ଖେଳ ଖବର

ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ଆମେରିକା: ତୃତୀୟ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ – Kalinga News

[ad_1]


ଡଲାସ୍‌: ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଅନ୍ୟତମ ଆୟୋଜକ ଆମେରିକା ବିଜୟୀ ହୋଇଛି। ଡଲାସ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ଅତି ସହଜରେ ଅନ୍ୟତମ କ୍ବାଲିଫାୟର୍‌ କାନାଡ଼ାକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ନଭଦୀପ ଢଲିୱାଲ (୪୪ ବଲ୍‌ରୁ ୬୧ ରନ୍) ଓ ନିକୋଲାସ୍ କିର୍ତନ (୩୧ ବଲ୍‌ରୁ ୫୧ ରନ୍)ଙ୍କ ଅର୍ଦ୍ଧଶତକ ବଳରେ କାନାଡ଼ା ୫ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଜବାବରେ ଆମେରିକା ୧୭.୪ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୯୭ ରନ୍ ସଂଗ୍ରହ କରି ନେଇଥିଲା। ଆରୋନ୍ ଜୋନ୍ସ (୪୦ ବଲ୍‌ରୁ ୯୪ ରନ୍) ବି‌ସ୍ଫୋରକ ପାଳି ଖେଳି ଆମେରିକାକୁ ସହଜ ବିଜୟ ଉପହାର ଦେଇଥିଲେ।

ଟସ୍ ଜିତି ଆମେରିକା କ୍ଷେତ୍ରରକ୍ଷଣ କରିଥିଲେ ମଧ୍ୟ କାନାଡ଼ା ଭଲ ଆରମ୍ଭ କରିଥିଲା। ପ୍ରଥମ ପାୱାର ପ୍ଲେ ୬ ଓଭର ଭିତରେ ଦଳ ୧ ୱିକେଟ୍ ହରାଇ ୫୦ ରନ୍ ସଂଗ୍ରହ‌ କରି ନେଇଥିଲା। ଅଷ୍ଟମ ଓଭର ବେଳକୁ ଦଳ ୬୬/୨ରେ ସଂଘର୍ଷ କରିଥିବାବେଳେ ନଭଦୀପ ୩୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ନିକୋଲାସ କିର୍ତନଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ। କିର୍ତନ ୨୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର୍ ଆରୋନ୍ ଜନ୍‌ସନ୍ (୧୬ ବଲ୍‌ରୁ ୨୩ ରନ୍) ଓ ୱିକେଟ୍‌ରକ୍ଷକ ଶ୍ରେୟସ ମୋଭା (୧୬ ବଲ୍‌ରୁ ୩୨* ରନ୍)ର ଯୋଗଦାନ ରଖିଥିଲେ। ଆମେରିକା ପକ୍ଷରୁ ଅଲୀ ଖାନ୍, ହର୍ମିତ ସିଂହ, କୋରି ଆଣ୍ଡରସନ୍‌ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ୍‌ର ପୂର୍ବତନ ଖେଳାଳି ଆଣ୍ଡରସନ୍‌ ତାଙ୍କ ୩ ଓଭରରେ ୨୯ ରନ୍ ବ୍ୟୟ କରି ଅର୍ଦ୍ଧଶତକ ହାସଲକାରୀ ନଭଦୀପଙ୍କ ୱିକେଟ୍ ନେଇଥିଲେ। ଜବାବରେ ଆମେରିକା ପ୍ରଥମ ଓଭରରେ ଷ୍ଟିଭେନ୍‌ ଟେଲରଙ୍କ ୱିକେଟ୍ ହରାଇଥିଲା। ସପ୍ତମ ଓଭରରେ ଅଧିନାୟକ ତଥା ୱିକେଟ୍‌ରକ୍ଷକ ମୋନାଙ୍କ ପଟେଲ୍‌ (୧୬ ବଲରୁ ୧୬ ରନ୍) ସଂଘର୍ଷ କରିବା ପରେ ଆଗକୁ ବଢ଼ିପାରିନଥିଲେ। ଏହି ସମୟରେ କିନ୍ତୁ ଆଣ୍ଡ୍ରିସ୍ ଗସ୍‌ (୪୬ ବଲ୍‌ରୁ ୬୫ ରନ୍, ୩ ଛକା) ଓ ଅରୋନ୍ ଜୋନ୍ସ (୪୦ ବଲ୍‌ରୁ ୯୪* ରନ୍, ୪ ଚୌକା, ୧୦ ଛକା) ତୃତୀୟ ୱିକେଟ୍ ପାଇଁ ୯.୧ ଓଭରରେ ୧୩୧ ରନ୍ ଯୋଡ଼ି ମ୍ୟାଚ୍‌କୁ ଏକତରଫା କରିଦେଇଥିଲେ। ୧୪ ବଲ୍ ପୂର୍ବରୁ ଦଳ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିଯାଇଥିଲା। କାନାଡ଼ା ପକ୍ଷରୁ କଲିମ୍ ସାନା, ଡିଲନ୍ ହେଲିଗର, ନିଖିଲ ଦତ୍ତା ପ୍ରତ୍ୟେକ‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: କାନାଡ଼ା ୨୦ ଓଭରରେ ୧୯୪/୫ (ନଭଦୀପ ଢଲିୱାଲ-୬୧, ନିକୋଲାସ କିର୍ତନ-୫୧, ହର୍ମିତ ସିଂହ-୧/୨୭, କୋରି ଆଣ୍ଡରସନ୍‌-୧/୨୯, ଅଲୀ ଖାନ୍‌-୧/୪୧)। ଆମେରିକା ୧୭.୪ ଓଭରରେ ୧୯୭/୩ (ଆରୋନ୍ ଜୋନ୍ସ-୯୪*, ଆଣ୍ଡ୍ରିସ୍ ଗସ୍-୬୫, କୋରି ଆଣ୍ଡରସନ୍‌-୩*, ଡିଲନ୍ ହେଲିଗର୍‌-୧/୧୯, କଲିମ୍ ସାନା-୧/୩୪, ନିଖିଲ ଦତ୍ତା-୧/୪୧)।

