ଦେଶ- ବିଦେଶ

‘ଓମେଗା-୩’ କମାଉଛି ଉତ୍ତେଜନା ପ୍ରବଣତା

ସାଧାରଣତଃ ମାଛ ତେଲରେ ରହିଥିବା ‘ଓମେଗା-୩’ ନାମକ ଚର୍ବିଳାମ୍ଳକୁ ଏକ ଖାଦ୍ୟ ପରିପୂରକ ଭାବେ ଗ୍ରହଣ କଲେ ମନର ଉତ୍ତେଜନାପ୍ରବଣତା ବା ଆକ୍ରମଣଶୀଳତା ଯଥେଷ୍ଟ ପରିମାଣରେ ହ୍ରାସ ହୋଇପାରିବ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଏହି ଚର୍ବିଳାମ୍ଳ ଜଣଙ୍କୁ ମାନସିକ ତଥା ଶାରୀରିକ ସ୍ତରରେ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ବୋଲି ଆଗରୁ ଜଣାଅଛି।

ସେହିପରି ସିଜୋଫ୍ରେନିଆ ପରି ଅବିଗୁଣ ଦୂର କରିବା ସହ ଏହା ଜଡ଼ିତ ବୋଲି ମଧ୍ୟ ଜଣା ଥିଲା। ଅପରପକ୍ଷେ, ଉତ୍ତେଜନାପ୍ରବଣତା ଓ ଅସାମାଜିକ କାର୍ଯ୍ୟକଳାପଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟର ଅଭାବ ଯୋଗୁଁ ଦେଖାଯାଇଥାଏ ବୋଲି ଧରି ନିଆଯାଇଥିଲା। ତେବେ ପେନ୍ସିଲଭାନିଆ ବିଶ୍ବବିଦ୍ୟାଳୟର ଗବେଷକମାନେ ଚଳାଇଥିବା ଏକ ଅନୁଧ୍ୟାନରୁ ‘ଓମେଗା-୩’ ଗ୍ରହଣ ଦ୍ବାରା ଉତ୍ତେଜନାପ୍ରବଣତାରେ ୨୮ ପ୍ରତିଶତ ହ୍ରାସ ଘଟୁଥିବା ଜଣାଯାଇଛି। ସେମାନେ ୧୬ ବର୍ଷର କିଶୋରଙ୍କଠାରୁ ଆରମ୍ଭ କରି ୬୦ ବର୍ଷର ବୃଦ୍ଧ ଯାଏ ବିଭିନ୍ନ ବର୍ଗର ୩,୯୧୮ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ୨୯ ମାତ୍ରାର ନିୟନ୍ତ୍ରିତ ‘ଓମେଗା-୩’ ପ୍ରୟୋଗ ଫଳାଫଳକୁ ତର୍ଜ୍ଜମା କରି ଏପରି ନିର୍ଯାସ ପାଇପାରିଛନ୍ତି।

ସେମାନଙ୍କ କହିବାନୁଯାୟୀ, ଏହି ଚର୍ବିଳାମ୍ଳ ଶରୀରରେ ପ୍ରଦାହ ଗୁଣ କମାଇବାରେ ସହାୟକ ହୋଇଥାଏ। ସୁତରାଂ ତାହା ମସ୍ତିଷ୍କରେ ସଂପୃକ୍ତ ଉତ୍ତେଜନାପ୍ରବଣତା କ୍ରିୟାକୁ ଶାନ୍ତ କରାଇ ଏପରି ସଫଳ ସାବ୍ୟସ୍ତ ହୋଇପାରିଥାଏ। ଏହାର ଉପଯୋଗ ଦ୍ବାରା ସଂପୂର୍ଣ୍ଣ ରୂପେ ଉତ୍ତେଜନାପ୍ରବଣତା ଦୂର ହୋଇ ପାରିବ କି ନା ସେଥିପାଇଁ ଅଧିକ ତଥା ବିସ୍ତୃତ ଗବେଷଣାର ଆବଶ୍ୟକତା ରହିଛି ବୋଲି ଗବେଷକମାନେ ସ୍ବୀକାର କରିଛନ୍ତି। ତେବେ ଯେଉଁ ଅଭିଭାବକମାନେ ନିଜ ପିଲାର ଉତ୍ତେଜନାପ୍ରବଣତା ପାଇଁ କୌଣସି ପ୍ରକାର ଚିକିତ୍ସା କରାଉଛନ୍ତି, ସେମାନେ ସପ୍ତାହକୁ ଦୁଇ ତିନିଥର ମାଛ ଖାଇବାକୁ ଦେଲେ ଅଧିକ ସକାରାତ୍ମକ ଫଳାଫଳ ମିଳିପାରିବ ବୋଲି ଗବେଷକମାନେ ପରାମର୍ଶ କରିଛନ୍ତି। ଯଦିଓ ସମାଜରେ ହିଂସା ସମସ୍ୟା ସଂପୂର୍ଣ୍ଣ ଦୂର କରିବାରେ ଏହି ଓମେଗା-୩ ଯାଦୁଗର ପରି କାମ କରିବନି, ତେବେ ଏହା କିଛି ମାତ୍ରାରେ ସହାୟକ ହେବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button