ଅପରାଧ

ପାତ୍ରପଡ଼ା ଜମି କେଳେଙ୍କାରୀ ଗୁମର ଫିଟୁଛି: ବିଷ ଉଗାରିଲେ ମାରିକ୍‌ – Kalinga News

[ad_1]

ମାନହାନି ମକଦ୍ଦମା କରିବି: ମାରିକ୍‌

ଭୁବନେଶ୍ବର: ପାତ୍ରପଡ଼ାରେ ହୋଇଥିବା ସରକାରୀ ଜମି କେଳେଙ୍କାରୀ ମାମଲା ଏବେ ନାଟକୀୟ ମୋଡ଼ରେ ପହଞ୍ଚିଛି। ସରକାରୀ ଜମି ହଡ଼ପ ଅଭିଯୋଗ ଉପରେ ସରକାର କି ପ୍ରକାର ତଦନ୍ତ କରୁଛନ୍ତି, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଅଥଚ ଏପଟେ ଓଡ଼ିଶାର ପୂର୍ବତନ ଡିଜିପି ସଞ୍ଜୀବ ମାରିକ୍‌ ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନା‌ଗେଶ୍ବର ରାଓଙ୍କ ମଧ୍ୟରେ କଳି ବଢ଼ିବାରେ ଲାଗିଛି। ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ରୋଚକପୂର୍ଣ୍ଣ ତୁ ତୁ ମେଁ ମେଁ। ନାଗେଶ୍ବରଙ୍କ ଗୋହି ଖୋଳିଛନ୍ତି ମାରିକ୍‌। ଏମିତିକି ସେ ମାନହାନି ମକଦ୍ଦମା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଅପରପକ୍ଷେ ନାଗେଶ୍ବର ତାହାକୁ ସ୍ବାଗତ କରି କହିଛନ୍ତି ଯେ ଏହାଦ୍ବାରା ପ୍ରକୃତ ସତ୍ୟ ପଦାକୁ ଆସିବ।

ଗତକାଲି ନାଗେଶ୍ବର ରାଓ ଜମି କେଳେଙ୍କାରୀ ବାବଦରେ ମାରିକଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ। ଜମି କିଣି ଠକାମିର ଶିକାର ହୋଇଥିବା ନେଇ ସେ ୨୦୧୫ ମସିହାରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଥିଲେ। କିନ୍ତୁ ତତ୍‌କାଳୀନ ଡିଜିପି ମାରିକଙ୍କ ଚାପରେ ଇଓଡବ୍ଲ୍ୟୁ ଏସ୍‌ପି ମାମଲା ରୁଜୁ କରିନଥିଲେ ବୋଲି ନାଗେଶ୍ବର ଅଭିଯୋଗ କରିଥିଲେ। ତେଣୁ ଜମି କେଳେଙ୍କାରୀରେ ମାରିକ୍‌ଙ୍କ ସମ୍ପୃକ୍ତି ଥିଲା ବୋଲି ନାଗେଶ୍ବର ପରୋକ୍ଷରେ କହିବା ସହ ତଦନ୍ତ ଦାବି କରିଥିଲେ। ଆଜି ମାରିକ୍‌ ଏହାର ପ୍ରତିଜବାବ ଦେଇଛନ୍ତି। ସେ ନାଗେଶ୍ବରଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମାରିକ୍‌ କହିଛନ୍ତି ଯେ ୧କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହେଲେ ଇଓଡବ୍ଲ୍ୟୁ ତଦନ୍ତ କରିଥାଏ। ନାଗେଶ୍ବରଙ୍କ କହିବାନୁସାରେ ସେ ମାତ୍ର ୯ ଲକ୍ଷ ୫୦ ହଜାର ଟଙ୍କାକୁ ନେଇ ଅଭିଯୋଗ କରିଥିଲେ। ତେଣୁ ଇଓଡବ୍ଲ୍ୟୁ ଯଦି ମାମଲା ରୁଜୁ କଲାନି, ନାଗେଶ୍ବର କୌଣସି ଥାନାରେ ଅଭିଯୋଗ କରିବାର ଥିଲା। ଜଣେ ବରିଷ୍ଠ ଆଇପିଏସ୍‌ ହୋଇ ବି ନାଗେଶ୍ବର କିଭଳି ଏହି ନିୟମ ଜାଣିପାରିଲେ ନାହିଁ ବୋଲି ମାରିକ୍‌ ପାଲଟା ପ୍ରଶ୍ନ କରିଛନ୍ତି।

