ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ପ୍ରାଜ୍ଞ ଜାମ୍ବବାନ
ଶ୍ରୀରାମ ହନୁମାନଙ୍କ ସହିତ ଯାଇ ଋଷ୍ୟମୁକ ଗିରି ଗୁହାରେ ପହଞ୍ଚିଲେ। ସୁଗ୍ରୀବଙ୍କ ସହିତ ତାଙ୍କର ମିତ୍ରତା ହେଲା। ଏହି ମିତ୍ରତା ଫଳରେ କେତୋଟି ଉଲ୍ଲେଖନୀୟ ଚରିତ୍ର ଆମର ଦୃଷ୍ଟି ପଥାରୂଢ଼ ହେଲେ। କାର୍ଯ୍ୟଦକ୍ଷତା ଓ ବୁଦ୍ଧିମତ୍ତା ଏବଂ ଶ୍ରୀରାମଙ୍କ ରାବଣବଧରେ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ଆଜି ମଧ୍ୟ ସେମାନେ ଆମ ମାନସପଟରେ ସମ୍ମାନନୀୟ ସ୍ଥାନ ଗ୍ରହଣ କରିଛନ୍ତି।
ସେମାନଙ୍କ ମଧ୍ୟରୁ ଜାମ୍ବବାନ ଅନ୍ୟତମ। କୋଟି ଋକ୍ଷଙ୍କର ରାଜା ହୋଇ ମଧ୍ୟ ଜାମ୍ବବାନ କିସ୍କିନ୍ଧ୍ୟାର ଅନ୍ୟତମ ମନ୍ତ୍ରୀ ଥିଲେ। ଋକ୍ଷମାନେ ବାନର ହେଲେ ମଧ୍ୟ ସେମାନଙ୍କୁ ଋକ୍ଷ ବା ଭଲ୍ଲୁକ କୁହାଯିବାର କାରଣ ହେଲା, ସେମାନଙ୍କ ଦେହର ବର୍ଣ୍ଣ ବାନରମାନଙ୍କ ଭଳି ସ୍ୱର୍ଣ୍ଣାଭ ନ ଥିଲା। ସମଗ୍ର ଶରୀର ଦୀର୍ଘ ଓ କୃଷ୍ଣ ଲୋମ ଦ୍ୱାରା ଆଚ୍ଛାଦିତ ହୋଇ ଭଲ୍ଲୁକ ସଦୃଶ ପ୍ରତୀୟମାନ ହେଉଥିଲା। ସେମାନଙ୍କର ବୟୋଜ୍ୟେଷ୍ଠ ନେତାଥିଲେ ଜାମ୍ବବାନ।
ଜାମ୍ବବାନ ବ୍ରହ୍ମାଙ୍କର ପୁତ୍ର। ବ୍ରହ୍ମାଙ୍କ ଜୃମ୍ଭରୁ ସୃଷ୍ଟି ହୋଇଥିବାରୁ ତାଙ୍କର ନାମ ହୋଇଥିଲା ଜାମ୍ବବାନ। ସେ ଥିଲେ ଅତ୍ୟନ୍ତ ପ୍ରାଜ୍ଞ, ବଳବାନ, ବିଚାରବନ୍ତ, ସ୍ୱଳ୍ପଭାଷୀ ଓ ଦୀର୍ଘଜୀବୀ। ସତ୍ୟ, ତ୍ରେତୟା ଓ ଦ୍ୱାପର ଯୁଗରେ ତାଙ୍କର ଉପସ୍ଥିତିର ସୂଚନା ମିଳେ। ସେ ୨୧ ଥର ପୃଥିବୀ ପ୍ରଦକ୍ଷିଣ କରିଥିଲେ। ଏପରିକି ଶ୍ରୀବିଷ୍ଣୁ ଯେତେବେଳେ ବଳୀଙ୍କ ଯଜ୍ଞଶାଳାରେ ବାମନ ଅବତାରରୁ ତ୍ରିବିକ୍ରମରେ ପରିଣତ ହେଲେ, ସେତେବେଳେ ମଧ୍ୟ ଜାମ୍ବବାନ ସେହି ବିଶାଳ ରୂପକୁ ତିନିଥର ପ୍ରଦକ୍ଷିଣ କରିଥିଲେ। ସୀତାଙ୍କ ଅନ୍ୱେଷଣରେ ଯେଉଁ ବାନରମାନେ ଦକ୍ଷିଣଦିଗକୁ ଯାତ୍ରା କରିଥିଲେ, ସେମାନଙ୍କର ବିଶେଷ ଦଳପତି ଥିଲେ ଜାମ୍ବବାନ। ସଂପାତ୍ତିଠାରୁ ସୀତା