ଡଲାସ୍‌: କାନାଡ଼ା ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ ବିଜୟ ସହିତ ଆମେରିକା ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ତୃତୀୟ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ହାସଲ କରିଛି। କାନାଡ଼ା ଦେଇଥିବା ୧୯୫ ରନ୍ ଲକ୍ଷ୍ୟକୁ ଆମେରିକା ସହଜରେ ୧୪ ବଲ୍ ପୂର୍ବରୁ ୭ ୱିକେଟ୍‌ ବ୍ୟବଧାନରେ ଜିତିଥିଲା। ବିଶ୍ବକପ୍‌ ଇତିହାସରେ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟର କୀର୍ତ୍ତିମାନ ଇଂଲଣ୍ଡ ନାମରେ ରହିଛି। ୨୦୧୬ରେ ଦକ୍ଷିଣ ଆଫ୍ରିକା ଦେଇଥିବା ୨୩୦ ରନ୍ ଲକ୍ଷ୍ୟକୁ ଇଂଲଣ୍ଡ ରୋମାଞ୍ଚକ ଭାବେ ୨ ୱିକେଟ୍‌ରେ ଜିତିଥିଲା। ସେହିଭଳି ୨୦୦୭ରେ ୱେଷ୍ଟଇଣ୍ଡିଜ୍ ଦେଇଥିବା ୨୦୬ ରନ୍ ଲକ୍ଷ୍ୟକୁ ୮ ୱିକେଟ୍‌ ବ୍ୟବଧାନରେ ଜିତି ଦକ୍ଷିଣ ଆଫ୍ରିକା ଦ୍ବିତୀୟ ସ୍ଥାନରେ ରହିଛି। ଭାରତ କେବେ ୨୦୦ରୁ ଉର୍ଧ୍ବ ରନ୍‌କୁ ପଶ୍ଚାତଧାବନ କରି ବିଶ୍ବକପ୍‌ ମ୍ୟାଚ୍‌ ଜିତିନାହିଁ।

ଗେଲ୍‌ଙ୍କ ସମକକ୍ଷ ହେଲେ ଜୋନ୍ସ
ଆମେରିକା ବ୍ୟାଟର୍ ଆରୋନ ‌ଜୋନ୍ସ ରବିବାର ଖେଳିଥିବା ଧୂଆଁଧାର ୯୪* ରନ୍ ପାଳି ଅବସରରେ ଏକ ବିଶ୍ବକପ୍ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ସେ ଉଦ୍‌ଘାଟନୀ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାରେ ୱେଷ୍ଟଇଣ୍ଡିଜ୍ ମହାନ କ୍ରିସ୍ ଗେଲ‌୍‌ଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଗୋଟିଏ ପାଳିରେ ୧୦ ଲେଖାଏଁ ଛକା ମାରିଛନ୍ତି। ୨୦୦୭ରେ ଗେଲ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧୭ ରନ୍ (୫୫ ବଲ୍‌) ପାଳି ଖେଳିବା ଅବସରରେ ୧୦ ଛକା ମାରିଥିଲେ। ୨୯ ବ‌ର୍ଷୀୟ ଡାହାଣହାତୀ ବ୍ୟାଟର୍ ଆରୋନ୍‌ ରବିବାର ୨୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ବିଶ୍ବକପ୍‌ ଇତିହାସରେ ମଧ୍ୟ ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ କ୍ରିସ୍ ଗେଲ୍‌ଙ୍କ ନାମରେ ରହିଛି। ୨୦୧୬ରେ ମୁମ୍ବାଇରେ ଇଂଲଣ୍ଡ ବିପକ୍ଷରେ ୪୮ ବଲ୍‌ରୁ ୧୦୦* ରନ୍ ପାଳି ଅବସରରେ ଗେଲ୍‌ ୧୧ ଛକା ମାରିଥିଲେ। ଏହି ତାଲିକାରେ ଆରୋନ୍‌ ଦ୍ବିତୀୟ ସ୍ଥାନରେ ରହିଲେ।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button