ମାନହାନି ମକଦ୍ଦମା କରିବି: ମାରିକ୍‌
ସ୍ବାଗତ, ସତ ପଦାକୁ ଆସିବ: ନାଗେଶ୍ବର

ମାରିକ୍‌ ଆହୁରି କହିଛନ୍ତି, ସେ ଜମି ବିକି ନାହାନ୍ତି କି କିଣେଇବାରେ ତାଙ୍କର ହାତ ନାହିଁ। ତାଙ୍କ ପୁଅ ସେଠାରେ ଜମି କିଣିଛି ଏବଂ ସେ ମଧ୍ୟ ନାଗେଶ୍ବରଙ୍କ କିଣାବିକାରେ ମଧ୍ୟସ୍ଥତା କରିନାହାନ୍ତି। ଏବେ ଛୋଟ ଛୁଆଙ୍କ ଭଳି ବିଳିବିଳେଇ ହେଉଛନ୍ତି। ନାଗେଶ୍ବରଙ୍କ ବିରୋଧରେ ବିଷୋଦ୍‌ଗାର କରି ସେ କହିଛନ୍ତି ଯେ ସେବେ ଆଇଜି ସିଆର୍‌ପିଏଫ୍ ଥିବା ବେଳେ କାଳିମେଳାରେ ଏକ ଫୋର୍ସ କମ୍ପାନି ପ୍ରତିଷ୍ଠା କରିବାକୁ ନାଗେଶ୍ବର ତାଙ୍କୁ ଚିଠି ଲେଖିଥିଲେ। ଉକ୍ତ ଚିଠି ଆଧାରରେ ସେ ଅନୁମତି ଦେଇଥିଲେ। କିନ୍ତୁ ପରେ ଆଇଡି ବ୍ଲାଷ୍ଟରେ ଜଣେ ଡେପୁଟି କମାଣ୍ଡାଣ୍ଟ୍‌ଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ରୀୟ ସିଆରପିଏଫ୍ ଖୋଳତାଡ଼ କରିଥିଲେ। ସିଆର୍‌ପିଏଫ୍‌ କର୍ତ୍ତୃପକ୍ଷ ଏନେଇ ତାଙ୍କୁ ପ୍ରଶ୍ନ କରିବାରୁ ମାରିକ ତାଙ୍କୁ ନାଗେଶ୍ବରଙ୍କ ଚିଠି ଦେଖାଇଥିଲେ। ସେ ସମୟରେ ନାଗେଶ୍ବରଙ୍କୁ ସିଆର୍‌ପିଏଫ୍‌ କର୍ତ୍ତୃପକ୍ଷ ତାଗିଦ କରିଥିଲେ। ତେଣୁ ପୁରୁଣା ରାଗ ରଖି ନାଗେଶ୍ବର ଏବେ ଏଭଳି ମିଛ ଅଭିଯୋଗ ଆଣି ତାଙ୍କୁ ବଦନାମ କରୁଛନ୍ତି ବୋଲି ଆଜି ମାରିକ କହିଛନ୍ତି। ସେ କୋର୍ଟର ଦ୍ବାରସ୍ଥ ହେବେ ଏବଂ ମାନହାନି ମକଦ୍ଦମା କରିବେ ବୋଲି ମାରିକ୍ କହିଛନ୍ତି।

ମାରିକ୍‌ଙ୍କ ଏପରି ଚେତାବନୀରେ ନାଗେଶ୍ବର ମଧ୍ୟ ଚୁପ୍‌ ରହିନାହାନ୍ତି। ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ମାନହାନି ମକଦ୍ଦମାକୁ ସେ ଡରିନାହାନ୍ତି। ତଦନ୍ତ ହେଉ, ପ୍ରକୃତ ସତ ପଦାକୁ ଆସିବ। ଇଓଡବ୍ଲ୍ୟୁ ମାମଲାକୁ ନେଇ ନାଗେଶ୍ବର କହିଛନ୍ତି, ସେ ନିଜ ୯ ଲକ୍ଷ ଟଙ୍କା ପାଇଁ ଅଭିଯୋଗ କରିନଥିଲେ। କୋଟିକୋଟି ଟଙ୍କାର ସରକାରୀ ଜମି ହଡ଼ପ ହେଉଥିବା ନେଇ ସେ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିଲେ। ଅଥଚ ଇଓଡବ୍ଲ୍ୟୁ ମାମଲା ରୁଜୁ କଲାନାହିଁ। ତେଣୁ ଏହା ପଛର ରହସ୍ୟ କ’ଣ ଥିଲା, ତାହା ତଦନ୍ତ ପରିସରକୁ ଆସିବା କଥା। ସୂଚନାଯୋଗ୍ୟ ଯେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଏହି ୨୫୦ କୋଟି ଟଙ୍କା ମୂଲ୍ୟର ସରକାରୀ ଜମି କେଳେଙ୍କାରୀ ଅଭିଯୋଗ ଆଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ କେବେ ଗ୍ରିନ୍‌ ସିଗ୍‌ନାଲ ଦେଉଛନ୍ତି, ତାହାକୁ ନେଇ ଉତ୍କଣ୍ଠା ଲାଗି ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button