ଗାଜିୟାବାଦରେ ସପିଙ୍ଗ କଲେ ସେଖ ହସିନା, ଭାରତୀୟ ମୁଦ୍ରାରେ ପୈଠ କଲେ

ଗାଜିୟାବାଦ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଭାରତ ଚାଲି ଆସିବା ପରେ ଗାଜିୟାବାଦର ହିଣ୍ଡନ ଏୟାରବେଶରେ ଅଟକି ରହିଛନ୍ତି। ତାଙ୍କ ସହିତ ତାଙ୍କ ଭଉଣୀ ମଧ୍ୟ ଅଛନ୍ତି। ଶେଖ ହସିନା ଦ୍ୱିତୀୟ ରାତି ସେଫ ହାଉସରେ କଟାଇଛନ୍ତି। ସେ ବାଂଲାଦେଶ ଛାଡିବା ସମୟରେ ନିଜ ସହିତ ବେଶି କିଛି ସାମାନ ଆଣି ପାରି ନାହାନ୍ତି, ଏଣୁ ବୁଧବାର ସେ ହିଣ୍ଡନ ଏୟାର ବେସ୍ ରେ ସପିଙ୍ଗ କରିଛନ୍ତି।
ସେ ଯେଉଁ କିଣାକିଣି କରିଛନ୍ତି ଏଥିପାଇଁ ଭାରତୀୟ ମୁଦ୍ରା ଓ ବାଂଲଦେଶୀ ମୁଦ୍ରାରେ ପୈଠ କରିଛନ୍ତି। ସେପଟେ ଶେଖ ହସିନାଙ୍କୁ ନେଇ ବାଂଲାଦେଶ ପକ୍ଷରୁ ବଡ଼ ଦାବି କରାଯାଇଛି। ବାଂଲାଦେଶ ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ଅଧ୍ୟକ୍ଷ ଏ.ଏମ. ମହବୁବ ଉଦ୍ଦିନ ଖୋକୋନ ଭାରତ ଶେଖ ହସିନାଙ୍କୁ ଗିରଫ କରି ବାଂଲାଦେଶ ପଠାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ ଏଣୁ ଶେଖ ହସିନାଙ୍କୁ ବାଂଲାଦେଶ ପଠାଇ ଦିଆଯାଉ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପାଇଁ ଓ ଭଉଣୀଙ୍କ ପାଇଁ କିଛି ଜରୁରି ସାମଗ୍ରୀ କିଣାକିଣି କରିଛନ୍ତି। ହିଣ୍ଡନ ଏୟାରଫୋର୍ସ ଷ୍ଟେସନରେ ସ୍ଥାପିତ ସପିଙ୍ଗ କମ୍ପ୍ଲେକ୍ସରୁ ସେ ଏହି କିଣାକିଣି କରିଛନ୍ତି। ଏଥିରେ ସେ ପାଖାପାଖି ୩୦ ହଜାର ଟଙ୍କାର କିଣିକିଣି କରିଥିବା ବେଳେ ଭାରତୀୟ ମୁଦ୍ରାରେ ପୈଠ କରିଥିଲେ। ତେବେ କିଛି କମ ପଡିବାରୁ ସେମାନେ ବାଂଲାଦେଶୀ ମୁଦ୍ରା ଦେଇଛନ୍ତି। ହେଲେ ବି ସେମାନେ ପୁରା ପୈଠ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ବିରୋଧ ପ୍ରଦର୍ଶନ କାରଣରୁ ଶତାଧିକ ଲୋକେ ପ୍ରାଣ ହରାଇଲେଣି। ଗତମାସରେ ଏକ ବିବାଦୀୟ ଚାକିରୀ ସଂରକ୍ଷଣ ଯୋଜନା ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ କ୍ରମେ ସରକାର ବିରୋଧୀ ଆନ୍ଦୋଳନରେ ରୂପାନ୍ତରିତ ହୋଇଥିଲା। ୧୯୭୧ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଲୋକଙ୍କ ପରିବାର ନିମନ୍ତେ ସିଭିଲ ସେବା ଚାକିରୀରେ ୩୦ ପ୍ରତିଶତ ରିଜର୍ଭେସନ ବ୍ୟବସ୍ଥା ଏହି ବିବାଦୀୟ ସଂରକ୍ଷଣ ନୀତିରେ କରାଯାଇଥିଲା। ଯାହାକୁ ଦେଶରେ ବିରୋଧ କରାଯାଇଛି।