ପ୍ରଥମ ଜାତୀୟ ମହାକାଶ ଦିବସ : ଆଜିକୁ ପ୍ରାୟ ବର୍ଷେ ତଳେ ଜହ୍ନରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩

ଆଜିକୁ ଠିକ୍ ବର୍ଷେ ପୂର୍ବେ ସମସ୍ତଙ୍କ ମନରେ ଗୋଟିଏ ଭୟ ରହିଥିଲା । ଚନ୍ଦ୍ରଯାନ ୨ର ଅସଫଳତା ପରେ ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ କି ନାହିଁ । କିନ୍ତୁ ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା କାମ ଦେଇଥିଲା । ଶେଷରେ ସଫଳ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ।
ତେବେ ଏହି ଦିନକୁ ଭାରତ ପ୍ରଥମ ଜାତୀୟ ମହାକାଶ ଦିବସ ଭାବେ କରିବା ପାଇଁ ମୋଦି ଘୋଷଣା କରିଥିଲେ । ଆଉ ପ୍ରଥମ ଜାତୀୟ ମହାକାଶ ଦିବସ ।
ପ୍ରଥମ ମହାକାଶ ଦିବସର ଥିମ ରହିଛି- ଚନ୍ଦ୍ରକୁ ସ୍ପର୍ଶ କରିବା ସହିତ ଜୀବନ ଛୁଇଁବା : ଭାରତର ମହାକାଶ ଗାଥା । ଏହି ଶୀର୍ଷକରେ ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଦୁଇ ଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ସ୍ପେସ ଟେକ୍ନୋଲୋଜି ଓ ମହାକାଶ ଗବେଷଣା କ୍ଷେତ୍ରରେ ସଫଳତାକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଉଦଘାଟନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ଇସ୍ରୋ ରୋବୋଟିକ୍ସ ଚ୍ୟାଲେଞ୍ଜ ଓ ଭାରତୀୟ ଅନ୍ତରୀକ୍ଷ ହେକାଥନର ବିଜେତାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଉପସ୍ଥିତ ଅଛନ୍ତି ।
୨୦୨୩ ମସିହା ଅଗଷ୍ଟ ୨୩ ତାରିଖରେ ମହାକାଶ କ୍ଷେତ୍ରରେ ଇତିହାସ ରଚିଥିଲା ଭାରତ । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ପାଲଟିଥିବା ବେଳେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିବା ପ୍ରଥମ ଦେଶ ପାଲଟିଥିଲା । ଏହି ସଫଳତା ପାଇଁ ପ୍ରତି ବର୍ଷ ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଆଜି ଚନ୍ଦ୍ରରେ ଲ୍ୟାଣ୍ଡିଂର ଗୋଟିଏ ବର୍ଷ ପୂରିବାକୁ ଯାଉଛି । ମହାକାଶ ଗବେଷଣାରେ ନୂଆ ନୂଆ ମାଇଲ ଖୁଣ୍ଟ ଛୁଇଁ ଚାଲିଛି ଭାରତ। ଚନ୍ଦ୍ରଯାନ, ଆଦିତ୍ୟ ମିଶନ ପରେ ଏବେ ଗଗନଯାନ ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ।