ଅପରାଧ

ଡିଏଚ୍‌ପିଏଲ୍‌ ହୋମ୍‌ସରେ ଅଶୁଭ ସକାଳ: ପୁଅ ପାଲଟିଲା ବ୍ରହ୍ମଚଣ୍ଡାଳ – Kalinga News

[ad_1]

ଭୁବନେଶ୍ବର: ଭୋର୍‌ ପାଖାପାଖି ୪ଟା। ରାତି ପାହିଆସୁଥିଲା। ସକାଳ ହେବାକୁ ଆଉ ମାତ୍ର କିଛି ସମୟ ବାକିଥିଲା। ମଞ୍ଚେଶ୍ବର ଥାନା ରଙ୍ଗମାଟିଆସ୍ଥିତ ଡିଏଚ୍‌ପିଏଲ୍‌ ଆପାର୍ଟମେଣ୍ଟ ପାଇଁ ପାଖେଇ ଆସୁଥିଲା ଏକ ଅଶୁଭ ସକାଳ। କେହି ବି କଳ୍ପନା କରିନଥିଲେ ଯେ ପ୍ରଥମ ମହଲା ୧୦୮ ନମ୍ବର ଫ୍ଲାଟ୍‌ରେ ରହୁଥିବା ସୁନୀଲ ଚୌଧୁରୀଙ୍କ ଘରେ ଲେଖାଚାଲିଛି ଏକ ଅବିଶ୍ବସନୀୟ, ଲୋମଟାଙ୍କୁରା ହତ୍ୟାକାଣ୍ଡର କାହାଣୀ। ନାଲ୍‌କୋରୁ ଅବସର ନେଇଥିବା ବରିଷ୍ଠ ଅଧିକାରୀ ସୁନୀଲଙ୍କୁ ତାଙ୍କ ଏକମାତ୍ର ପୁଅ ତଥା ଆଇନ ଅଧ୍ୟାପକ ଅନିରୁଦ୍ଧ ଛୁରି ଭୁସି ହତ୍ୟା କରୁଛି ବୋଲି କିଏ ବା କାହିଁକି ଭାବିଥାଆନ୍ତା! କିନ୍ତୁ ନିଜ ପତ୍ନୀ ସୁନୀତାଙ୍କ ଆଖି ଆଗରେ ପୁଅ ଅନିରୁଦ୍ଧ ଘଟାଉଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ।

ଗୋଟିଏ ପଟେ ଆପାର୍ଟମେଣ୍ଟର ବହୁ ବାସିନ୍ଦା ମର୍ଣ୍ଣିଂ ୱାକ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସୁନୀଲଙ୍କ ଫ୍ଲାଟ୍‌ ଭିତରେ ଭାସି ବୁଲୁଥିଲା ସୁନୀଲଙ୍କ ପତ୍ନୀ ସୁନୀତାଙ୍କ ବିକଳ ଚିତ୍କାର। ରକ୍ତମୁଖା ପୁଅ କବଳରୁ ସ୍ବାମୀଙ୍କୁ ବଞ୍ଚାଇବାକୁ ସୁନୀତା ପାଟି କରୁଥିଲେ ବି ତାଙ୍କ ଚିତ୍କାର କବାଟ, ଝରକା ଡେଇଁ ବାହାରକୁ ଆସିପାରିନଥିଲା। ସକାଳ ହେବା ବେଳକୁ ସ୍ତବ୍ଧ ହୋଇଗଲା ଡିଏଚ୍‌ପିଏଲ୍ ହୋମ୍‌ସ। ଯେତେବେଳେ ଆମ୍ବୁଲାନ୍‌ସ ପହଞ୍ଚିଲା ଏବଂ କେୟାର୍‌ଟେକର ଆଲୋକଙ୍କ କାନ୍ଧରେ ବୁହା ହୋଇ ସୁନୀଲଙ୍କ ରକ୍ତ ଜୁଡ଼ୁବୁଡୁ ଶରୀର ଶିଡ଼ିରୁ ତଳକୁ ଆସିଥିଲା, ସମସ୍ତେ ଆବାକ୍‌ ହୋଇଯାଇଥିଲେ। ଡିଏଚ୍‌ପିଏଲ୍‌ ହୋମ୍‌ସ ପରିସରରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ଆପାର୍ଟମେଣ୍ଟ ପରିସରରେ ଖେଳିଯାଇଥିଲା ବିଷାଦର କଳା ବାଦଲ।

 ଟିକୁଲ୍‌ କେମିତି ଏମିତି କଲା
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଥିଲା; ଟିକୁଲ୍‌ କେମିତି ଏମିତି କଲା! ପ୍ରାୟ ୧୦/୧୨ ବର୍ଷ ହେଲା ସୁନୀଲ୍‌ଙ୍କ ପରିବାରକୁ ଜାଣିଥିବା ପଡ଼ୋଶୀମାନେ ଘଟଣାକୁ ବିଶ୍ବାସ କରିପାରୁ ନଥିଲେ। ଗେଲବସରିଆ ଏକମାତ୍ର ପୁଅ ଅନିରୁଦ୍ଧ ଓରଫ୍‌ ଟିକୁଲ୍‌ ଯେ ବାପାଙ୍କୁ ହତ୍ୟା କରିଛି, ଏହାକୁ କେହି ସହଜରେ ବିଶ୍ବାସ କରିପାରୁନଥିଲେ। ବଡ଼ ଶାନ୍ତ ସ୍ବଭାବର ଟିକୁଲ୍‌ ମଣିଷ ମାରିପାରେ, ପୁଣି ବାପାଙ୍କୁ! ନା, ଏହା ଅସମ୍ଭବ। କିନ୍ତୁ ଘଟଣା ଥିଲା ସତ। ଖୋଦ ମା’ଙ୍କ ସମ୍ମୁଖରେ ବେଡ୍‌ ଉପରେ ଟିକୁଲ୍‌ ବାପାଙ୍କୁ ଛୁରି ଭୁସି ହତ୍ୟା କରିଥିଲା। କଥା ସତ ବୋଲି ଜଣାପଡ଼ିବା ପରେ ଚାଲିଥିଲା ବିଭିନ୍ନ ଆଲୋଚନା। କିଏ ବୋହୂ ଆଡ଼କୁ ଅଙ୍ଗୁଳି ଉଠାଉଥିଲା ତ କିଏ ସୁନୀଲଙ୍କ ସମ୍ପତ୍ତି ଲୋଭକୁ ନେଇ ପ୍ରଶ୍ନ ଉଠାଉଥିଲା। ପୁଅ ବୋହୂ ଯଦି ସମ୍ପତ୍ତି ବିକିବାକୁ ଜିଦି କରିଥି‌ଲେ, ସୁନୀଲ ଦେଇଦେବାର ଥିଲା। ଗୋଟିଏ ବୋଲି ତ ପୁଅ! ତା’ ପାଇଁ ସବୁ ସମ୍ପତ୍ତି। ଏବେ କ’ଣ ହେଲା? ଏମିତି ଥିଲା କିଛି ଲୋକଙ୍କ ପ୍ରତିକ୍ରିୟା। ପୁଣି କେହିକେହି ଅନିରୁଦ୍ଧକୁ ଦାୟୀ କରୁଥିଲେ। କି ପୁଅ ଇଏ! ବୋହୂ କଥାରେ ପଡ଼ି ସମ୍ପତ୍ତି ପାଇଁ ବାପାକୁ ମାରିବ! କି ଆଇନ ପାଠପଢ଼ିଥିଲା, ପୁଣି ପିଲାଙ୍କୁ ପଢ଼ାଉଥିଲା! କେହି କେହି କହୁଥିଲେ ରାଗ ବ୍ରହ୍ମଚଣ୍ଡାଳ। ଅନିରୁଦ୍ଧକୁ ତା’ କ୍ରୋଧ ହିଁ ଚଣ୍ଡାଳ କରିଦେଲା। ପାଠପଢ଼ାର କାଣିଚାଏ ବି ମୂଲ୍ୟ ରଖିଲାନି।

 ୩୦ ଲକ୍ଷର କରଜ ବୋଝ
ପଟିଆସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଆଇନ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଅନିରୁଦ୍ଧ ବାହାହେବା ପରେ ବହୁ କରଜ କରିଥିଲେ। ଦୁବାଇ, ସିଙ୍ଗାପୁର ଆଦି ବିଦେଶ ଭ୍ରମଣ କରିବା ସହ ବହୁ ବାଜେ ଖର୍ଚ୍ଚ କରି ପ୍ରାୟ ୩୦ ଲକ୍ଷ ଟଙ୍କା କରଜ କରିଦେଇଥିଲେ। ତାଙ୍କ ନିଜ ଦରମା ପଇସାରେ ସ୍ତ୍ରୀଙ୍କୁ ନେଇ ଚଳିବା ଅନିରୁଦ୍ଧଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ତେଣୁ ବାପାଙ୍କ ହାତକୁ ଅପେକ୍ଷା କରିବାକୁ ପଡ଼ୁଥିଲା। ଏହା ଭିତରେ ସେ କୌଣସି କାରଣରୁ କଲେଜ ଚାକିରି ଛାଡ଼ି ଦେଇଥିଲେ। ତେଣୁ ନିଜେ ଚଳିବା ଓ କରଜ ଶୁଝିବାକୁ ସେ ବାପାଙ୍କୁ ଟଙ୍କା ମାଗୁଥିଲେ। ଏମିତିକି କିଛି ଜମି ବିକି ତାଙ୍କୁ ଟଙ୍କା ଦେବାକୁ କହୁଥିଲେ। ମାତ୍ର ବାପା ସୁନୀଲ ତାଙ୍କ ଜିଦିରେ ଅଟଳ ଥିଲେ ଏବଂ ବାଜେ ଖର୍ଚ୍ଚ ପାଇଁ ଟଙ୍କା ଦେବେ ନାହିଁ ବୋଲି ରୋକ୍‌ଠୋକ ଶୁଣାଇ‌ ଦେଇଥିଲେ। ଏହାକୁ ନେଇ ୮ ଦିନ ପୂର୍ବେ ବାପା ଓ ପୁଅଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ୩ ଦିନ ପୂର୍ବେ ଅନିରୁଦ୍ଧଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। କରଜ ବୋଝ ଓ ସ୍ତ୍ରୀ ବାପଘରକୁ ଚାଲିଯିବା ଭଳି ଘଟଣାରେ ବେଶ୍ ବିବ୍ରତ ହୋଇପଡ଼ିଥିଲେ ଅନିରୁଦ୍ଧ।

 ଭାରତୀୟ ନ୍ୟାୟ ସଂହିତା ୧୦୩ରେ ରାଜଧାନୀର ପ୍ରଥମ ମାମଲା
ଡିସିପି ପ୍ରତୀକ୍‌ ସିଂଙ୍କ ସୂଚନାନୁସାରେ ଭାରତୀୟ ନ୍ୟାୟ ସହିଂତା ଧାରା ୧୦୩ରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲା କମିସନରେଟ୍‌ ପୁଲିସ ପାଇଁ ପ୍ରଥମ। ନୂଆ ଆଇନର ନିର୍ଦ୍ଦେଶକ୍ରମେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶବ ପଞ୍ଚନାମା, ବ୍ୟବଚ୍ଛେଦ ଓ ଅନ୍ୟ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିବା, ରକ୍ତଭିଜା ଛୁରି ଓ ତକିଆ ସମେତ ଅନ୍ୟଜିନିଷ ସବୁ ଜବତ କରିବାର ଭିଡିଓଗ୍ରାଫି କରାଯାଇଛି। ୯୦ ଦିନ ଭିତରେ କୋର୍ଟକୁ ଚାର୍ଜସିଟ୍‌ ଦିଆଯିବ।

 ଭଲ ପାଇ ଛାତ୍ରୀଙ୍କୁ ବାହା ହୋଇଥିଲେ
୪ ବର୍ଷ ପୂର୍ବେ ଅନିରୁଦ୍ଧ ତାଙ୍କର ଜଣେ ଆଇନ ପଢ଼ୁଆ ଛାତ୍ରୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରଠୁ ତାଙ୍କ ଜୀବନର ଗତିପଥ ବଦଳିଯାଇଥିଲା ବୋଲି ଚର୍ଚ୍ଚା ହେଉଛି। ବଡ଼ କଥା ହେଉଛି, ବାହା ହେବା ପରେ ଅନିରୁଦ୍ଧ ବାପାମା’ଙ୍କଠାରୁ ଅଲଗା ରହିବା ଦେଖିବାକୁ ମିଳିଥିଲା।

 ମାଲିକଙ୍କୁ ବଞ୍ଚାଇପାରିଲିନି

ରାତି ୪ଟାରେ ଫୋନ୍‌ ରିଂ ହେବାରୁ ହଠାତ୍ ନିଦରୁ ଉଠିଥିଲେ କେୟାର୍‌ଟେକର୍‌ ଆଲୋକ ବେହେରା। ମାଲିକାଣୀଙ୍କ ନମ୍ବର ଦେଖି ତରବର ହୋଇ ଫୋନ୍‌ ଉଠାଇଥିଲେ। ସେପଟୁ ଯାହା ଶୁଣିଲେ, ତାଙ୍କ ମୁଣ୍ଡ ଘୂରାଇଦେଲା। ଟିକୁଲ୍‌ ତା’ ବାପାଙ୍କୁ ଛୁରି ଭୁସି ମାରିଦେଇଛି ବୋଲି ଶୁଣୁଶୁଣୁ ଆଲୋକ ଧାଇଁଥିଲେ ଆପାର୍ଟମେଣ୍ଟକୁ। ସେଠି ପହଞ୍ଚିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯିବା ଭଳି ଅନୁଭବ କରିଥିଲେ ସେ। ବିକଳ ହୋଇ ପ୍ରାୟ ୫ ପଡ଼ୋଶୀଙ୍କ ଘରର କଲିଂ ବେଲ୍ ବଜାଇ ସେମାନଙ୍କୁ ଉଠାଇଥିଲେ। ସୁନୀଲଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀରକୁ କାନ୍ଧରେ ବୋହି ଶିଡ଼ି ଦେଇ ତଳକୁ ଆସିଥିଲେ। ଏହାପରେ ଆମ୍ବୁଲାନ୍‌ସ‌ରେ ନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ମାଲିକାଣୀଙ୍କ ଫୋନ୍‌ ପାଇବା ପରଠୁ ହସ୍ପିଟାଲ୍‌ ପର୍ଯ୍ୟନ୍ତ ସେ ମିନିଟିଏ ବି ଅପେକ୍ଷା କରିନଥିଲେ। ମାତ୍ର ତାଙ୍କ କହିବା କଥା, ‘ବହୁ କଷ୍ଟ କଲି ସିନା ମାଲିକଙ୍କୁ ବଞ୍ଚାଇ ପାରିଲିନି।’