ଲଙ୍କାରେ ଥିବା ଜାଣି ଯେତେବେଳେ ସମୁଦ୍ର ଲଂଘନ ପାଇଁ କିଏ ବିଶେଷ ଯୋଗ୍ୟ ବୋଲି ବିଚାର ପଡ଼ିଲା, ସମସ୍ତେ ଜାମ୍ବବାନଙ୍କୁ ହିଁ ଶ୍ରେଷ୍ଠ ମଣିଥିଲେ। କିନ୍ତୁ ନିଜର ବୃଦ୍ଧାବସ୍ଥା ସଂପର୍କରେ ସଚେତନ ଜାମ୍ବବାନ କହିଥିଲେ, ମୁଁ ମାତ୍ର ୯୦ ଯୋଜନ ଅତିକ୍ରମ କରିପାରିବି। ଏହା ଦ୍ୱାରା ଆମର ଉଦ୍ଦେଶ୍ୟ ସଫଳ ହେବ ନାହିଁ। ଏହାପରେ ସେ ହନୁମାନଙ୍କୁ ତାଙ୍କ ପୂର୍ବ ବଳବିକ୍ରମ ସ୍ମରଣ କରାଇ (ଯାହା ସେ ଋଷିଙ୍କ ଅଭିଶାପ ଯୋଗୁଁ ବିସ୍ମୃତ ହୋଇଥିଲେ) ଲଙ୍କାଯାତ୍ରା ପାଇଁ ପ୍ରବର୍ତ୍ତାଇ ଥିଲେ। ହନୁମାନ ସଫଳ ହୋଇ ଫେରିଆସିବାରୁ ଅଙ୍ଗଦ ଲଙ୍କା ଯାଇ ସୀତାଙ୍କୁ ନେଇ ଆସିବାକୁ ପ୍ରସ୍ତାବ ଦେଲେ। କିନ୍ତୁ ଜାମ୍ବବାନ ଏହାକୁ ଅସ୍ୱୀକାର କରିବା ସହିତ କହିଥିଲେ- ସୀତାଙ୍କୁ ଠାବ କରିବା ଆମର କାମ ଥିଲା। ବର୍ତ୍ତମାନ ଏ ସମାଚାର ଶ୍ରୀରାମଙ୍କୁ ଜଣାଇବା ଆମର କର୍ତ୍ତବ୍ୟ। ସୀତାଙ୍କୁ ହରଣ କରି ଆଣିବାର ଆଦେଶ ଆମକୁ ଦିଆଯାଇ ନାହିଁ।
ଏଥିରୁ ଜାମ୍ବବାନଙ୍କ ବିଚାରବୁଦ୍ଧିର ପରିଚୟ ମିଳେ। ଯୁଦ୍ଧ ସମୟରେ ରାମ ଓ ଲକ୍ଷ୍ମଣଙ୍କ ସହିତ ଅନେକ ଆହତ ହୋଇଥିବାର ସମ୍ବାଦ ବିଭୀଷଣଙ୍କଠାରୁ ଶୁଣି ଜାମ୍ବବାନ ପ୍ରଥମେ ପଚାରିଥିଲେ- ହନୁମାନ ସୁସ୍ଥ ଅଛନ୍ତି ତ? ଜାମ୍ବବାନଙ୍କଠାରୁ ଏପରି ପ୍ରଶ୍ନ ଶୁଣି ବିଭୀଷଣ ଆଶ୍ଚର୍ଯ୍ୟ ହେବାରୁ ଜାମ୍ବବାନ ବୁଝାଇଥିଲେ- ହନୁମାନ ସୁସ୍ଥ ଥିଲେ କାହାର କିଛି ଅନିଷ୍ଟ ହେବନାହିଁ। ରାମ ଯେତେବେଳେ ସ୍ୱପୁର ଗମନ କଲେ, ତାଙ୍କ ସହିତ ଜାମ୍ବବାନ ଯିବାକୁ ଇଚ୍ଛା ପ୍ରକାଶ କରିବାରୁ ରାମ ତାଙ୍କୁ ବାରଣ କରି କହିଥିଲେ- ଏବେ ତୁମର ସମୟ ଆସି ନାହିଁ। ଜାମ୍ବବାନ ସେହି ଶୁଭ ସମୟର ଅପେକ୍ଷାରେ ରହିଥିଲେ। ଦ୍ୱାପରରେ ନିଜର କନ୍ୟା ଜାମ୍ବବତୀଙ୍କୁ ଶ୍ରୀକୃଷ୍ଣଙ୍କ ସହିତ ବିବାହ ଦେଇ ସେ ପରମଧାମ ଯାତ୍ରା କରିଥିଲେ। ଜାମ୍ବବତୀଙ୍କର ପୁତ୍ର ଥିଲେ ଶାମ୍ବ। ଆମର କୋଣାର୍କ ତାଙ୍କର ଅବଦାନ।