥିତ ଅଛି। ବିରୂପା ନଦୀ ସହିତ ସଂଲଗ୍ନ ହୋଇ ରହିଛି ଜଳୌକା ପାହାଡ଼ରେ ଥିବା ମଣିନାଗ ଗୁମ୍ଫା। କୁହାଯାଏ ବର୍ଷକରେ ଥରେ ଗର୍ଭଣା ସଂକ୍ରାନ୍ତି ଦିନ ଏହି ଗୁମ୍ଫାରୁ ମଣିନାଗ ବାହାରି ବିରୂପା ଯାଇ ସେଠାରେ ଜଳପାନ କରି ଫେରି ଆସିଥାଏ। ବିରୂପାର ତୀରଦେଶରେ ନବମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ୱାରା ନିର୍ମିତ ପଞ୍ଚୁପାଣ୍ଡବ ମନ୍ଦିର ରହିଛି। ଏଠାରେ ଥିବା ନୀଳ ମୁଗୁନିପଥରର ବିଷ୍ଣୁ ମୂର୍ତ୍ତି ଅତ୍ୟନ୍ତ ଦୁର୍ଲଭ। ଏହାର କଳାକୃତି ମଧ୍ୟ ଚମତ୍କାର।

Related Articles

Leave a Reply

Your email address will not be published. Required fields are marked *

Back to top button