 କି କାମରେ ଲାଗିଲା କୋଟିକୋଟି ଟଙ୍କାର ସମ୍ପତ୍ତି
ବାହାଘରର କିଛି ଦିନ ପରେ ପାରିବାରିକ ସମସ୍ୟା ଯୋଗୁ ଅନିରୁଦ୍ଧ ଓ ତାଙ୍କ ପତ୍ନୀ ନିଜ ଘରୁ ଚାଲିଯାଇ ୨୦୦ ମିଟର ଦୂରରେ ଥିବା ଏକ ସାହୁ କମ୍ପ୍ଲେକ୍ସରେ ଭଡ଼ାରେ ରହୁଥିଲେ। ସୁନୀଲଙ୍କର ରାଜଧାନୀରେ ୩ଟି ଫ୍ଲାଟ୍‌ ରହିଛି। ଗୋଟିଏ ଫ୍ଲାଟ୍‌ରେ ସୁନୀଲ ରହୁଛନ୍ତି ଓ ଅନ୍ୟ ୨ଟି ଭଡ଼ାରେ ଲାଗିଛି। ଅଥଚ ଅନିରୁଦ୍ଧଙ୍କୁ ଭଡ଼ାରେ ରହିବାକୁ ପଡ଼ିଥିଲା। ପୁରୀ, ଗୋପାଳପୁର, ପିପିଲି ଓ ଛତ୍ରପୁରରେ ତାଙ୍କର ପ୍ଲଟ୍‌ ରହିଛି। ଏମିତିକି ଗଞ୍ଜାମରେ ମଧ୍ୟ ପୈତୃକ ସମ୍ପତ୍ତି ରହିଛି। କୋଟିକୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିଲେ ସୁନୀଲ। ଏତେ ସମ୍ପତ୍ତି ଥିବାରୁ ଅନିରୁଦ୍ଧ କରଜ ଶୁଝିବାକୁ ବାପାଙ୍କ ସହାୟତା ଲୋଡ଼ୁଥିଲେ। କିନ୍ତୁ ବାଜେ ଖର୍ଚ୍ଚ କରି ଟଙ୍କା ଉଡ଼ାଉଥିବା ଅଭିଯୋଗ କରି ସୁନୀଲ ଏକମାତ୍ର ପୁଅକୁ ସହଯୋଗ କରିନଥିଲେ। ଏଥିପାଇଁ ୩ ବର୍ଷ ବାପା ଓ ପୁଅ ମଧ୍ୟରେ ବିବାଦ ଲାଗିରହିଥିଲା ଏବଂ ଶେଷରେ ପରିଣତି ଏମିତି ଭୟଙ୍କର ରୂପ ନେଲା।

 ବିଦେଶରେ ପଢ଼ିଥିଲେ, ଆଇନ ବିଶାରଦ ଥିଲେ
ଅନିରୁଦ୍ଧ ବିଦେଶରେ ଅଧ୍ୟୟନ କରିଥିଲେ। ବାପା ସୁନୀଲ ତାଙ୍କୁ ପଢ଼ିବା ଲାଗି ବିଦେଶ ପଠାଇ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ। ଅନିରୁଦ୍ଧ ବି ପାଠପଢ଼ାରେ ଅବହେଳା କରିନଥିଲେ। ଜଣେ ଆଇନ ବିଶାରଦ ଭାବେ ତାଙ୍କର ବେଶ୍ ଖ୍ୟାତି ଥିଲା। ସେ କେବଳ କଲେଜରେ ଅଧ୍ୟାପନା କରୁ ନଥିଲେ, ଆଇନ ସଂକ୍ରାନ୍ତୀୟ ବହୁ କାର୍ଯ୍ୟକ୍ରମରେ ତାଙ୍କୁ ବିଭିନ୍ନ ଟିଭିରେ ଆଲୋଚକ ଭାବେ ଦେଖିବାକୁ ମିଳୁଥିଲା। ଛାତ୍ରଛାତ୍ରୀଙ୍କ ମହଲରେ ବି ଅନିରୁଦ୍ଧ ବେଶ୍ ପ୍ରିୟପାତ୍ର ଥିଲେ।

 ଭାରତୀୟ ନ୍ୟାୟ ସଂହିତା ୧୦୩ରେ ରାଜଧାନୀର ପ୍ରଥମ ମାମଲା
ଡିସିପି ପ୍ରତୀକ୍‌ ସିଂଙ୍କ ସୂଚନାନୁସାରେ ଭାରତୀୟ ନ୍ୟାୟ ସହିଂତା ଧାରା ୧୦୩ରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲା କମିସନରେଟ୍‌ ପୁଲିସ ପାଇଁ ପ୍ରଥମ। ନୂଆ ଆଇନର ନିର୍ଦ୍ଦେଶକ୍ରମେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶବ ପଞ୍ଚନାମା, ବ୍ୟବଚ୍ଛେଦ ଓ ଅନ୍ୟ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିବା, ରକ୍ତଭିଜା ଛୁରି ଓ ତକିଆ ସମେତ ଅନ୍ୟଜିନିଷ ସବୁ ଜବତ କରିବାର ଭିଡିଓଗ୍ରାଫି କରାଯାଇଛି। ୯୦ ଦିନ ଭିତରେ କୋର୍ଟକୁ ଚାର୍ଜସିଟ୍‌ ଦିଆଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button