ଲୁଟ୍ ପାଇଁ ୧୧୦ ଦିନରେ ୨୦୦ ବିମାନ ଯାତ୍ରା – Kalinga News

[ad_1]
ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ପୁଲିସ ରାଜେଶ କପୁର ନାମକ ଜଣେ ହାଇ ପ୍ରୋଫାଇଲ ଚୋରକୁ ଧରିବାରେ ସଫଳ ହୋଇଛି, ଯିଏ ଗତବର୍ଷ ୧୧୦ ଦିନରେ ୨୦୦ଟି ବିମାନରେ ହଜାର ହଜାର କିଲୋମିଟର ଯାତ୍ରା କରି ବିମାନ ଯାତ୍ରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଓ ମୂଲ୍ୟବାନ ସାମଗ୍ରୀ ଚୋରି କରିଛି। ଗତ ମାସରେ ହାଇଦ୍ରାବାଦରୁ ଦିଲ୍ଲୀ ଯାଉଥିବା ଜଣେ ମହିଳା ତାଙ୍କ ହ୍ୟାଣ୍ଡବ୍ୟାଗରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଦାବି କରିବା ପରେ ଦିଲ୍ଲୀ ପୁଲିସ ଏହି ନୂଆ ଶୈଳୀ ଚୋରିର ପର୍ଦ୍ଦାଫାସ କରିଥିଲା। ଆମେରିକାର ଜଣେ ବ୍ୟକ୍ତିଙ୍କଠାରୁ ୨୦ ଲକ୍ଷ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ନେଇ ପୁଲିସକୁ ଆଉ ଏକ ଅଭିଯୋଗ ମଧ୍ୟ ଆସିଥିଲା। ପୁଲିସ ଦିଲ୍ଲୀ, ହାଇଦ୍ରାବାଦ ଓ ଅମୃତସର ବିମାନବନ୍ଦରର ଅନେକ ଘଣ୍ଟାର ଫୁଟେଜ୍ ଯାଞ୍ଚ କରି ରାଜେଶ କପୁରକୁ ଦିଲ୍ଲୀର ପାହାଡ଼ଗଞ୍ଜରୁ ଗିରଫ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତ ଜଣକ ଧରାପଡ଼ିବା ପରେ ପୁଲିସକୁ କହିଛି ସେ କିପରି ଦେଶର ଅନ୍ୟତମ ଅତ୍ୟନ୍ତ ସୁରକ୍ଷିତ ଅଞ୍ଚଳ – ବିମାନବନ୍ଦରଗୁଡ଼ିକରେ ଏକ ବର୍ଷ ଧରି ଅପରାଧ ଘଟାଇ ପୁଲିସ ଆଖିକୁ ଧୂଳି ଦେଇ ଖସି ଯିବାରେ ସଫଳ ହୋଇଥିଲା। ଦିଲ୍ଲୀ ପୁଲିସର ଡେପୁଟି କମିସନର ଉଷା ରଙ୍ଗରାଣୀ କହିଛନ୍ତି ଯେ, ସଂଯୋଗକାରୀ ବିମାନରେ ଯାତ୍ରା କରୁଥିବା ବିଶେଷତଃ ବୃଦ୍ଧ ଓ ମହିଳା ଯାତ୍ରୀଙ୍କୁ ଏହି ଚୋର ଜଣକ ଟାର୍ଗେଟ କରିଥାଏ ଏବଂ ବିମାନବନ୍ଦରରେ ସେମାନଙ୍କ ଆଚରଣ ଉପରେ ନଜର ରଖିଥାଏ। ବ୍ୟାଗ୍ ଭିତରେ ଥିବା ମୂଲ୍ୟବାନ ଜିନିଷ ବିଷୟରେ ଅଧିକ ବିବରଣୀ ପାଇବା ପାଇଁ ସେ ସେମାନଙ୍କୁ ଅନୁସରଣ କରେ କିମ୍ବା ବ୍ୟାଗେଜ୍ ଡିକ୍ଲାରେସନ୍ ସ୍ଲିପ୍ରେ ଥିବା ସୂଚନାକୁ ଭଲ ଭାବରେ ପଢ଼େ। ତା’ପରେ ସେହି ଲୋକର ପାଖ ସିଟ୍ରେ ବସିବା ପାଇଁ ନିଜ ସିଟ୍ ପରିବର୍ତ୍ତନ କରିବାକୁ ବିମାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରେ। ସେ ଅଧିକାଂଶ ସମୟରେ ନିଜ ଆସନ ବଦଳାଇବା ପାଇଁ ନୂଆ ନୂଆ ବାହାନା ବାହାର କରୁଥିବା ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ଯାତ୍ରୀମାନେ ବିମାନରେ ଚଢ଼ୁଥିବା ବେଳେ ସେ ପ୍ରାୟତଃ ସମ୍ପୃକ୍ତ ଯାତ୍ରୀଙ୍କ ନିକଟରେ ବସି ଉପରେ ଥିବା ବ୍ୟାଗ୍ଗୁଡ଼ିକୁ ସଜାଡ଼ି ରଖିବା ବାହାନା କରି ତାଙ୍କ ବ୍ୟାଗ୍ରୁ ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି କରୁଥିଲା ବୋଲି ପୁଲିସ କହିଛି। ବୁକିଂ ସମୟରେ ଅଭିଯୁକ୍ତ ଏକ ନକଲି ନମ୍ବର ଦେଇଥାଏ, ଯାହା ଫଳରେ ସେ କୌଣସି ପ୍ରମାଣ ଛାଡ଼ି ନ ଥାଏ।
ନୂଆଦିଲ୍ଲୀ ରେଳ ଷ୍ଟେସନ ନିକଟ ପାହାଡ଼ଗଞ୍ଜରେ ଥିବା ଏକ ଗେଷ୍ଟ ହାଉସ ‘ରିକି ଡିଲକ୍ସ’ର ମାଲିକ ହେଉଛି ରାଜେଶ। ସେ ଗେଷ୍ଟ ହାଉସର ତୃତୀୟ ମହଲାରେ ରହେ। ତା’ର ‘ମନି ଏକ୍ସଚେଞ୍ଜ’ ବ୍ୟବସାୟ ବି ଅଛି ଏବଂ ଦିଲ୍ଲୀରେ ତା’ର ଏକ ମୋବାଇଲ ମରାମତି ଦୋକାନ ମଧ୍ୟ ଥିବା ପୁଲିସ କହିଛି। ପାହାଡ଼ଗଞ୍ଜରେ ଥିବା ତା’ ଘରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଜବତ ହୋଇଛି। ତେବେ ସେ ଅନେକ ଥର ଚୋରି ଗହଣାକୁ ପଡ଼ୋଶୀ କରୋଲ ବାଗର ଶରଦ ଜୈନ ନାମକ ଜଣେ ଗହଣା ବ୍ୟବସାୟୀଙ୍କୁ ବିକ୍ରି କରିଥିବା କହିଛି। ବିମାନରୁ ଚୋରି କରିବା ପୂର୍ବରୁ ଏହି ଭିଆଇପି ଚୋର ଟ୍ରେନ୍ରେ ଚୋରି କରୁଥିଲା। ଥରେ ଧରାପଡ଼ିବା ପରେ ବ୍ୟକ୍ତି ଜଣକ ଟ୍ରେନ୍ରୁ ଚୋରି କରିବା ଛାଡ଼ି ବିମାନରୁ ଚୋରି କରିବାକୁ ନିଷ୍ପତ୍ତି ନେଇଥିଲା ବୋଲି ପୁଲିସ ଆଗରେ ପ୍ରକାଶ କରିଛି।
[ad_2]