ରାଜ୍ୟ

ବିମାନ ସେବା ବନ୍ଦ, 31.5 କୋଟିରେ ହେବ ୨-ବି କ୍ୟାଟେଗୋରି

ବ୍ରହ୍ମପୁର ସହରରେ ଏକ ଗ୍ରିନ୍‌ଫିଲ୍ଟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା। ବାରମ୍ବାର ଦାବି ପରେ ରଂଗେଇଲୁଣ୍ଡାରେ ଥିବା ଏୟାର୍‌ଷ୍ଟ୍ରିପ୍‌କୁ ଉଡ଼ାନ୍‌ ଯୋଜନାରେ ସାମିଲ କରାଯାଇଥିବା ବେଳେ ଏଠାରୁ ପ୍ରାଥମିକ ପର୍ଯ୍ୟାୟରେ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା। ସପ୍ତାହକୁ ଦୁଇଦିନ ଭୁବନେଶ୍ବରକୁ ବିମାନ ଯାତାୟାତ କରୁଥିଲା।

ଏବେ ଏୟାର୍‌ଷ୍ଟ୍ରିପ୍‌ ସଂପ୍ରସାରଣ କାମ ଚାଲିଛି। ଏଣୁ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସଂପ୍ରସାରଣ କାମ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରାୟ ୩୧ କୋଟି ୫ଲକ୍ଷ ଟଙ୍କା ବ୍ୟୟରେ କାମ ଚାଲିଛି। କାମ ସରିବା ପରେ ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ ୨-ବି କ୍ୟାଟେଗୋରିକୁ ଉନ୍ନୀତ ହେବ। ଏହା ହେଲେ ଏହି ବିମାନବନ୍ଦରକୁ ୧୨ ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ କରିପାରିବ।

ବ୍ରିଟିସ୍‌ ସରକାର ଅମଳରେ ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୋଳାବନ୍ଧରେ ଆର୍ମି ଏୟାର୍‌ ଡିଫେନ୍ସ କଲେଜ ପ୍ରତିଷ୍ଠା ହୋଇଥିଲା। ଏହାପରେ ସେନା ବାହିନୀର ହେଲିକପ୍ଟର୍‌ ଏଠାରେ ଓହ୍ଲାଉଥିଲା। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ପର୍ଯ୍ୟାୟ କ୍ରମେ ଓଡ଼ିଶାର ଝାରସୁଗୁଡ଼ା, ରାଉରକେଲା ଭଳି ସହରକୁ ଉଡ଼ାନ୍‌ ଯୋଜନାରେ ସାମିଲ କରାଯାଇଥିଲା। ଏଣୁ ବ୍ରହ୍ମପୁରରେ ମଧ୍ୟ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଦାବି ଉଠିଥିଲା। ଏହି ଦାବି ଅନୁସାରେ ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ସଂପ୍ରସାରଣ କରି ବିମାନବନ୍ଦର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ବିମାନ ବନ୍ଦର ସଂପ୍ରସାରଣ ପାଇଁ ‘ଫର୍ଚୁନ୍‌ ଗ୍ରୁପ୍‌’ ‌ଟେଣ୍ଡର୍‌ ପାଇଥିବା ବେଳେ ବର୍ତ୍ତମାନ କାମ ଜାରି ରହିଛି। ରନ୍‌ୱେ ୭୦୦ ମିଟର୍‌ରୁ ୯୫୦ ମିଟର୍‌କୁ ବୃଦ୍ଧି କରାଯାଉଥିବା ବେଳେ ଏହାର ଓସାର ୧୫ରୁ ୩୦ ମିଟର୍‌କୁ ବୃଦ୍ଧି ପାଇବ। ଏହାସହିତ ପୁଲିସ ବାରାକ୍‌ କୋଠା, ଟର୍ମିନାଲ୍‌ ବିଲ୍ଡିଂ, ଫାୟାର୍‌ ଷ୍ଟେସନ୍‌ ଓ ହସ୍ପିଟାଲ୍‌ ତିଆରି ହେବ। ବିମାନ ବନ୍ଦର ଚାରିପଟେ ପାଚେରି ନିର୍ମାଣ କରାଯିବା ସହିତ ଡ୍ରେନ୍‌ ଓ ଆପ୍ରୋଚ୍‌ ରୋଡ଼ ମଧ୍ୟ ତିଆରି ହେବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୫ ପ୍ରତିଶତ କାମ ସରିଛି। ଧାର୍ଯ୍ୟ ସମୟ ମଧ୍ୟରେ କାମ ସମାପ୍ତ କରିବାକୁ ଉଦ୍ୟମ ଜାରି ରହିଥିବା ପୂର୍ତ୍ତ ବିଭାଗ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରା ସୂଚନା ଦେଇଛନ୍ତି।

ଅନ୍ୟପଟେ ବିମାନ ବନ୍ଦର ପାଇଁ ଉଭୟ ଘରୋଇ ଓ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଚାଲିଛି। ଅଧିକାଂଶ ଜମି ଅଧିଗ୍ରହଣ ହୋଇ ସାରିଥିବା ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ଏୟାର୍‌ଷ୍ଟ୍ରିପ୍‌ର ଜମି ପ୍ରାୟ ୩୪ ଏକର ରହିଥିଲା। ବର୍ତ୍ତମାନ ୪୦.୯୩୯ ଏକର ସରକାରୀ ଜମି ଅଧିଗ୍ରହଣ ହୋଇଛି। ସେହିପରି ୧୫.୧୪୬ ଏକର ଘରୋଇ ଜମି ଅଧିଗ୍ରହଣ ହେବ ବୋଲି ଶ୍ରୀ ବେହେରା କହିଛନ୍ତି। ବର୍ତ୍ତମାନ ରନ୍‌ୱେ ନିର୍ମାଣ କାମ ଆରମ୍ଭ ହେବ। ଏଣୁ ବିମାନ ଚଳାଚଳ ବନ୍ଦ କରାଯାଇଛି। ‘ଇଣ୍ଡିଆ ୱାନ୍‌ ଏୟାର୍‌’ ତରଫରୁ ସପ୍ତାହକୁ ଦୁଇଦିନ ବିମାନ ଚଳାଚଳ କରାଯାଉଥିଲା। ପ୍ରାୟ ବର୍ଷେ ଚାଲିବା ପରେ ଯାତ୍ରୀ ନହେବାରୁ ଗୋଟିଏ ଦିନ ବନ୍ଦ କରାଯାଇଥିଲା। ଏବେ ସଂପ୍ରସାରଣ ପାଇଁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button